ନଭେମ୍ବର ମାସ କରୋନା ନିର୍ଦେଶନାମାକୁ ଅପେକ୍ଷା- ଅଟକିଲା ଧବଳେଶ୍ୱରଙ୍କ ପଞ୍ଚୁକ ଓ ବଡଓଷା ଯାତ୍ରା ନିଷ୍ପତ୍ତି

ଗୁରୁଡିଝାଟିଆ: ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚୁକ ଓ ବଡଓଷା ଯାତ୍ରା ପାଇଁ ପୀଠ ପରିସରରେ ଆଜି ପ୍ରସ୍ତୁତିବୈଠକ ଅନୁଷ୍ଠିତ ହୋଇଥିଲା। ଜିଲାପାଳ ଭବାନୀ ଶଙ୍କର ଚଇନିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଚଳିତ ବର୍ଷ ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚୁକ ଓ ବଡଓଷା ଯାତ୍ରା ସଂପର୍କରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନଭେମ୍ବର ମାସର କୋଭିଡ ନିର୍ଦେଶନାମା ଆସିବା ପରେ ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚୁକ ଓ ବଡଓଷା ଯାତ୍ରା ସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବୈଠକରେ ଜିଲାପାଳ ଶ୍ରୀ ଚଇନି ମତପ୍ରକାଶ କରିଥିଲେ। ସରକାରଙ୍କ କୋଭିଡ ନିର୍ଦେଶାବଳୀ ଯଦି ପ୍ରଭୁ ଧବଳେଶ୍ବରଙ୍କ ବଡଓଷା ଓ ପଞ୍ଚୁକଯାତ୍ରା ପାଇଁ ଜନସମାଗମ ନିମନ୍ତେ ଅନୁମତି ପ୍ରଦାନ କରେ ତାହେଲେ ପ୍ରତ୍ୟେକବର୍ଷ ଭଳି ବଡଓଷା ଓ ପଞ୍ଚୁକ ଯାତ୍ରାରେ ଶ୍ରଦ୍ଧାଳୁମାନେ ବଡସିଂହାର ବେଶ ଦର୍ଶନ କରିପାରିବେ ଏବଂ ବ୍ରତାଚାରୀମାନେ ପୀଠରେ ଆସି ବଡଓଷା କରିପାରିବେ। ହେଲେ ଯଦି ସରକାର ନିୟମ କୋହଳ ନକରନ୍ତି ତେବେ ଗତବର୍ଷ ଭଳି ଚଳିତବର୍ଷ ଭକ୍ତ ବିହୀନ ଭାବରେ ପ୍ରଭୁ ଧବଳେଶ୍ବରଙ୍କ ବଡଓଷା ଓ ପଞ୍ଚୁକ ଯାତ୍ରା ଅନୁଷ୍ଠିତ ହେବ।

ଆଠଗଡ ଦେବୋତ୍ତର ବିଭାଗ, ପୂଜକ ସମିତିର କର୍ମକର୍ତ୍ତା ଉପସ୍ଥିତି ରହି ପରମ୍ପରା ଓ ନୀତି ଅନୁଯାୟୀ ପ୍ରଭୁ ଧବଳେଶ୍ବରଙ୍କ ବଡସିଂହାର ବେଶ, ଗଜଭୋଗ ଅର୍ପଣ ଆଦି ସମସ୍ତ ନୀତିକାନ୍ତି କରିବେ। ତେଣୁ ଏବେ ସରକାରଙ୍କ ନଭେମ୍ବର ମାସ କୋଭିଡ ନିର୍ଦେଶନାମା ଉପରେ ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚୁକ ଓ ବଡଓଷା ଯାତ୍ରାର ନିଷ୍ପତ୍ତି ନିର୍ଭର କରେ। ଭକ୍ତବିହୀନ ପଞ୍ଚୁକ ବଡଓଷା ଯାତ୍ରା ହେବ କିମ୍ବା ଶ୍ରଦ୍ଧାଳୁ ପ୍ରଭୁଙ୍କୁ ଦର୍ଶନ କରିପାରିବେ ଏହା ନଭେମ୍ବରମାସ ନିର୍ଦେଶନାମା ଉପରେ ନିର୍ଭର କରେ। ନଭେମ୍ବରମାସ ୧୫ ତାରିଖରେ ପଞ୍ଚୁକ ବ୍ରତ ଆରମ୍ଭ ହୋଇ ୧୯ ତାରିଖ ରାସପୂର୍ଣ୍ଣିମାରେ ସମାପନ ହେବ। ୧୭ ତାରିଖରେ ପ୍ରଭୁଙ୍କ ବଡଓଷା ଅନୁଷ୍ଠିତ ହେବ।
ଏହାକୁ ଦୃଷ୍ଟିରେ ରଖି ମନ୍ଦିରର ସୌନ୍ଦର୍ଯ୍ୟକରଣ, ଆଲୋକ ବ୍ୟବସ୍ଥା, ପରିମଳ, ଜନସ୍ୱାସ୍ଥ୍ୟ, ପାନୀୟଜଳ, ରାସ୍ତାଘାଟ ମରାମତି,ଝୁଲାପୋଲର ଆଲୋକୀକରଣ, ରଙ୍ଗ ପ୍ରଲେପ ସହିତ ପୀଠର ଉନ୍ନତିକରଣ ସଂପର୍କରେ ସବିଶେଷ ଆଲୋଚନା କରାଯାଇ ପଞ୍ଚୁକ ପୂର୍ବରୁ ସମାପନ ହେବା ନିମନ୍ତେ ଜିଲାପାଳ ଶ୍ରୀ ଚଇନି ନିର୍ଦେଶ ଦେଇଥିଲେ। ଆଜିର ଏହି ବୈଠକରେ ଆଠଗଡ ଉପଜିଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପହି, ଚୌଦ୍ୱାର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟବ୍ରତ ଲେଙ୍କା, ଆଠଗଡ ତହସିଲଦାର ପ୍ରିୟବ୍ରତ ଦାସ, ଆଠଗଡ ମଣ୍ଡଳ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସ, ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ପ୍ରଶାସନିକ ଅଧିକାରୀ ଆଶାଲତା ରଚମାଳ, ଆଠଗଡ ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର, ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟ ଅଧିକ୍ଷକ ଡାକ୍ତର ଦୀଲ୍ଲିପ କୁମାର ଦାସ, ଗୁରୁଡିଝାଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ, ଖୁଣ୍ଟୁଣୀ ଥାନା ଅଧିକାରୀ ବାମଦେବ ସ୍ୱାଇଁ, ଆଠଗଡ ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାସ, ଟିପିସିଓଡିଏଲ ନିର୍ବାହୀ ଯନ୍ତ୍ରୀ ପବିତ୍ର ମୋହନ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମନ୍ତରାୟ,ରାସ୍ତା ଓ କୋଠାବାଡି ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟନ୍ତ କୁମାର ନାୟକ, ଧବଳେଶ୍ୱର ସେବା ସଂସ୍ଥା ସଭାପତି କିରଣ ବିହାରୀ ଖଟୁଆ, ମଞ୍ଚେଶ୍ୱର ସରପଞ୍ଚ ପ୍ରିୟବ୍ରତ ସାହୁ, ସମିତିସଭ୍ୟ ଅଶୋକ କୁମାର ଖଟୁଆ, ଧବଳେଶ୍ୱର ପୂଜକ ସମିତି ସଭାପତି ବିଷ୍ଣୁ ଚରଣ ପତ୍ରୀ, ସଂପାଦକ ନରେନ୍ଦ୍ର କୁମାର ପଣ୍ଡା, ସୁଶାନ୍ତ କୁମାର ପତ୍ରୀ, ଅଜୟ କୁମାର ପତ୍ରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ଧବଳେଶ୍ୱରର ବରିଷ୍ଠ ପୂଜକ ପଦ୍ମନାଭ ପତ୍ରୀ, ପରମାନନ୍ଦ ପତ୍ରୀ ଓ ଆଠଗଡ ପୂର୍ବତନ ଉପଖଣ୍ଡ ପ୍ରଶାସନିକ ଅଧିକାରୀ ଦାମୋଦର ଚଇନିଙ୍କ ପରଲୋକରେ ନୀରବ ପ୍ରାର୍ଥନା କରାଯାଇଥିଲା।

Comments are closed.