ଦାଦାବଟି ଆଦାୟ ଅଭିଯୋଗରେ ଜଣେ ଗିରଫ

ଆଠଗଡ: ଆଠଗଡ ସହରର ଦୁଇଟି ପ୍ରତିଷ୍ଠିତ ଦୋକାନରେ ଦାଦାବଟି ମାଗୁଥିବା ଅଭିଯୋଗରେ ଆଠଗଡ ପୁଲିସ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଆଠଗଡ ସହରର ନୂଆ ବସଷ୍ଟାଣ୍ଡସ୍ଥିତ ଶ୍ରୀରାମ ଏମ୍ପୋରିୟମ ଏବଂ ହେମମାଳପୁରସ୍ଥିତ ଶ୍ୱେତପ୍ରଭା ଏଜେନ୍ସିକୁ ଯାଇ ରଥଗଡା ଅଞ୍ଚଳର ମାଟିଆ ଓରଫ ସମ୍ବିତ୍‍ ବର୍ମା ଏବଂ ନୃସିଂହ ପଣ୍ଡା ଦାଦାବଟି ମାଗୁଥିବା ଆଠଗଡ ଥାନାରେ ଅଭିଯୋଗ ହୋଇଛି। ଶ୍ରୀରାମ ଏମ୍ପୋରିୟମର ମାଲିକ ପବିତ୍ର କୁମାର ସାହୁ ଓ ଶ୍ୱେତପ୍ରଭା ଏଜେନ୍ସିର ମାଲିକ ଲସିତ୍‍ ଚରଣ ମହାନ୍ତିଙ୍କ ୨ଟି ଏତଲାକୁ ଭିତ୍ତି କରି ଆଠଗଡ ପୁଲିସ ଥାନା କେଶ ନଂ ୨୩୦, ୨୩୧/୨୧ ଭାରତୀୟ ପିଙ୍ଗଳ କୋଡ ଦଫା ୩୮୬, ୪୨୭ ଏବଂ ୩୪ ଆଇପିସି ଅନୁଯାୟୀ ୨ଟି ମାମଲା ରୁଜୁ କରିଛନ୍ତି।

 

ଅଭିଯୁକ୍ତ ୨ଜଣ ଗୋଟିଏ ସ୍କୁଟିରେ ଯାଇ ଶ୍ରୀରାମ ଏମ୍ପୋରିୟମର ଦୋକାନ ଭିତରେ ପଶି ଦୋକାନର ମାଲିକଙ୍କ ଠାରୁ ଟଙ୍କା ଛଡାଉଥିବାର ଦୃଶ୍ୟ ସିସିଟିଭିରେ ଉତ୍ତୋଳିତ ହୋଇଥିବା ଦେଖିବାକୁ ମିଳିଛି। ଆଠଗଡ ପୁଲିସ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ମାଟିଆ ଓରଫ ସମ୍ବିତ୍‍ ବର୍ମାଙ୍କୁ ଗିରଫ କରିଥିବା ବେଳେ ଅନ୍ୟତମ ଅଭିଯୁକ୍ତ ନୃସିଂହ ଫେରାର ହୋଇଯାଇଛି। ନୃସିଂହକୁ ମଧ୍ୟ ଖୁବ୍‍ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ଶୁଭ୍ରାଂଶୁ ଶେଖର ପରିଡା କହିଛନ୍ତି।

Comments are closed.