ଆନ୍ତର୍ଜାତୀୟ ଅସ୍ପଷ୍ଟ ଉଚ୍ଚାରଣ ଦିବସରେ ଜନ ସଚେତନତା ସୃଷ୍ଟି

ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର କଟକିଆ ସାହି ପଞ୍ଚାୟତର ବାଲିସାହି ଗ୍ରାମଠାରେ ଶୁକ୍ରବାର ଆନ୍ତର୍ଜାତୀୟ ଅସ୍ପଷ୍ଟ ଉଚ୍ଚାରଣ ଦିବସ ଅବସରରେ ଜନ ସଚେତନତା ସୃଷ୍ଟି କରାଯାଇଥିଲା। ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସଙ୍କ ପରାମର୍ଶକ୍ରମେ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମଙ୍କ ଏହି କାର୍ଯ୍ୟକ୍ରମରେ ସଂଯୋଜନା କରି ଆନ୍ତର୍ଜାତୀୟ ଅସ୍ପଷ୍ଟ ଦିବସ ୧୯୯୮ମସିହାରୁ ଅକ୍ଟୋବର ୨୨ତାରିଖରେ ପାଳନ ହୋଇଥାଏ ଏବଂ ଏହାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସଂପର୍କରେ ସେ ଆଲୋକପାତ କରିଥିଲେ। ବିଶ୍ୱର ମୋଟ ଜନସଂଖ୍ୟାର ୧% ଖନା ବା ସ୍ପଷ୍ଟ କଥା କହିପାରୁନଥିବା ଲୋକ ରହିଛନ୍ତି।

 

ସେମାନଙ୍କ ବାବଦରେ ସଚେତନତା ସୃଷ୍ଟି କରିବା ଏବଂ ଶୈଶବ ଅବସ୍ଥାରେ ପାଟି ଖନଉଥିଲେ ତାର କି ପ୍ରତିକାର କରାଯାଇପାରିବ ସେ ସଂପର୍କରେ ସେ ବୁଝାଇଥିଲେ। ୨-୫ବର୍ଷ ମଧ୍ୟରେ ପ୍ରାୟ ୫% ଶିଶୁ ବିଭିନ୍ନ କାରଣରୁ କଥା କହୁନଥିବା ଏବଂ କଥାବାର୍ତ୍ତା ଆରମ୍ଭ କରିବା ବେଳେ ସେମାନଙ୍କର ପାଟି ଖନଉଥିବା ଦେଖାଯାଇଥାଏ। ଏହା ଏକ ସ୍ନାୟୁଗତ ବିକାର ବା ଜିନ୍‍ ଦୋଷରୁ ମଧ୍ୟ ହୋଇପାରେ। ଶିଶୁ ଅଧିକ ସମୟ ଏକୁଟିଆ ରହୁଥିଲେ ଏହି ସମସ୍ୟାର ଶିକାର ହୋଇପାରନ୍ତି। ଏଭଳି କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ କରି ଆବଶ୍ୟକୀୟ ଚିକିତ୍ସା କରାଇବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ। ମେଘା ସେକ୍ଟର ୮ଟି ପଞ୍ଚାୟତ ଅନ୍ତର୍ଗତ ୪୮ଟି ଗ୍ରାମରେ ସର୍ବେକ୍ଷଣ କରାଯାଇ ଏହିପରି ସ୍ପଷ୍ଟ ଉଚ୍ଚାରଣ କରିପାରୁନଥିବା ୬ଜଣ ଶିଶୁଙ୍କୁ ଚିହ୍ନଟ କରାଯାଇ କଟକ ଜିଲ୍ଲା ଡାକ୍ତରଖାନାକୁ ପ୍ରେରଣ କରାଇବାର ବ୍ୟବସ୍ଥା କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ପ୍ରଣିତା ବାରିକ, ଅମରେନ୍ଦ୍ର ପ୍ରଧାନ, ଅଙ୍ଗନବାଡି କର୍ମୀ ଲିପିକା ସାହୁ, ଆଶାକର୍ମୀ ହେମା ଶର୍ମା ଓ ଗାଁ କଲ୍ୟାଣ ସମିତିର ସଦସ୍ୟମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହିତ ଏକ ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ।

Comments are closed.