ଆଠଗଡରେ ୨୪ ଘଣ୍ଟିଆ ରାସ୍ତା ଆଲୋକ ସେବା କେତେଦିନ

ଆଠଗଡ: ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସହରର ୧୮ଟି ୱାର୍ଡ ସମେତ ସମସ୍ତ ମୁଖ୍ୟ ରାସ୍ତାରେ ୨୪ଘଣ୍ଟିଆ ରାସ୍ତା ଆଲୋକ ସେବା ଆଉ କେତେଦିନ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରୁଛନ୍ତି। ବିଗତ ୪ବର୍ଷ ପୂର୍ବରୁ ସହରର ସମସ୍ତ ଅଞ୍ଚଳରେ ପ୍ରାୟ ୨ହଜାର ଖୁଣ୍ଟରେ ଲାଗିଥିବା ଏଲଇଡି ରାସ୍ତା ଆଲୋକ ୨୪ଘଣ୍ଟା ଜଳିବା ଫଳରେ ଅଳ୍ପ ଦିନରେ ଖରାପ ହେଉଛି ଏବଂ ଅଯଥାରେ ବିଦ୍ୟୁତ୍‍ ଶକ୍ତି ଅପଚୟ ହେଉଛି। ଯେଉଁ ଠିକା ସଂସ୍ଥା ଏହି ରାସ୍ତା ଆଲୋକ ଲଗାଇବା ପାଇଁ କାର୍ଯ୍ୟାଦେଶ ପାଇଥିଲେ ସେମାନେ ପ୍ରତି ଖୁଣ୍ଟରେ ସ୍ୱୟଂଚାଳିତ ବ୍ୟବସ୍ଥା (ସେନ୍‍ସର) ଲଗାଇବା କଥା। ତେବେ ସେମାନେ କାମ ଅଧାରୁ ଛାଡି ଚାଲିଯିବା ଏବଂ ପରବର୍ତ୍ତୀ ସମୟରେ କାର୍ଯ୍ୟାଦେଶ ନେଇ ଲାଇଟ ଲଗାଇଥିବା ସଂସ୍ଥା ମଧ୍ୟ ଏହି ସେନସର ନ ଲଗାଇବା ଫଳରେ ଖୁଣ୍ଟଗୁଡିକରେ ଦିନ ରାତି ୨୪ଘଣ୍ଟା ଆଲୋକ ଜଳୁଛି। ଏବେ ବର୍ଷାଋତୁ ସମୟରେ ଆଠଗଡର ପ୍ରାୟ ୬୦ପ୍ରତିଶତରୁ ଅଧିକ ଖୁଣ୍ଟରେ ଲାଇଟ ଖରାପ ହୋଇ ଜଳୁନଥିଲା। ତେବେ ପୂଜା ପୂର୍ବରୁ ଏନଏସି କର୍ତ୍ତୃପକ୍ଷ ଅନ୍ୟଏକ ଠିକା ସଂସ୍ଥା ଜରିଆରେ ଆଲୋକ ଲଗାଇବା ବ୍ୟବସ୍ଥା କରିଥିଲେ ମଧ୍ୟ ଏବେବି ଅର୍ଦ୍ଧାଧିକ ଅଞ୍ଚଳର ଅନ୍ଦକାରମୟ ହୋଇ ରହିଛି।

ଦୁଃଖର ବିଷୟ ଏନଏସି କାର୍ଯ୍ୟାଳୟ ସନ୍ନିକଟ ଶିଶୁ ଉଦ୍ୟାନ କଡ ରାସ୍ତା ଯାହାକି ଉପଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟର ପଛପାଖରେ ରହିଛି ତାହା ସଂପୂର୍ଣ୍ଣ ଅନ୍ଦକାର ହୋଇ ରହିଥିଲେ ମଧ୍ୟ ଏନଏସି କର୍ତ୍ତୃପକ୍ଷଙ୍କ ଦୃଷ୍ଟିଗୋଚର ହେଉନାହିଁ। ସେହିପରି ଗୋପବନ୍ଧୁ ବିଜ୍ଞାନ କଲେଜକୁ ବ୍ଲକ କଲୋନୀ ନିକଟରୁ ଯାଇଥିବା ରାସ୍ତାରେ ସମସ୍ତ ଖୁଣ୍ଟର ଲାଇଟ ଖରାପ ହୋଇଯାଇଥିବାରୁ ସଂପୂର୍ଣ୍ଣ କଲେଜ ରାସ୍ତାଟି ଅନ୍ଦକାରମୟ ହୋଇ ରହିଛି। ସେଠାରେ ଅନ୍ଧକାର ରହୁଥିବାରୁ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଚାଲିବା ସହିତ ନିଶାଖୋରଙ୍କ ପାଇଁ ବେଶ୍‍ ସୁବିଧାଜନକ ହେଉଛି। ସେହି ରାସ୍ତାରେ ନିକଟବର୍ତ୍ତୀ ରାଜବାଟୀନଗର ବାସିନ୍ଦା ଓ କଲେଜ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଯିବାଆସିବା କରିବା ଲାଗି ଭୟ କରୁଛନ୍ତି। ଏ ସଂପର୍କରେ ସୋମବାର କେତେକ ପୁରାତନ ଛାତ୍ର ଏନଏସିର ପ୍ରଶାସକ ତଥା ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି କଲେଜ ରାସ୍ତାରେ ତୁରନ୍ତ ଆଲୋକ ଲଗାଇବା ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି। ଆଠଗଡ ସହରରେ ସମସ୍ତ ୱାର୍ଡ ଓ ମୁଖ୍ୟ ବଜାରଘାଟରେ ରାସ୍ତାଲୋକ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ସହ କିପରି କେବଳ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଆଲୋକ ଜଳିବ ସେଥିପାଇଁ ପଦକ୍ଷେପ ନେବାଲାଗି ଦାବି ହେଉଛି।

Comments are closed.