୬୪୦ଲିଟର ମଦ ସହ ବୋଲେରୋ ଓ ସ୍କୁଟି ଜବତ, ୩ ଗିରଫ

ଆଠଗଡ: ଅବକାରୀ ସ୍ୱତନ୍ତ୍ର ନିୟନ୍ତ୍ରଣ କକ୍ଷ ପରିଚାଳନାରେ ଆଠଗଡ ଅବକାରୀ ଓ କଟକ ୨ନଂ ଭ୍ରାମ୍ୟମାଣ ଅବକାରୀ ଦଳର ମିଳିତ ଚଢାଉ ଦ୍ୱାରା ଏକ ବୋଲେରୋ ଓ ଏକ ସ୍କୁଟିରେ ଚାଲାଣ ହେଉଥିବା ୬୪୦ଲିଟର ଦେଶୀମଦ ଜବତ କରାଯିବା ସହ ଏଥିରେ ସଂପୃକ୍ତ ୩ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ସ୍କାର୍ଡ ଆଠଗଡ ସହର ହେମମାଳପୁର ନିକଟରୁ ସନ୍ଦିଗ୍ଧ ଅବସ୍ଥାରେ ଦ୍ରୁତଗତିରେ ଯାଉଥିବା ଏକ ବୋଲେରୋକୁ ଅଟକାଇ ଯାଞ୍ଚ କରିବା ସମୟରେ ସେଥିରେ ଏକାଧିକ ରବର ବ୍ଲାଡରରେ ପ୍ରାୟ ୬୦୦ଲିଟର ଦେଶୀମଦ ଚାଲାଣ ହେଉଥିବା ଦେଖି ଜବତ କରିଥିଲେ।

ଗାଡିରେ ଥିବା ଖୁଣ୍ଟୁଣୀ ରମ୍ପେଇ ଗ୍ରାମର ସନ୍ତୋଷ କୁମାର ଦାସ ଓ ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଶଙ୍କରପୁରର ସମୀର ବେହେରାକୁ ଗିରଫ କରିଥିଲେ। ସେହିପରି ସଠିଲୋ ଗ୍ରାମ ନିକଟ ଏକ ପୋଲ ଉପରେ ଯାଉଥିବା ଗୋଟିଏ ସ୍କୁଟି ଅଟକାଇ ସେଥିରେ ଚାଳାଣ ହେଉଥିବା ୪୦ଲିଟର ଦେଶୀମଦ ସହ ସ୍କୁଟିଟିକୁ ଜବତ କରିବା ସଙ୍ଗେ ସଙ୍ଗେ ସ୍କୁଟି ଚାଳକ ଭଙ୍ଗାନାଳ ଗ୍ରାମର ଅକ୍ଷୟ କୁମାର ପ୍ରଧାନଙ୍କୁ ଗିରଫ କରିଥିଲେ। ଆଠଗଡ ଅବକାରୀ ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀ, ଭ୍ରାମ୍ୟମାଣ ଦଳର ନିରୀକ୍ଷକ ସଜିତ୍‍ ବାର୍ଲା, ନରସିଂହପୁର ଅବକାରୀ ଭାରପ୍ରାପ୍ତ ଅଧିକାରୀ ଦେବାନନ୍ଦ ଭୂୟାଁ ଓ ସିପାହୀ ଦୁଷ୍ମନ୍ତ ବସନ୍ତରା ପ୍ରମୁଖ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ।

Comments are closed.