ଯୋରନ୍ଦାରେ କାୟାକଳ୍ପ ଓ ସ୍ୱଚ୍ଛତା ପଖୱାଡା ଅଭିଯାନ

ଆଠଗଡ: ଆଠଗଡ ବ୍ଲକର ଯୋରନ୍ଦା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ଆନୁକୁଲ୍ୟରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କାୟାକଳ୍ପ ଓ ସ୍ୱଚ୍ଛତା ପଖୱାଡା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସଙ୍କ ପରାମର୍ଶକ୍ରମେ ଯୋରନ୍ଦା ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ଚିରନ୍ତନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡାକ୍ତରଖାନାର ସମସ୍ତ କର୍ମଚାରୀ ଯୋରନ୍ଦା ଉପକେନ୍ଦ୍ରର ଆଶାକର୍ମୀ, ଅଙ୍ଗନବାଡି କର୍ମୀ ଏବଂ ଯୋରନ୍ଦାର ଏମଏସଏସ ବିଦ୍ୟାପୀଠର ଶିକ୍ଷକ ସନ୍ତୋଷ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ଯୋଗଦାନ କରି ବ୍ୟାପକ ସଫେଇ ଅଭିଯାନରେ ସାମିଲ ହୋଇଥିଲେ।

ଏହି ଉପଲକ୍ଷେ ଆୟୋଜିତ ସଚେତନତା ସଭାରେ ଯୋଗଦେଇ ଡାକ୍ତର ମହାନ୍ତି ଓ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଏକ ସୁସ୍ଥ ଜୀବନ ପାଇଁ ପରିସ୍କାର ପରିଚ୍ଛନ୍ନତା ଓ ସ୍ୱଚ୍ଛତା ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ କାୟାକଳ୍ପ ଓ ସ୍ୱଚ୍ଛତା ପଖୱାଡା ଅନ୍ତର୍ଗତ ସ୍ୱାସ୍ଥ୍ୟ, ପରିବେଶ, ପରିମଳ, ଧ୍ୱନି ଓ ଶବ୍ଦ ପ୍ରଦୁଷଣ, ସ୍ୱଚ୍ଛ ପାନୀୟ ଜଳ, ଜଳ ସଂରକ୍ଷଣ, ବାହ୍ୟ ମଳମୁକ୍ତ ଓ ଶୌଚାଳୟର ଉପକାରିତା ସଂପର୍କରେ ବକ୍ତାମାନେ ବୁଝାଇବା ସହ ପରିବେଶର ସୁରକ୍ଷା ପାଇଁ ଚାରା ରୋପଣ ଓ ସବୁଜ ବଳୟ ସୃଷ୍ଟି କରିବା ଅନିବାର୍ଯ୍ୟ ବୋଲି ମତପ୍ରକାଶ କରିଥିଲେ। ଏହି ଅବସରରେ ଡାକ୍ତରଖାନା ଓ ବିଦ୍ୟାଳୟ ପରିସର ସଫେଇ କରାଯିବା ସହ ଖାଲଖମାକୁ ମାଟି ପକାଇ ପୋତା ଯାଇଥିଲା। ବିଦ୍ୟାଳୟର ପିଲାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସ୍ୱଚ୍ଛ ପରିବେଶ ଓ କାୟାକଳ୍ପ ସମ୍ବନ୍ଧୀୟ ଚିତ୍ରାଙ୍କନ, ତର୍କବିତର୍କ, ନୃତ୍ୟ, ସଂଗୀତ ଓ ପଥପ୍ରାନ୍ତ ନାଟକ ପରିବେଷଣ ଓ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଜନସଚେତନତା ସୃଷ୍ଟି ପାଇଁ ଏକ ଶୋଭାଯାତ୍ରା ଯୋରନ୍ଦା ଗ୍ରାମ ପରିକ୍ରମା କରିଥିଲା।

Comments are closed.