ଆଠଗଡରେ ଆଇନ ସଚେତନତା ଶିବିର-ଆଇନସେବାରୁ କେହି ବଞ୍ଚିତ ହେବେ ନାହିଁ

ରାଜନଗରରେ ବିଜେଡିର ସଫେଇ ଅଭିଯାନ, କାର ସହିତ ୨୧୦ଲିଟର ମଦ ଜବତ, ୧ ଗିରଫ

ଆଠଗଡ: ଆଠଗଡ ତାଲୁକ ଆଇନସେବା ସମିତି ଆନୁକୁଲ୍ୟରେ ଗାନ୍ଧୀ ଜୟନ୍ତୀ ଠାରୁ ସପ୍ତାହ ବ୍ୟାପୀ ଆଇନ ସଚେତନତା କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ମଙ୍ଗଳବାର ସମସରପୁର ପଞ୍ଚାୟତ ଅନ୍ତର୍ଗତ ଆଙ୍କୁଲାସ୍ଥିତ କଲ୍ୟାଣ ମଣ୍ଡପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଆଇନସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍‍ ଅରବିନ୍ଦ ପଟ୍ଟନାୟକ ଉଦ୍‍ଘାଟନ କରିବା ସହ ଏଥିରେ ଅଧ୍ୟକ୍ଷତା କରି କୌଣସି ବ୍ୟକ୍ତି ଯେପରି ଆଇନସେବାରୁ ବଞ୍ôଚତ ନହୁଅନ୍ତି ସେ ଦିଗରେ ଆଇନଜୀବୀ ଓ ସଚେତନ ନାଗରିକ ସହଯୋଗ କରିବା ଆବଶ୍ୟକ ବୋଲି କହିବା ସହ ଆଇନସେବା ସମିତିର ସହାୟତା ନେବା ଲାଗି ପରାମର୍ଶ ଦେଇଥିଲେ। ଏଥିରେ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟେଟ୍‍ ସୌମ୍ୟ ଶଙ୍କର ମହାନ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଇନସେବା ସମିତିର ଉଦ୍ଦେଶ୍ୟ, ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ ଅବତାରଣା କରିବା ସହ ବିଭିନ୍ନ ଆଇନ ସଂପର୍କରେ ତର୍ଜମା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ପ୍ରସନ୍ନ କୁମାର ରାଉତ, ଆଇନସେବା କେନ୍ଦ୍ର ସଭ୍ୟ ସୁବାସ ଚନ୍ଦ୍ର ସାହୁ, ଯଶୋବନ୍ତ ବାରିକ, ସରୋଜ କୁମାର ପଟ୍ଟନାୟକ, ସୁଧୀର ଚନ୍ଦ୍ର ଗଣ୍ଠିଆ ପ୍ରମୁଖ ଉଦ୍‍ବୋଧନ ଦେଇ ଆଇନର ବିଭିନ୍ନ ଦିଗ ବିଶେଷକରି ପାରିବାରିକ ହିଂସା, ଯୌତୁକ ନିରୋଧ ଆଇନ, ମହିଳା ନିର୍ଯ୍ୟାତନା ନିରୋଧ ଆଇନ, ସମ୍ପତ୍ତିଗତ ଅଧିକାର, ଶିଶୁ ସୁରକ୍ଷା ଓ ଶ୍ରମ ଆଇନ ସମ୍ପର୍କରେ ଆଲୋକପାତ କରିଥିଲେ। ଆଇନଜୀବୀ ପ୍ରତାପ ଚନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ସମସରପୁରର ପୂର୍ବତନ ସରପଞ୍ଚ ଅଜୟ କୁମାର ସ୍ୱାଇଁ ଓ ଆଇନସେବା ସମିତିର ସହାୟିକା ରାଜଶ୍ରୀ ମହଲା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ବିଜୁ ଜନତା ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀଠାର ଏକମାସ ବ୍ୟାପୀ ସମଗ୍ର ରାଜ୍ୟରେ ଚାଲିଥିବା ଶ୍ରମଦାନ, ରକ୍ତଦାନ ଓ ସଫେଇ ଅଭିଯାନର ଅଂଶବିଶେଷ ଭାବେ ଆଠଗଡ ବିଜେଡି ପକ୍ଷରୁ ମଙ୍ଗଳବାର ରାଜନଗର ଗ୍ରାମରେ ସଫେଇ ଅଭିଯାନ ଓ ସ୍ୱଚ୍ଛତା ସଂପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆଠଗଡ ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତଙ୍କ ନେତୃତ୍ୱରେ ଦଳୀୟ ନେତା ଓ ଶତାଧିକ କର୍ମୀ ରାଜନଗର ପଞ୍ଚାୟତରେ ଥିବା ବିଦ୍ୟାଳୟ, ମନ୍ଦିର ଓ ରାସ୍ତାଘାଟ ଆଦି ବ୍ୟାପକ ସଫେଇ କରିବା ସହିତ ବିଦ୍ୟାଳୟ ପରିସରରେ ଚାରା ରୋପଣ କରିଥିଲେ। ଏହି ଅବସରରେ ସଭାପତି ଶ୍ରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ପଥପ୍ରାନ୍ତ ସଭାରେ ଯୋଗଦେଇଥିବା ଦଳର ନେତାମାନେ ଏକ ସ୍ୱଚ୍ଛ ପରିବେଶ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ରାଜ୍ୟର ବିଜେଡି ସରକାର କାର୍ଯ୍ୟକାରୀ କରିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। କଟକ ଜିଲ୍ଲା ବିଜେଡି ଉପସଭାପତି ନୃସିଂହଚରଣ ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ, ପୂର୍ବତନ ସରପଞ୍ଚ ଅଶୋକ ରାଉତ, କଟକିଆସାହି ପଞ୍ଚାୟତର ଦଳୀୟ ସଭାପତି ଦେବରାଜ ପ୍ରଧାନ, ରାଜନଗର ସଭାପତି କ୍ଷୀରୋଦ ସାହୁ, ରାଜନଗର ସରପଞ୍ଚ ମହେନ୍ଦ୍ର ପରିଡା, ସମିତି ସଭ୍ୟ ବିବିନ୍ଦ୍ର ରଣା, ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି ପ୍ରମୁଖ ଉଦ୍‍ବୋଧନ ଦେଇଥିଲେ।

ଆଠଗଡ ବ୍ଲକର ୧୭ଟି ପଞ୍ଚାୟତର ୧୭ଟି ଗ୍ରାମରେ ମୃର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ ସଂପର୍କରେ କୃଷକମାନଙ୍କ ପାଇଁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କୃଷି ଅଧିକାରୀ ଜଗବନ୍ଧୁ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସଚେତନତା ଶିବିରରେ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର (ଆତ୍ମା)ର ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତ ମୁଖ୍ୟଅତିଥି ଓ ବିଧାୟକଙ୍କ କୃଷି ପ୍ରତିନିଧି ପ୍ରମୋଦ କୁମାର ସେଠୀ ସମ୍ମାନିତ ବକ୍ତାଭାବେ ଯୋଗଦେଇ ଉନ୍ନତ ପ୍ରଣାଳୀରେ ଚାଷ କରିବା ଏବଂ ମୃର୍ତ୍ତିକା ପରୀକ୍ଷା କରି ଆବଶ୍ୟକୀୟ ସାର, ଔଷଧ, ଜୈବିକ ସାର, କୀଟନାଶକ ପ୍ରୟୋଗ ଦ୍ୱାରା କୃଷକମାନେ ଅଧିକ ଉତ୍ପାଦନ କରି ପାରିବେ ବୋଲି ମତପ୍ରକାଶ କରିଥିଲେ। ଫସଲ ପାଇଁ ଖାଦ୍ୟସାରର ଆବଶ୍ୟକତା ଜୈବସାର ଓ ଜୈବିକ କୃଷି ଆଦି ବିଷୟରେ ଚାଷୀମାନେ ଜାଣିବା ଦରକାର ଏବଂ ନିଜ ଚାଷଜମିର ମୃତ୍ତିକା ପରୀକ୍ଷା କରି ଆବଶ୍ୟକୀୟ ଉପଚାର କରିବା ଉପରେ ଅତିଥି ଦ୍ୱୟ ଏବଂ କୃଷି ଅଧିକାରୀମାନେ ଗୁରୁତ୍ୱାରୋପ କରିଥିଲେ। ସହକାରୀ କୃଷି ଅଧିକାରୀ ସନାତନ ବେହେରା, ବ୍ଲକ ବୈଷୟିକ ପରିଚାଳକ ଅନିଲ କୁମାର ମହାପାତ୍ର, ମୃର୍ତ୍ତିକା ପରୀକ୍ଷାର ଉପକାର ଓ ଆବଶ୍ୟକତା ସଂପର୍କରେ ଚାଷୀମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଏଥିସହିତ ବିଭିନ୍ନ ଗ୍ରାମରେ କୃଷିକ୍ଷେତ୍ର ପରିଦର୍ଶନ କରି ମୃର୍ତ୍ତିକା ପରୀକ୍ଷାର ଉପକାରିତା ସଂପର୍କରେ ଚାଷୀମାନଙ୍କୁ ପ୍ରତ୍ୟକ୍ଷ ଭାବେ ବୁଝାଇଥିଲେ।

ଆଠଗଡ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ଆଠଗଡ-ତିଗିରଆ ମଧ୍ୟବର୍ତ୍ତୀ ଜେନାପଦା ଶାଳବଣି ନିକଟରୁ ଏକ ମାରୁତି କାର ସହିତ ୨୧୦ଲିଟର ଚୋରା ଦେଶୀମଦ ଜବତ କରିବା ସହ ଏଥିରେ ସଂପୃକ୍ତ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଅବକାରୀ ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀଙ୍କ ନେତୃତ୍ୱରେ ସହକାରୀ ନିରୀକ୍ଷକ ବିଜୟ କୁମାର ଭଞ୍ଜ, ନରସିଂହପୁର ଭାରପ୍ରାପ୍ତ ଅବକାରୀ ଅଧିକାରୀ ଦେବାନନ୍ଦ ଭୂୟାଁ ପ୍ରମୁଖଙ୍କ ସମେତ ଅନ୍ୟ ଅବକାରୀ କର୍ମଚାରୀ ଜେନାପଦା ନିକଟରେ ଜଗିରହିଥିବାବେଳେ ମାରୁତି କାରଟି ମଦଚାଲାଣ ବେଳେ ଧରାପଡିଥିଲା। ଗାଡି ଚଳାଉଥିବା ବଡମ୍ବା ଥାନା ଅନ୍ତର୍ଗତ ବେଲିଆପାଳ ଗ୍ରାମର ମନୋଜ ସାହୁ ଓରଫ ମୁନ୍ନାକୁ ଗିରଫ କରାଯାଇଥିବା ଅବକାରୀ ନିରୀକ୍ଷକ ଶ୍ରୀ ଚୌଧୁରୀଙ୍କ ସୁତ୍ରରୁ ପ୍ରକାଶ ଏହି ଚଢାଉରେ ଅବକାରୀ ଉପ ସହକାରୀ ନିରୀକ୍ଷକ ପଙ୍କଜ କଅଁର ଓ ସିପାହୀ ଦୁଷ୍ମନ୍ତ ବସନ୍ତରାଙ୍କ ସମେତ ଅନ୍ୟ କର୍ମଚାରୀ ଅଂଶଗ୍ରହଣ କରିଥିଲେ।

 

Comments are closed.