୧୬ ସ୍କୁଲର ନୂତନ କକ୍ଷ ଲାଗି ଶିଳାନ୍ୟାସ କଲେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ

ଆଠଗଡ: ଆଠଗଡ ବ୍ଲକର ୨ୟ ପର୍ଯ୍ୟାୟରେ ଗତ ବର୍ଷ ଫଣି ବାତ୍ୟାରେ କ୍ଷତିଗ୍ରସ୍ତ ୧୬ଟି ସ୍କୁଲର ନୂତନ କକ୍ଷ ନିର୍ମାଣ ଲାଗି ସରକାରଙ୍କ ପକ୍ଷରୁ ୧୦୮.୬୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଗତ ସପ୍ଟେମ୍ବର ମାସରେ ୧୭ଟି ସ୍କୁଲକୁ ଏହି ବାତ୍ୟା କ୍ଷତି ଜନିତ ସହାୟତା ପ୍ରଦାନ କରାଯାଇଥିଲା। ଶନିବାର ରାସରସିକପୁର ୟୁଜିୟୁପି ସ୍କୁଲ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫଣି ସହାୟତା ରାଶିରେ ନିର୍ମାଣ ହେବାକୁ ଥିବା ୧୬ଟି ସ୍କୁଲର ଶ୍ରେଣୀ କକ୍ଷର ଭିଡିଓ କନଫରେସିଂ ମାଧ୍ୟମରେ ଶିଳାନ୍ୟାସ କରିଥିଲେ।
ରାଜ୍ୟ ସରକାର ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ବିକାଶ, ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଏବଂ ଶୈକ୍ଷିକ ବାତାବରଣରେ ଉନ୍ନତି ଲାଗି ବହୁବିଧ ପଦକ୍ଷେପ ନେଉଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ଏହି ଅବସରରେ ଆଠଗଡ ବ୍ଲକର ମହାଲକ୍ଷ୍ମୀପୁର ପ୍ରକଳ୍ପ ଉପ୍ରା ସ୍କୁଲ, ରାସରସିକପୁର ୟୁଜିୟୁପି ସ୍କୁଲ, ବିଶ୍ୱେସ୍ୱର ପ୍ରୋଜେକ୍ଟ ହାଇସ୍କୁଲ, ତାଳବସ୍ତ ପ୍ରୋଜେକ୍ଟ ୟୁପି, ବ୍ରାହ୍ମଣବସ୍ତ ୟୁଜିୟୁପି କୋରଙ୍ଗା ୟୁପି ସ୍କୁଲ ଆଦି ୬ଟି ସ୍କୁଲକୁ ନୂତନ ଶ୍ରେଣୀ କକ୍ଷ ନିର୍ମାଣ ଲାଗି ୭ଲକ୍ଷ ଟଙ୍କା ଲେଖାଏଁ, ମଞ୍ଜାରୀପଦା ପ୍ରାଥମିକ ସ୍କୁଲ, ତଇଲାମାଳ ପ୍ରାଥମିକ ସ୍କୁଲ, ପିଠାଖିଆ ପ୍ରାଥମିକ ସ୍କୁଲ ଓ ରଘୁନାଥପୁର ପ୍ରାଥମିକ ସ୍କୁଲ ଆଦି ୪ଟି ସ୍କୁଲକୁ ୬.୬୦ଲକ୍ଷ ଟଙ୍କା ଲେଖାଏଁ, ସତ୍ୟନାରାୟଣପୁର ପ୍ରାଥମିକ ସ୍କୁଲ, ସଠିଲୋ-ବାସୁଦେବପୁର ୟୁଜିୟୁପି ସ୍କୁଲ, ଲଣ୍ଡାଇଲୋ ପ୍ରାଥମିକ ସ୍କୁଲ ଆଦି ୩ଟି ସ୍କୁଲକୁ ୬.୪୦ଲକ୍ଷ ଟଙ୍କା ଲେଖାଏଁ ଏବଂ ଏମଏସଏସ ବିଦ୍ୟାପୀଠ, ସର୍ପେଶ୍ୱର ବିଦ୍ୟାପୀଠ ଓ ଅନନ୍ତଦଳାଇ ସ୍ମୃତି ବିଦ୍ୟାପୀଠ ପ୍ରଭୃତି ୩ଟି ହାଇସ୍କୁଲକୁ ୬ଲକ୍ଷ ଟଙ୍କା ଲେଖାଏଁ ଫଣି ବାତ୍ୟା ସହାୟତା ବାବଦ ଅନୁଦାନ ରାଶି ପ୍ରଦାନ କରାଯାଇଥିବା ମନ୍ତ୍ରୀ ଶ୍ରୀ ସ୍ୱାଇଁ ଘୋଷଣା କରିଥିଲେ।
ବ୍ଲକ ଶିକ୍ଷାଧିକାରୀ ରୁଦ୍ରନାରାୟଣ ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୁନିଲ କୁମାର ପରିଡା, ସହକାରୀ ବ୍ଲକ ଶିକ୍ଷାଧିକାରୀ ବିଦ୍ୟାଧର ମହାପାତ୍ର, ତିଗିରିଆ ଏବିଇଓ ସନାତନ ଲେଙ୍କା ଓ ପ୍ରିୟ ରଞ୍ଜନ ହୋତା ପ୍ରମୁଖଙ୍କ ସମେତ ଅନୁଦାନ ରାଶି ପାଇଥିବା ସ୍କୁଲ ଗୁଡିକର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ସମଗ୍ର ଶିକ୍ଷା ବିଭାଗର କନିଷ୍ଠ ଯନ୍ତ୍ରୀ ବନୋଜ କୁମାର ବେଉରା, ଶିକ୍ଷକ ନୀଳମଣି ନାୟକ, କ୍ଷୀରୋଦ ଚନ୍ଦ୍ର ବେହେରା, ରାସରସିକପୁର ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ବୀଣାପାଣି ଶତପଥି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।