ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଏନଏସଏସ ଦିବସ

ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ରଙ୍କ ପୌରୋହିତ୍ୟ ଓ ଏନଏସଏସ କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ନିର୍ଯ୍ୟାସୀ ବଳବନ୍ତରାୟଙ୍କର ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷ ତଥା ଶିକ୍ଷାବିତ୍‍ ଶିଶିର କୁମାର ଉଦୟସିଂହ ଯୋଗଦେଇ ପ୍ରତ୍ୟେକ ଛାତ୍ରୀ ସ୍ୱେଚ୍ଛାକୃତ ଭାବେ ସମାଜସେବାକୁ ବ୍ରତଭାବେ ଗ୍ରହଣ କରି ଜନସେବାରେ ନିଜକୁ ଉତ୍ସର୍ଗ କରିବା ଲାଗି ପରାମର୍ଶ ଦେଇଥିଲେ। ଜାତୀୟ ସେବା ସଂସ୍ଥାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଶ୍ରୀ ଉଦୟସିଂହ ବର୍ଣ୍ଣନା କରିବା ସହ ଏହି ସଂସ୍ଥା ମାଧ୍ୟମରେ ଛାତ୍ରୀମାନଙ୍କ ମଧ୍ୟରେ ସେବା ମନୋଭାବ ଜାଗୃତ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଥିଲେ।

ଏଥିରେ ସମ୍ମାନିତ ଅତିଥି ଭାବେ ଯୁବ ସମାଜସେବୀ ଶିଶିର ପ୍ରସାଦ ମାନସିଂହ ଯୋଗଦେଇ ଏନଏସଏସ ଛାତ୍ରଛାତ୍ରୀଙ୍କ ପାଇଁ ସେବା କରିବାର ଏକ ଉତ୍ତମ ମାଧ୍ୟମ ବୋଲି ପ୍ରକାଶ କରିବା ସହ ନିଜ ଅଞ୍ଚଳରେ କିଛି ନା କିଛି ଜନସେବା କରିବା ପାଇଁ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। କଲେଜର ବରିଷ୍ଠ ଅଧ୍ୟାପିକା ସ୍ନେହଲତା ତ୍ରିପାଠୀ ଉଦ୍‍ବୋଧନ ଦେଇ ସେବା ହିଁ ଭାରତୀୟ ସଂସ୍କୃତିର ମୂଳମନ୍ତ୍ର ବୋଲି ପ୍ରକାଶ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.