ଆଶାକର୍ମୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବିଶେଷ ଆବଶ୍ୟକତା ଥିବା ଆଶାକର୍ମୀଙ୍କ ନିମନ୍ତେ ୪ଦିନିଆ ଏକ ସ୍ୱତନ୍ତ୍ର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସିଏଚସିରେ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କବିତାରାଣୀ ଦାସ ଓ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‍ ଅସ୍‍ଲମ୍‍ ପ୍ରଶିକ୍ଷକ ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଆଶା ମାନେ ମେରୁଦଣ୍ଡ ସଦୃଶ ଓ ଲୋକମାନଙ୍କ ପାଇଁ ସ୍ୱାସ୍ଥ୍ୟସେବାର ସେତୁ ସଦୃଶ ବୋଲି ମତବ୍ୟକ୍ତ କରିଥିଲେ। ସାମର୍ଥ୍ୟର ବିକାଶ ଏକ ନିରନ୍ତର ପ୍ରକ୍ରିୟା ଏବଂ ବିଶେଷ କରି ଯେଉଁ ଆଶା ମାନେ ସ୍ୱଳ୍ପ ସ୍ୱାକ୍ଷର ସେମାନଙ୍କ ପାଇଁ ନିରନ୍ତର ଶିକ୍ଷା, ମାର୍ଗଦର୍ଶନ ଓ ସୃଜନଶୀଳ ତାଲିମର ଆବଶ୍ୟକତା ରହିଛି।

 

ଏ ସବୁ ଦିଗକୁ ଆଖି ଆଗକୁ ରଖି ଜାତୀୟ ସ୍ୱାସ୍ଥ୍ୟମିଶନ ଦ୍ୱାରା ଆଶାମାନଙ୍କ ପାଇଁ ଏହିପରି ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ସେମାନେ କହିଥିଲେ। ଆଶାମାନେ ଗୋଷ୍ଠୀରେ ସାମ୍ନା କରୁଥିବା ଆହ୍ୱାନ ସମୂହ, ଆଶାଙ୍କ ଭୂମିକା ଓ କାର୍ଯ୍ୟାବଳୀ, କାର୍ଯ୍ୟ ସଂପାଦନ କ୍ଷେତ୍ରରେ ଆଶାଙ୍କ ପାଇଁ ଆବଶ୍ୟକୀୟ କୌଶଳ ଏବଂ ଗୁଣାତ୍ମକ ସେବା ବିଷୟରେ ୪ଦିନ ବ୍ୟାପି ତାଲିମ କାର୍ଯ୍ୟକ୍ରମ କରାଯାଇ ସେମାନଙ୍କର ଦକ୍ଷତା ବୃଦ୍ଧି କରାଯାଇଥିଲା। ଏଥିରେ ଭାଗନେଇଥିବା ୧୯ଜଣ ଆଶାଙ୍କୁ ସମର୍ଥ ଆଶା ରୂପେ ବିଶେଷ ତାଲିମ ଦିଆଯାଇଥିଲା। ଶିବିର ଉଦ୍‍ଯାପନୀ ଉତ୍ସବ ପରେ ଗ୍ରାମକୁ ଯାଇ ଆଶାମାନେ ଲୋକମାନଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗଇବା ସହ ସ୍ୱାସ୍ଥ୍ୟ ସଂପର୍କରେ ସଚେତନତା କରାଇବା ଲାଗି ଶପଥ ଗ୍ରହଣ କରିଥିଲେ।

Comments are closed.