ମେଘା ସେକ୍ଟରରେ ସ୍ୱଚ୍ଛବାୟୁ ଦିବସ ପାଳିତ

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ରାଜନଗର ପଞ୍ଚାୟତର ବନଖଣ୍ଡି ଗ୍ରାମରେ ନୀଳ ଆକାଶ ପାଇଁ ସ୍ୱଚ୍ଛ ବାୟୁ ଦିବସ ପାଳିତ ହୋଇଯାଇଛି। ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ଦାସଙ୍କ ପରାମର୍ଶକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‍ ଅସ୍‍ଲମ୍‍ ଏଥିରେ ସଂଯୋଜନା କରି ବାୟୁ ପ୍ରଦୁଷଣ ମନୁଷ୍ୟର ଜୀବନ ଶୈଳୀ ଓ ସ୍ୱାସ୍ଥ୍ୟ ଉପରେ ସୁଦୁରପ୍ରସାରୀ ପ୍ରଭାବ ପକାଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ବାୟୁ ପ୍ରଦୁଷଣ ଯୋଗୁଁ ମନୁଷ୍ୟଙ୍କ ପାଇଁ ସ୍ୱାସ୍ଥ୍ୟଗତ ସମସ୍ୟା ବିଶେଷକରି ଛିଙ୍କ ହେବା, ଅଣନିଶ୍ୱାସୀ ଲାଗିବା, ଆଖି, ନାକ, ଗଳାରେ କଷ୍ଟ ଅନୁଭବ କରିବା, କାଶ ହେବା, ଦେହ ହାତ କୁଣ୍ଡାଇ ହେବା ଓ ଶରୀର ଲାଲ୍‍, ନୀଳ, ଧୂସର ପଡିଯାଇଥାଏ। ଏଥି ସହିତ ବାୟୁ ପ୍ରଦୁଷଣର ଦୀର୍ଘସ୍ଥାୟୀ ପ୍ରଭାବ ଯୋଗୁଁ ମନୁଷ୍ୟ ଶରୀରରେ ସ୍ନାୟୁଗତ ଦୁର୍ବଳତା ହୃଦ୍‍ରୋଗ, ଶ୍ୱାସରୋଗ, କର୍କଟ ଓ ନିମୋକୋନିଓସିସ୍‍ ଆଦି ରୋଗରେ ଆକ୍ରାନ୍ତ ହେବା ସମ୍ଭାବନା ଦେଖାଯାଇଥାଏ।

ପ୍ରଦୁଷିତ ବାୟୁ କରୋନା ସଂକ୍ରମଣରେ ମଧ୍ୟ ସହାୟକ ହୋଇଥାଏ। ତେଣୁ ବାୟୁ ପ୍ରଦୁଷଣ ରୋକିବା ଲାଗି ଆବଶ୍ୟକ ନଥିଲେ ଯାନ ବ୍ୟବହାର ନକରିବା, ଅଯଥା ନିଆଁ ଲଗାଇ ଧୂଆ ସୃଷ୍ଟି ନକରିବା ଶକ୍ତିର ବିକଳ୍ପ ମାଧ୍ୟମ ଆପଣାଇବା, ଜଙ୍ଗଲରେ ନିଆଁ ନଲଗାଇବା ଆବଶ୍ୟକ ବୋଲି ଶ୍ରୀ ଅସ୍‍ଲମ୍‍ କହିଥିଲେ। ଏଥିସହିତ ପରିବେଶରେ ସ୍ୱଚ୍ଛତା ଏବଂ ସ୍ୱଚ୍ଛ ବାୟୁ ପାଇଁ ବ୍ୟାପକ ଚାରା ଲଗାଇବା ଓ ଜଙ୍ଗଲ ସୃଷ୍ଟି କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ କିଛି ଗଛ ଚାରା ଗାଁ କଲ୍ୟାଣ ସମିତିର ସଦସ୍ୟ ସେଠାରେ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱାସ୍ଥ୍ୟକର୍ମୀ ନମିତା ପ୍ରତାପ, ଅଙ୍ଗନବାଡି କର୍ମୀ ମଧୁସ୍ମିତା ପ୍ରଧାନ, ଆଶାକର୍ମୀ ଅମିତା ସାହୁ ଓ ଗାଁ କଲ୍ୟାଣ ସମିତିର ସଦସ୍ୟ ଯୋଗ ଦେଇଥିଲେ। ସର୍ବଶେଷରେ ଏକ ସଚେତନତା ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା।

Comments are closed.