ଆଠଗଡ ଉପଖଣ୍ଡ ଡାକ୍ତରଖାନା: ମିଳିଛି ଆଇଏସଓ ୯୦୦୧ ପ୍ରମାଣପତ୍ର, ମିଳୁନି ଉପଯୁକ୍ତ ଚିକିତ୍ସା ସୁବିଧା

ଆଠଗଡ: ଆଠଗଡ ଉପଖଣ୍ଡ ଡାକ୍ତରଖାନାକୁ ଉନ୍ନତ ଭିତ୍ତିଭୂମି ଓ ସ୍ୱାସ୍ଥ୍ୟସେବା ପାଇଁ ଆଇଏସଓ ୯୦୦୧ ପ୍ରମାଣପତ୍ର ମିଳିପାରିଛି। ଏଠାରେ ଭିତ୍ତିଭୂମିର ମଧ୍ୟ ବିକାଶ ହେଉଛି। ୨୩ତାରିଖରେ ୨କୋଟି ୧୮ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ନୂତନ ୫୦ଶଯ୍ୟା ବିଶିଷ୍ଟ ଆନ୍ତଃ ଚିକିତ୍ସା ଓ ବର୍ହି ଚିକିତ୍ସା ବିଭାଗର ଅଟାଳିକା ନିର୍ମାଣ ଲାଗି ଶିଳାନ୍ୟାସ ହୋଇଛି। ତେବେ ଏହି ଡାକ୍ତରଖାନାର ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ହୋଇଥିବା ଦେଖାଯାଉଛି। କଟକ ଜିଲାରେ ଏସସିବି ମେଡିକାଲ କଲେଜ ବାଦ୍ ଆଠଗଡ ଡାକ୍ତରଖାନା ବହୁ ଗୁରୁତ୍ୱ ବହନ କରୁଛିି। ଆଠଗଡ ଉପଖଣ୍ଡ ତଥା ସୀମାବର୍ତ୍ତୀ ଢେଙ୍କାନାଳ ସଦର ବ୍ଲକର ୮ଟି ପଞ୍ଚାୟତ ଓ ବାଙ୍କୀ ବ୍ଲକର ୬ଟି ପଞ୍ଚାୟତର ପ୍ରାୟ ୫ଲକ୍ଷରୁ ଉର୍ଦ୍ଧ ଲୋକ ଏହି ଡାକ୍ତରଖାନା ଉପରେ ନିର୍ଭରଶୀଳ ଥିବାବେଳେ ଡାକ୍ତର ଅଭାବ ଯୋଗୁଁ ଏଠାରେ ଉପଯୁକ୍ତ ଚିକିତ୍ସା ସେବା ମିଳିପାରୁନାହିଁ। ଅନ୍ୟ ଏକ ଦିଗକୁ ତର୍ଜମା କଲେ ଏଠାରେ କାର୍ଯ୍ୟରତ ଡାକ୍ତର ଏହି ଡାକ୍ତରଖାନା ଅପେକ୍ଷା ସେମାନଙ୍କର ଘରୋଇ ଚିକିତ୍ସାକୁ ଅଧିକ ଗୁରୁତ୍ୱ ଦେଉଥିବାରୁ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ଗରିବଗୁରୁବା ଲୋକେ। ଏଠାରେ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଅଧିକ୍ଷକଙ୍କୁ ମିଶାଇ ୨୩ ରହିଥିବାବେଳେ ଏବେ ମାତ୍ର ୧୦ଜଣ ଡାକ୍ତର ଏଠାରେ କାର୍ଯ୍ୟ କରୁଛନ୍ତି। ଫଳରେ ଲୋକମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ମିଳୁନାହିଁ। ଯେ କୌଣସି ଗୁରୁତର ରୋଗୀ ଡାକ୍ତରଖାନାରେ ପହଞ୍ôଚଲେ ତାଙ୍କୁ ପ୍ରାଥମିକ ଚିକିତ୍ସା କରିବା ମାତ୍ରେ କଟକ ରେଫର କରାଯାଉଛି। ଏଠାରେ ୨ଜଣ ସ୍ତ୍ରୀ ରୋଗ ବିଶେଷଜ୍ଞ ଥିଲେ ମଧ୍ୟ ସ୍ୱଭାବିକ ପ୍ରସବ ମଧ୍ୟ କରାଯାଇ ପାରୁନାହିଁ। ନିଶ୍ଚେତକ ବିଶେଷଜ୍ଞ ପଦବୀ ଖାଲିଥିବାରୁ ପ୍ରସୂତୀଙ୍କ ଅସ୍ତ୍ରୋପଚାର ପ୍ରସବ ଏହାରେ କରାଯାଇ ପାରୁନାହିଁ। ଏହି ଡାକ୍ତରଖାନାରେ ୧୨ଟି ବିଶେଷଜ୍ଞ ପଦବୀ ରହିଥିବାବେଳେ ଭେଷଜ ବିଶେଷଜ୍ଞ, ଶଲ୍ୟ ବିଶେଷଜ୍ଞ, ନିଦାନ ବିଶେଷଜ୍ଞ, ଅସ୍ଥି ଶଲ୍ୟ ବିଶେଷଜ୍ଞ, ଚକ୍ଷୁ ବିଶେଷଜ୍ଞ ପଦବୀ ସଂପୂର୍ଣ୍ଣ ଖାଲି ପଡିଛି। ସେହିପରି ୩ଟି ଶିଶୁରୋଗ ବିଶେଷଜ୍ଞ ପଦବୀ ରହିଥିବାବେଳେ ମାତ୍ର ଜଣେ ଏବେ କାର୍ଯ୍ୟରତ ଅଛନ୍ତି ଓ ୨ଟି ପଦବୀ ଖାଲି ରହିଛି। ସେହିପରି ୧୦ଜଣ ସାଧାରଣ ମେଡିକାଲ ଅଫିସର ଡାକ୍ତର ପଦବୀ ମଧ୍ୟରୁ ୪ଟି ପଦବୀ ଖାଲି ପଡିଛି।

 

ଦୁଃଖ ଓ ପରିତାପର ବିଷୟ ହେଲା ଆଠଗଡ ମୁଖ୍ୟ ଦପ୍ତରରେ ପ୍ରାୟ କୌଣସି ଡାକ୍ତର ରହୁନଥିବା ବେଳେ ସେମାନେ କଟକ, ଭୁବନେଶ୍ୱର ଓ ଢେଙ୍କାନାଳରୁ ଯିବା ଆସିବା କରିଥାନ୍ତି। ଅଧିକାଂଶ ଡାକ୍ତର ସପ୍ତାହର ୨-୩ ଦିନ ରହି ଏକ ସଙ୍ଗରେ ରାତିଦିନ କାମ କରି ବାକି ଦିନ ଅନ୍ୟସ୍ଥାନରେ ସେମାନେ ଘରୋଇ ଚିକିତ୍ସାରେ ବ୍ୟସ୍ତ ରହୁଥିବା ଅଭିଯୋଗ ହେଉଛି। ଶଲ୍ୟ ବିଶେଷଜ୍ଞ ଓ ଭେଷଜ ବିଶେଷଜ୍ଞ ପଦବୀ ଦୀର୍ଘଦିନରୁ ଖାଲି ପଡିଥିବାରୁ ଗୁରୁତର ରୋଗୀ, ବିଶେଷକରି ଦୁର୍ଘଟଣାରେ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ମିଳିପାରୁନାହିଁ। ଏହାଛଡା ଏଠାରେ ଶଲ୍ୟ ବିଶେଷଜ୍ଞ ପଦବୀ ବର୍ଷାଧିକ କାଳ ଖାଲି ରହିଥିବାରୁ କୌଣସି ଏପରିକି ଛୋଟମୋଟ ଅସ୍ତ୍ରୋପଚାର ମଧ୍ୟ କରାଯାଇପାରୁନାହିଁ। ସେହିପରି ପୂର୍ବରୁ ଏଠାରେ ବହୁ ରୋଗୀଙ୍କର ସଫଳତାର ସହ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହୋଇପାରୁଥିଲା। ତେବେ ଏଠାରେ ଥିବା ଚକ୍ଷୁ ବିଶେଷଜ୍ଞଙ୍କର ତିନିବର୍ଷ ପୂର୍ବରୁ ବଦଳି ହେବା ପରେ ତାଙ୍କ ସ୍ଥାନରେ କାହାକୁ ନିଯୁକ୍ତି ମିଳିନଥିବାରୁ ଚକ୍ଷୁ ଚିକିତ୍ସା ସେବା ବାଧାପ୍ରାପ୍ତ ହୋଇଛି। ଏବେ ଏହି ଡାକ୍ତରଖାନାକୁ ଆଇଏସଓ ୯୦୦୧ମାନ୍ୟତା ମିଳିଥିବାରୁ ଲୋକମାନଙ୍କର ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଯେଉଁ ଆଶା ଓ ଆକାଂକ୍ଷା ବଢିଛି ତାକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ବିଶେଷଜ୍ଞ ଡାକ୍ତର ପଦବୀ ଗୁଡିକ ପୂରଣ କରିବା ଦିଗରେ ସ୍ଥାନୀୟ ବିଧାୟକ ତଥା ବରିଷ୍ଠ ମନ୍ତ୍ରୀ ପଦକ୍ଷେପ ନେବା ପାଇଁ ଦାବୀ ହେଉଛି। ଏଥିସହିତ କାର୍ଯ୍ୟରତ ବିଶେଷଜ୍ଞ ଓ ଅନ୍ୟ ଡାକ୍ତରଙ୍କୁ ଉପଖଣ୍ଡ ମୁଖ୍ୟ ଦପ୍ତରରେ ରହି ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଜାରି କରାଯାଉବୋଲି ମଧ୍ୟ ଦାବି ହେଉଛି।

Comments are closed.