ଆଠଗଡ ବନଖଣ୍ଡର ଅଭିନବ ପ୍ରୟାସ: ଜଙ୍ଗଲରେ ହେବ ଘାସଚାଷ ଓ ଲାଗିବ ଫଳ ଚାରା, ହ୍ରାସ ପାଇବ ହାତୀ ଓ ମଣିଷର ଲଢେଇ

ଗୁରୁଡିଝାଟିଆ: ଆଠଗଡ ବନଖଣ୍ଡ ନେଇଛି ଏକ ଅଭିନବ ପଦକ୍ଷେପ। ଜଙ୍ଗଲରେ ବନ୍ୟପ୍ରାଣୀ ଓ ହାତୀମାନଙ୍କ ପ୍ରାକୃତିକ ବାସସ୍ଥାନକୁ ସୁରକ୍ଷିତ ଭାବରେ ଗଢିତୋଳିବା ପାଇଁ ସର୍ବୋପରି ପୂର୍ବସ୍ଥିତିକୁ ଫେରାଇ ଆଣିବା ନିମନ୍ତେ ଆଠଗଡ ବନଖଣ୍ଡ ପକ୍ଷରୁ ଜଙ୍ଗଲରେ ଚାଷ ହେବ ଘାସ ଓ ଲଗାଯିବ ଆମ୍ବ,ପଣସ ଓ କାଜୁ ଭଳି ଫଳର ଚାରା। ଯାହାକି ଆମ ରାଜ୍ୟରେ ପ୍ରଥମ। ଜଙ୍ଗଲରେ ଘାସ ଚାଷ ଓ ଫଳ ଚାରା ରୋପଣ ଦ୍ବାରା କିଛି ବର୍ଷ ପରେ ଜଙ୍ଗଲରେ ଘାସ ଓ ଗଛର ଅଭାବ ରହିବ ନାହିଁ। ଫଳରେ ହାତୀମାନେ ସେମାନଙ୍କ ଖାଦ୍ୟ ଜଙ୍ଗଲ ମଧ୍ୟରେ ହିଁ ପାଇପାରିବେ ଏବଂ ଜନବସତି ମୁହଁା ହେବେ ନାହିଁ। ଏହାଦ୍ବାରା ହାତୀ ମଣିଷ ଲଢ଼େଇ ହ୍ରାସ ପାଇବ ବୋଲି ଆଠଗଡ ବନଖଣ୍ଡ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି।


ଆଠଗଡ ବନଖଣ୍ଡ ଅଧିକାରୀ ସସ୍ମୀତା ଲେଙ୍କା କହିଛନ୍ତି ଯେ ଖୁଣ୍ଟଣୀ ବନାଞ୍ଚଳ ଅନ୍ତର୍ଗତ ସୁନାମୁହିଁ ଜଙ୍ଗଲରେ ପ୍ରାୟ ୨୦ ହେକ୍ଟର ସ୍ଥାନରେ ଲେବୁଲ ଗ୍ରାସ ଓ ଅନ୍ୟ ୫ ପ୍ରକାର ଘାସ ଚାଷ କରାଯିବ। ଏହା ସହିତ ବ୍ୟାପକ ପରିମାଣରେ ଆମ୍ବ , ପଣସ ଓ କାଜୁ ଚାରା ଲଗାଯିବ। ଏହାଦ୍ୱାରା ଜଙ୍ଗଲ ଭିତରେ ପ୍ରାକୃତିକ ବାସସ୍ଥାନ ସୃଷ୍ଟି ହୋଇପାରିବ । ଯାହାଫଳରେ କି ହାତୀ ଆମ୍ବ ପଣସ ଖାଇବା ସହିତ ଅଧିକ ଉଚ୍ଚକୁ ବଢୁଥିବା ଲେବୁଲ ଘାସକୁ ଖାଇ ହାତୀମାନେ ଜୀବନ ଧାରଣ କରିବେ। ଏହାଦ୍ୱାରା ହାତୀ ଓ ମଣିଷର ଲଢେଇ ଅନେକାଂଶରେ କମିଯାଇପାରିବ। ଏହାବ୍ୟତୀତ ଅନ୍ୟ ବନ୍ୟପ୍ରାଣୀମାନେ ମଧ୍ୟ ଘାସ , ଆମ୍ବ ଓ କାଜୁ ଆଦି ଖାଇପାରିବେ। ସୁନାମହିଁ ଜଙ୍ଗଲର ଖାଲିସ୍ଥାନମାନଙ୍କରେ ଘାସଚାଷ ସହିତ ବିଭିନ୍ନ ଫଳ ଗଛର ଚାରା ଲଗାଯିବ। ଏହାକୁ ବନଖଣ୍ଡ ଅଧିକାରୀ ସୁଶ୍ରୀ ଲେଙ୍କା ଅନୁଧ୍ୟାନ ମଧ୍ୟ କରିସାରିଛନ୍ତି। ଉଲ୍ଲେଖଯୋଗ୍ୟ ବମ୍ବୋବଲ ଜରିଆରେ ବାଉଁଶ ବଣ ସୃଷ୍ଟି କରିବା ଭଳି ଅଭିନବ ଉପାୟ ଅବଲମ୍ବନ କରି ଆଠଗଡ ବନଖଣ୍ଡ ବିଭିନ୍ନ ପରିବେଶବିତ୍ ଓ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି। ଗତ ୨ ବର୍ଷ ହେଲା ସ୍ୱଳ୍ପ ଖର୍ଚ୍ଚରେ ବନକର୍ମଚାରୀ ଓ ବିଭିନ୍ନ ବନ ସୁରକ୍ଷା କର୍ମଚାରୀମାନେ ମାଟିକୁ ଚକଟି ସେଥିରେ ଖତ ମିଶାଇ ସେଥିରେ ବାଉଁଶ ମଞ୍ଜି ପୁରାଇଜଙ୍ଗଲର ଖାଲିସ୍ଥାନରେ ଫୋପାଡିଛନ୍ତି, ଯାହା ଏବେ ଭଲ ଗଛ ହୋଇଛି। ଏବେ ପୁଣି ବନଖଣ୍ଡ ଅଧିକାରୀ ଙ୍କ ଅଭିନବ ପ୍ରୟାସ ଜଙ୍ଗଲରେ ଘାସଚାଷ ଓ ଫଳଗଛ ଆଦି ରୋପଣ କରିବା।

Comments are closed.