ଦୁଇ ଦିନରେ ଆଠଗଡରେ ୧୧୯ କରୋନା ଆକ୍ରାନ୍ତ

ଆଠଗଡ: ଆଠଗଡରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ। ଶୁକ୍ରବାର ଓ ଶନିବାର ଦୁଇ ଦିନରେ ଆଠଗଡ ଅଞ୍ଚଳରୁ ପୁଣି ୧୧୯ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ଚିନ୍ତାଜନକ ବିଷୟ। ଶୁକ୍ରବାର ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ୫୩ଜଣଙ୍କର ଆଣ୍ଟିଜେନ ପରୀକ୍ଷଣରୁ ୧୭ ଓ ଏଠାରୁ ଗତ ୨ ତାରିଖରେ ସଂଗୃହୀତ ୪୬ଜଣଙ୍କର ସ୍ୱାବ୍‍ ନମୁନାର ଆରଟିପିସିଆର ପରୀକ୍ଷାରୁ ୯ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବ୍ରହ୍ମପୁର ସିଏଚସିରେ ୫୩ଜଣଙ୍କର ଆଣ୍ଟିଜେନ ପରୀକ୍ଷଣରୁ ୧୬ଜଣ, ମୁଶୁଳିଆଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ଶିବିରରେ ୧୦୦ଜଣଙ୍କର ଆଣ୍ଟିଜେନ ପରୀକ୍ଷଣରୁ ୨୨ଜଣ ଏବଂ ବ୍ରହ୍ମପୁର ସିଏଚସିରେ ୪ତାରିଖ ଆରଟିପିସିଆର ପରୀକ୍ଷାରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏତଦ୍‍ବ୍ୟତୀତ ଖୁଣ୍ଟୁଣୀ ଡାକ୍ତରଖାନାରେ ୪୨ଜଣଙ୍କର ଆଣ୍ଟିଜେନ ପରୀକ୍ଷଣରୁ ୬ଜଣ ସଂକ୍ରମିତ ମଧ୍ୟ ଚିହ୍ନଟ ହୋଇଛନ୍ତି। ଆଠଗଡ ଡାକ୍ତରଖାନାରେ ୫୦, ବ୍ରହ୍ମପୁର ସିଏଚସିରେ ୧୮ ଓ ମୁଶୁଳିଆ ଶିବିରରୁ ୧୫୦ଜଣଙ୍କୁ ମିଶାଇ ମୋଟ ୨୧୮ଜଣଙ୍କର ସ୍ୱାବ୍‍ ନମୁନା ଆରଟିପିସଆର ପରୀକ୍ଷା ପାଇଁ କଟକ ପଠାଯାଇଥିବା ଜଣାପଡିଛି। ସେହିପରି ଶନିବାର ଆଣ୍ଟିଜେନ ପରୀକ୍ଷଣରୁ ଆଠଗଡ ଡାକ୍ତରଖାନାରେ ୪୪ ରୁ ୧୫ ଓ ବ୍ରହ୍ମପୁର ସିଏଚସିରେ ୯୯ ପରୀକ୍ଷଣରୁ ୨୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଡାକ୍ତରଖାନା ଓ ଅନ୍ୟ ଏକ ଶିବିରରୁ ଶନିବାର ୧୯୮ ଜଣଙ୍କର ସ୍ୱାବ୍‍ ନମୁନା ସଂଗ୍ରହ କରାଯାଇ ଆରଟିପିସିଆର ପରୀକ୍ଷା ପାଇଁ କଟକ ପଠାଯାଇଛି। ଏଥିସହିତ ବ୍ରହ୍ମପୁର ସିଏଚସି ପକ୍ଷରୁ ବେଣ୍ଟପଦାରେ ୨ଦିନ ପୂର୍ବରୁ କରାଯାଇଥିବା ଆରଟିପିସିଆର ପରୀକ୍ଷାରୁ ଆଉ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି।

Comments are closed.