ଅଗ୍ନିପଥ ଯୋଜନା ବିରୋଧରେ କଂଗ୍ରେସର ସତ୍ୟାଗ୍ରହ

ଆଠଗଡ଼ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କର ଭାରତୀୟ ସେନା ବାହିନୀରେ ଅଗ୍ନିପଥ ଯୋଜନାରେ ୪ବର୍ଷିୟା ଠିକା ନିଯୁକ୍ତି ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଆଠଗଡ଼ କଂଗ୍ରେସ ପକ୍ଷରୁ ସୋମବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ କରାଯାଇଥିଲା । ଭାରତୀୟ ଜାତୀୟ କଂଗ୍ରେସର ଆହ୍ୱାନକ୍ରମେ ଏହି ଅଗ୍ନିପଥ ଯୋଜନା ବିରୋଧରେ ସୋମବାର ଦେଶବ୍ୟାପୀ ସମସ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ଏହିପରି ସତ୍ୟାଗ୍ରହ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଉପରେ ଉକ୍ତ ନିଷ୍ପତ୍ତି ପ୍ରତ୍ୟାହାର ଉପରେ ଚାପ ସୃଷ୍ଟି କରାଯାଇଛି । ଏହି କ୍ରମରେ ଆଠଗଡ଼ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଓ ନେତା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ୩ଘଣ୍ଟା ଧରି ସତ୍ୟାଗ୍ରହ କରିଥିଲେ। ଏଥିରେ ଆୟୋଜିତ ପ୍ରତିବାଦ ସଭାପରେ ଉଦବୋଧନ ଦେଇ ପୂର୍ବତନ ବିଧାୟକ ଶ୍ରୀ ରଥ ଏନଡିଏ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ୨୦୧୪ରେ କ୍ଷମତାକୁ ଆସିବା ପୂର୍ବରୁ ନରେନ୍ଦ୍ର ମୋଦୀ ଦେଶର ବାର୍ଷିକ ୨କୋଟି ଯୁବକଯୁବତୀଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇ କ୍ଷମତାକୁ ଆସିବା ୮ବର୍ଷ ମଧ୍ୟରେ ଯୁବପୀଢ଼ିଙ୍କୁ ଚାକିରି ଦେବା ବଦଳରେ ପ୍ରତାରଣା କରିଛନ୍ତି ବୋଲି ଶ୍ରୀ ରଥ ଅଭିଯୋଗ କରିଥିଲେ। ଅପରପକ୍ଷେ ମୋଦୀ ସରକାର ସ୍ଥାୟୀ ଚାକିରି ଦେବା ପରିବର୍ତ୍ତେ ସେନା ବାହିନୀ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ୪ବର୍ଷିୟା ଠିକା ନିଯୁକ୍ତି ଦେଇ ଦେଶର ସୁରକ୍ଷା ଏବଂ ଦେଶର ଯୁବକ-ଯୁବତୀଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଉଛନ୍ତି ବୋଲି ଶ୍ରୀ ରଥ କ୍ଷୋଭ ପ୍ରକାଶ କରିଥିଲେ । ଏହି ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହରେ ଆଠଗଡ଼ ବ୍ଲକ କଂଗ୍ରେସ ସଭାପତି ସୁଦର୍ଶନ ସାହୁ, ତିଗିରିଆ ବ୍ଲକ ସଭାପତି ସୋମନାଥ ଦାସ, ଏନଏସି ସଭାପତି ସୋମନାଥ ଭକ୍ତା, ବରିଷ୍ଠ ମହେବୁବ ଅହେମ୍ମଦ ଖାଁ, ସଚ୍ଚିଦାନନ୍ଦ ପଣ୍ଡା, ସୁନିଲ ସୁତାର, ବାଞ୍ଚାନିଧି ଜେନା, ଶରତ କୁମାର ଦାଶ, ରବିନ୍ଦ୍ର ଗଣ୍ଠିଆ, ମନୋରଞ୍ଜନ ଦାଶ, ଅଶୋକ ପ୍ରଧାନ, ଯୁବ କଂଗ୍ରେସ ନେତା ମନୋରଞ୍ଜନ ପଟ୍ଟନାୟକ, ବିକ୍ରମ ରାୟସାମନ୍ତ, ପ୍ରଶାନ୍ତ ବେହେରା, ମାନସ ପଟ୍ଟନାୟକ, ମହିଳା କଂଗ୍ରେସ ନେତ୍ରୀ ବିଶାଖା ମହାନ୍ତି, ପାର୍ବତୀ ବେହେରା, ଅଶୋକ ପ୍ରଧାନ, ମିନିଷ୍ଟର ପ୍ରଧାନ, ପ୍ରତାପ ପରିଡ଼ା, ଅଶୋକ ତ୍ରିପାଠୀ, ରଜନୀ ଜେନାଙ୍କ ସମେତ ବହୁ କଂଗ୍ରେସ ନେତୃବର୍ଗ ଯୋଗଦେଇଥିଲେ।

Comments are closed.