MEllora 950×100

ମୃତ ବ୍ୟକ୍ତିଙ୍କ ନାମରେ ଆବାସ ଯୋଜନା !

ଜଣେ ମୃତକଙ୍କ ନାମରେ ତିନି ତିନି ଥର ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି ହଡ଼ପ

ଆଠଗଡ଼ : ଆଠଗଡ ବ୍ଲକର ଅନେକ ପଞ୍ଚାୟତ ଦୁର୍ନୀତିର ଗନ୍ତାଘର ସାଜିଛି। ଏପରିକି କୁମାରପୁର ପଞ୍ଚାୟତରେ ଦୁର୍ନୀତି ସବୁ ସୀମା ସହରଦ ଟପିଯାଇଛି ବୋଲି ଯୁବ ସଂଗଠକ ତଥା ଅବସରପ୍ରାପ୍ତ ସୈନିକ ଅଭୟ କୁମାର ବାରିକ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି। କେତେକ ଉଦାହରଣ ଦେଇ ସେ  କହିଛନ୍ତି ଯେ, ହିତାଧିକାରୀ ମଲେଣି ୨୦୧୪ ମସିହାରୁ, କିନ୍ତୁ ୨୦୧୬-୧୭ ଆର୍ଥିକ ବର୍ଷରେ ସେ ହେଉଛନ୍ତି ଆବାସ ଯୋଜନାରେ ହିତାଧିକାରୀ । ସେହିପରି ଜଣେ ମୃତ ବ୍ୟକ୍ତିଙ୍କ ନାମରେ ତିନି ତିନି ଥର ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ହଡ଼ପ ହୋଇଛି । ଏଭଳି କିଛି ଗୁରୁତର ଅଭିଯୋଗ ଆଣିଛନ୍ତି ଶ୍ରୀ ବାରିକ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଏହି ଭଳି ତଥ୍ୟ ଆଧାରରେ ସେ ଅଭିଯୋଗ କରିଛନ୍ତି। ଏବେ ଆଠଗଡ଼ରେ ଏହା ଚର୍ଚ୍ଚାର ବିଷୟ ହୋଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା ଗୋଟିଏ ପଞ୍ଚାୟତରେ ଏକ ନିର୍ଦ୍ଦିଷ୍ଟ ତାରିଖରେ ୪୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ନାମରେ ହରିଶ୍ଚନ୍ଦ୍ର ଯୋଜନାରେ ତିନି ତିନି ଥର ଅର୍ଥ ହଡପ ହୋଇଥିବା ଅଭିଯୋଗ ହୋଇଛି।

ମିଳିଥିବା ତଥ୍ୟ ଅନୁସାରେ ଆଠଗଡ଼ ବ୍ଲକ କୁମାରପୁର ପଞ୍ଚାୟତ କଣ୍ଟାଣିଆ ଗ୍ରାମର ଅନି ଦେହୁରୀଙ୍କ ମୃତ୍ୟୁ ୨୦୧୭ରେ ହୋଇଥିଲା। ତାଙ୍କ ନାମରେ ୨୦୧୭, ୨୦୧୮, ଏବଂ ୨୦୧୯ ଆର୍ଥିକ ବର୍ଷରେ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ଉଠା ଯାଇଛି । ସେହିପରି କୁମାର ପୁର ଗ୍ରାମର ଅଇଁଠା ଦେହୁରୀ, ଵଳିପୁର ଗ୍ରାମର ବଦନୀ ସାମଲ, ଏବଂ କୁମାରପୁର ଗ୍ରାମର ଭାବି ମଲ୍ଲିକ ୨୦୧୭ ମସିହାରେ ମୃତ୍ୟୁ ବରଣ କରିଥିବା ବେଳେ ସେମାନଙ୍କ ନାମରେ ହରିଶ୍ଚନ୍ଦ୍ର ଯୋଜନାରେ ୨୦୧୭, ୨୦୧୮, ଏବଂ ୨୦୧୯ ମସିହାରେ ଅର୍ଥ ହଡପ ହୋଇଛି । ଅନ୍ୟ ପକ୍ଷରେ ୧୦୧୮ ମସିହାରେ ମୃତ୍ୟୁ ବରଣ କରିଥିବା ଓସ୍ତପୁର ଗ୍ରାମର ଧର୍ମାନନ୍ଦ ଖିଲାର ଏବଂ ନକୁଳି ରାଉତ, କଣ୍ଟାଣିଆର ଦୁତୀ ଦେହୁରୀ, କୁମାରପୁରର ଫୁଲ ସାମଲ ଏବଂ ଜୟାନନ୍ଦ ପ୍ରଧାନ, ଦମ୍ପତିପୁରର ଘାସିରାମ ଚାତାର, ବଳିପୁର ଗ୍ରାମର ଜୟନ୍ତୀ ପ୍ରଧାନଙ୍କ ନାମରେ ୨୦୧୮, ୨୦୧୯ ଏବଂ ୨୦୨୦ ମସିହାରେ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ରାଶି ହଡ଼ପ ହୋଇଛି ବୋଲି ଅଭିଯୋଗ ହୋଇଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଞ୍ଚେଶ୍ଵର ପଞ୍ଚାୟତରେ ମୃତ ବ୍ୟକ୍ତିଙ୍କ ନାମରେ ଆବାସ ଯୋଜନାରେ ଅର୍ଥ ତୋଷାରପାତ ହୋଇଥିବା ଅଭିଯୋଗ ହୋଇଛି। ସେହି ପଞ୍ଚାୟତର ଲିଙ୍ଗାପଦା ଗ୍ରାମର କମଳା ସାହୁ ଗତ ୨୦୧୪ରୁ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ନାମ ରେ ୨୦୧୬-୧୭ ଆର୍ଥିକ ବର୍ଷରେ ଆବାସ ଯୋଜନାରେ ୧,୨୦,୦୦୦ ଟଙ୍କା ଉଠାଣ ହୋଇଥିବା ଜଣାପଡିଛି। କମଳା ସାହୁଙ୍କ ସ୍ଵାମୀଙ୍କ ନାମ ଗୋବିନ୍ଦ ସାହୁ ହୋଇଥିବା ବେଳେ ଆବାସ ଯୋଜନାରେ କମଳାଙ୍କ ସ୍ଵାମୀଙ୍କ ନାମ ବଦଳରେ ପିତାଙ୍କ ନାମ ଫଗୁ ଦାସ ଦର୍ଶାଇ ବିନା ଘରରେ ଏହି ଅର୍ଥ ହଡପ ହୋଇଥିବା ତାଙ୍କ ପୁଅ ନିରାକାର ସାହୁ ଅଭିଯୋଗ କରିଛନ୍ତି। ସେହିପରି ସେହି ଗ୍ରାମର କେଶବ ବେହେରାଙ୍କ ପୁଅ ଶ୍ରୀକାନ୍ତ ବେହେରାଙ୍କ ନାମରେ ହୋଇଥିବା ଆବାସ ଯୋଜନାରେ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି। ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ତାଙ୍କ ନାମରେ ଆବାସ ଯୋଜନାରେ ୫୦,୦୦୦ ଟଙ୍କା ଉଠାଣ ହୋଇଥିବା ସୂଚନା ଅଧିକାର ଆଇନ ବଳରେ ସୂଚନା ମିଳିଛି । ଘରର ପ୍ଲିନ୍ଥ ପତନ ପର୍ଯ୍ୟନ୍ତ ଏହି ଅର୍ଥ ଦିଆ ଯାଇଛି ବୋଲି ତଥ୍ୟ କହୁଥିଲା ବେଳେ ବାସ୍ତବରେ ସେ ୨୦,୦୦୦ ଟଙ୍କା ପାଇଥିବା ଜଣାପଡିଛି। ସମୟ ଅନୁସାରେ ସେ ଘର ତିଆରି କରି ପାରି ନ ଥିବାରୁ ତାଙ୍କୁ ୨୦,୦୦୦ ଟଙ୍କା ଫେରସ୍ତ କରିବାକୁ ନୋଟିସ ଦିଆଯାଇଥିବା ଜଣାପଡିଛି। ସେହିପରି ଗତ ୨୩-୪-୧୮ ତାରିଖରେ କୁମାରପୁର ପଞ୍ଚାୟତରେ ୪୫ ଜଣଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ତୋଷରପାତ ହୋଇଥିବା ଶ୍ରୀ ବାରିକ ଅଭିଯୋଗ କରିଥିଲେ। ଏ ବାବଦରେ ଆଠଗଡ଼ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ବୁଧବାର ଏକ ଦାବିପତ୍ର ପ୍ରଦାନ କରିବା ସହିତ ଆଗାମୀ ୧୫ ଦିନ ମଧ୍ୟରେ ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ନ ଗଲେ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି ବୋଲି ଶ୍ରୀ ବାରିକ ସୂଚନା ଦେଇଥିଲେ। ବୁଧବାର ତାଙ୍କ ରଥଗଡାସ୍ଥିତ କାର୍ୟ୍ୟାଳୟରେ ଆୟୋଜିତ ଏହି ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ବାରିକ ଏହା ଉପରେ ମତ ରଖିବା ସହ ଏହା ଆଠଗଡ଼ ବ୍ଲକ ଅଞ୍ଚଳରେ ଦୁର୍ନୀତିର କିଛି ନମୁନା ମାତ୍ର ଏବଂ ଆଗକୁ ବହୁ ଅଧିକ ଦୁର୍ନୀତିର ଫର୍ଦ୍ଦ ଲୋକଲୋଚନକୁ ଅଣାଯିବ ବୋଲି ସେ କହିଥିଲେ।

Comments are closed.