ମେଘା ସେକ୍ଟରରେ ସ୍କୁଲ ଓ ଅଙ୍ଗନବାଡି ପରିଚ୍ଛନ୍ନତା ଦିବସ

ଆଠଗଡ: ଆଠଗଡ ବ୍ଲକର ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟର ଅନ୍ତର୍ଗତ ସମୂହ ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ‘ବିଶ୍ୱାସ’ ୧୧ମାସିକ କାର୍ଯ୍ୟକ୍ରମର ଏକ ଅଂଶ ବିଶେଷ ଭାବେ ଶୁକ୍ରବାର ସ୍କୁଲ ଓ ଅଙ୍ଗନବାଡି ପରିଚ୍ଛନ୍ନତା ଦିବସ ପାଳିତ ହୋଇଯାଇଛି। ଅନନ୍ତପୁର ଅଙ୍ଗନବାଡି କେନ୍ଦ୍ରଠାରେ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‍ ଅସ୍‍ଲମ୍‍ଙ୍କ ସଂଯୋଜନାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ସରପଞ୍ଚ ଶୈଳବାଳା ସେଠୀ, ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ବଟକିଶୋର ସେଠୀ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀପ୍ରିୟା ବେହେରା, ଅଙ୍ଗନବାଡି ସୁପରଭାଇଜର ଶାନ୍ତିଲତା ଶତପଥି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦ୍‍ବୋଧନ ଦେଇଥିଲେ। ପିଲାମାନଙ୍କ ସର୍ବାଙ୍ଗିନ ସୁସ୍ଥତା, ସାମଗ୍ରିକ ସୁରକ୍ଷା ଓ ଉତ୍ତମ କାର୍ଯ୍ୟ ଦକ୍ଷତା ପାଇଁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରଗୁଡିକରେ ପରିଚ୍ଛନ୍ନତା ରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଅକାମି ହୋଇପଡ଼ିଥିବା ଶୈାଚାଳୟ, ଅନୁପଯୁକ୍ତ ହାତଧୁଆ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନଥିବା, ଖାଦ୍ୟ ପ୍ରସ୍ତୁତି ସ୍ଥାନର ଅସ୍ୱାସ୍ଥ୍ୟକର ପରିବେଶକୁ ସଜାଡିବା ଏବେ ଏକ ଆହ୍ୱାନ ହୋଇଛି। ଏ ସବୁ ଦିଗରେ ସରକାରଙ୍କର ଧ୍ୟାନ ଆକର୍ଷଣ କରାଯିବା ସହ ବ୍ୟବସ୍ଥାର ଉନ୍ନତି ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ଅସଲମ ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଲା ପରିଚ୍ଛନ୍ନତା ସଂପର୍କରେ ପିଲାମାନଙ୍କୁ ବୁଝାଇବା ଏବଂ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରଗୁଡିକରେ ଆନୁସଙ୍ଗିକ ବ୍ୟବସ୍ଥା ଉପଲବ୍ଧ କରାଇବା ବୋଲି ପ୍ରକାଶ କରିଥିଲେ। ପିଲାମାନେ ଏକ ସ୍ୱାସ୍ଥ୍ୟକର ତଥା ପରିଚ୍ଛନ୍ନ ବାତାବରଣରେ ଶିକ୍ଷାଲାଭ କରିବା ଦ୍ୱାରା ନିଜର ସ୍ୱାସ୍ଥ୍ୟ ସୁରକ୍ଷିତ ରଖିପାରିବେ ଏବଂ ଏ ବିଷୟରେ ଶିକ୍ଷକ ଓ ଅଭିଭାବକ ମାନଙ୍କର ମଧ୍ୟ ଗୁରୁଦାୟିତ୍ୱ ରହିଛି ବୋଲି ମତପ୍ରକାଶ ପାଇଥିଲା। କୋଭିଡ ମହାମାରୀ ଯୋଗୁଁ ସ୍କୁଲକୁ ପିଲାମାନଙ୍କ ପରିବର୍ତ୍ତେ ସେମାନଙ୍କ ଅଭିଭାବକମାନଙ୍କୁ ଡକାଯାଇ ଏହି କାର୍ଯ୍ୟକ୍ରମରେ ସାମିଲ କରି ସଚେତନ କରାଯାଇଥିଲା। ପ୍ରତି ଗ୍ରାମର ଗାଁ କଲ୍ୟାଣ ସମିତିର ସଦସ୍ୟ ନିୟମିତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ସ୍ୱାସ୍ଥ୍ୟ, ପରିମଳ ଓ ପରିବେଶ ଦିଗରେ ଉନ୍ନତି ଆଣିବା ପାଇଁ ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ସଚେତନ କରିବା ଲାଗି ମତପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ ମଞ୍ଜୁଲତା ସାହୁ, ଗଙ୍ଗା ରାଉତ, ସ୍ୱର୍ଣ୍ଣଲତା ସାହୁ, ଆଶାକର୍ମୀ ସୁଷମା ଦାସ, ମହାସଂଘର ସଭାନେତ୍ରୀ ଶୈଳବାଳା ଦାସ, ସ୍ୱାସ୍ଥ୍ୟକର୍ମୀ ପ୍ରଣିତା ବାରିକ ଓ ଅମରେନ୍ଦ୍ର ପ୍ରଧାନଙ୍କ ସମେତ ଗାଁ କଲ୍ୟାଣ ସମିତିର ସଭ୍ୟ/ସଭ୍ୟା ଯୋଗଦେଇ ଏହା ପରିଚାଳନାରେ ସହଯୋଗ କରିଥିଲେ।

Comments are closed.