କୂଅ ଓଝାଳିବା ବେଳେ ୨ ଗୁରୁତର; ଉଦ୍ଧାର କଲା ଅଗ୍ନିଶମ ବିଭାଗ

ଆଠଗଡ / ଗୁରୁଡିଝାଟିଆ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଧାକୃଷ୍ଣପୁର ପଞ୍ଚାୟତ ଅଧିନ ବିଲୁଆଗଡ ଗ୍ରାମରେ ଜଣେ ବ୍ୟକ୍ତିଙ୍କ କୂଅ ଓଝାଳିବା ପାଇଁ କୂଅଭିତରେ ପଶିଥିବା ୨ଜଣ ବ୍ୟକ୍ତି ଗୁରୁତର ହୋଇପଡିବାରୁ ସେମାନଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି । ବିଲୁଆଗଡର ହୁରିଆ ବେହେରାଙ୍କ ପୁଅ ବିପିନି ବେହେରା (୪୦) ପ୍ରଥମେ ଉକ୍ତ କୂଅ ମଧ୍ୟକୁ ପସିବା ପରେ କୌଣସି ବିଶାକ୍ତ ଗ୍ୟାସ ପ୍ରଭାବରେ ଅଚେତ ହୋଇପଡିଥିଲେ ।

ତାଙ୍କୁ ଉଦ୍ଧାର କରିବା ପାଇଁ ବିଜୟ ପୃଷ୍ଟି ନାମକ ଅନ୍ୟଜଣେ ବ୍ୟକ୍ତି କୂଅ ମଧ୍ୟକୁ ପସିବା ପରେ ସେ ମଧ୍ୟ ଅନୁରୁପ ଭାବେ ବିଶାକ୍ତ ଗ୍ୟାସ ପ୍ରଭାବରେ ଛଟପଟ ହୋଇଥିଲେ । ସ୍ଥାନୀୟ ଲୋକ ଏହା ଦେଖି ଆଠଗଡ ଦମକଳ ବାହିନୀକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ତତ୍‍କ୍ଷଣାତ ସେଠାକୁ ଯାଇ କୂଅ ମଧ୍ୟରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା । ମୁଖ୍ୟଆଗ୍ନିକ ଅନିଲ କୁମାର ବେହେରାଙ୍କ ନେତୃତ୍ୱରେ ଯାଇଥିବା ଆଗ୍ନିକଙ୍କ ମଧ୍ୟରୁ ସୁଧିର କୁମାର ସାହୁ ନିଜ ଜୀବନକୁ ବାଜି ଲଗାଇ ଉକ୍ତ କୂଅ ମଧ୍ୟକୁ ପ୍ରବେଶ କରି ଦୁଇଜଣଙ୍କୁ ଦୁଇଥରରେ ଉଦ୍ଧାର କରି ଉପରକୁ ଆଣିଥିଲେ ।

ସଂପୃକ୍ତ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଜରୁରୀକାଳୀନ ଚିକିତ୍ସାସେବା ଯୋଗାଇଦେବା ପରେ ବିପିନି ଓ ବିଜୟ ଏବେ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ଆଗ୍ନିକ କ୍ରିପାଲ ରାଉଳ, ସିପୁନ କୁମାର ସେଣ୍ଢ, ଶୁଶାନ୍ତ କୁମାର ରାଉତ ଓ ଧୀରଜ ବିଧାର ପ୍ରମୁଖ ଏହି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ ।

Comments are closed.