ଶ୍ରୀ ଜଗନ୍ନାଥ ରାମଲୀଳା ନାଟ୍ୟସଂଘର ସୁବର୍ଣ୍ଣ ଜୟନ୍ତୀ

ଆଠଗଡ: ଆଠଗଡର ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳୀ ଜଗନ୍ନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ମଙ୍ଗଳବାର ରାତିରେ ଶ୍ରୀ ଜଗନ୍ନାଥ ରାମଲୀଳା ନାଟ୍ୟ ସଂଘର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦ୍‍ଘାଟିତ ହୋଇଯାଇଛି । ଅନୁଷ୍ଠାନର ସ୍ଥାୟୀ ସଭାପତି ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟବକ୍ତା ଭାବେ ଯୋଗଦେଇ ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ଉଦ୍‍ଘାଟନ କରିଥିଲେ । କାର୍ଯ୍ୟକାରୀ ସଭାପତି ରୁଦ୍ରଚରଣ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଉଦ୍‍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଠଗଡ ଗଡଜାତର କଳା, ଲୋକକଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟ ଅତି ମହାନ ବୋଲି ମତବ୍ୟକ୍ତ କରିଥିଲେ । ଏହି କଳା, ସଂସ୍କୃତି, ପରମ୍ପରା ଓ ଲୋକକଳାକୁ ଆମ ଉତ୍ତରପିଢିଙ୍କ ପାଇଁ ଉଜ୍ଜୀବିତ ରଖିବାଲାଗି ଶ୍ରୀ ଜଗନ୍ନାଥ ରାମଲୀଳା ନାଟ୍ୟସଂଘ ସମେତ ଆହୁରି ଅନେକ ପୁରାତନ ଅନୁଷ୍ଠାନ ଯେଉଁଭଳି ପ୍ରୟାସ କରୁଛନ୍ତି ତାହା ଅତ୍ୟନ୍ତ ପ୍ରଂଶସନୀୟ ବୋଲି ସେ ମତବ୍ୟକ୍ତ କରିଥିଲେ ।

ମୁଖ୍ୟବକ୍ତା ସାଂସଦ ଶ୍ରୀ ମହତାବ ଶ୍ରୀ ଜଗନ୍ନାଥ ରାମଲୀଳା ନାଟ୍ୟସଂଘର ଏହି ଦୀର୍ଘ ୫୦ବର୍ଷର ଯାତ୍ରା କିଛି କମ୍‍ କଥା ନୁହେଁ ଏବଂ ବହୁ ଝଡଝଞ୍ଜା ଓ ଘାତ ପ୍ରତିଘାତକୁ ସାମନା କରି ସଂଘ ନିରବଚ୍ଛିନ୍ନ ଭାବେ ଏହି ଲୋକକଳାକୁ ବଞ୍ଚାଇ ରଖିଥିବାରୁ ସେମାନେ ଧନ୍ୟବାଦର ପାତ୍ର ବୋଲି ପ୍ରକାଶ କରିଥିଲେ । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମ ସର୍ବଧର୍ମର ପ୍ରତୀକ ବୋଲି ଶ୍ରୀ ମହତାବ ପ୍ରକାଶ କରିବା ସହ ବିଦେଶରେ ବିଶେଷ କରି ଇଣ୍ଡୋନେସିଆରେ ମୁସଲମାନ ଏବଂ ମରିସସ୍‍ରେ ଭାରତୀୟ ବଂଶୋଦ୍ଭବ କିପରି ପ୍ରତିଦିନ ରାମଲୀଳା ପରିବେଷଣ କରନ୍ତି ସେ ସଂପର୍କରେ ଆଲୋକପାତ କରିଥିଲେ । ସଂଘର ସଭ୍ୟ ପାର୍ଥସାରଥି ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ସଂଜୟ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରଞ୍ଜନ କୁମାର ଜେନା  ସଂପାଦକୀୟ ବିବରଣୀ ପାଠ କରିଥିଲେ । ପ୍ରାରମ୍ଭରେ ସୁନାମଧନ୍ୟ ଗୀତିକାର ରାଧାନାଥ ଦାସଙ୍କ ରଚିତ ଜଗନ୍ନାଥ ଜଣାଣକୁ ସଂଗୀତଜ୍ଞ ଗୁରୁଦତ୍ତ ନାୟକଙ୍କ ନିର୍ଦ୍ଦେଶନାରେ ବିପ୍ଲବ ଦାସ ଓ ସାଥୀମାନେ ଗାନ କରିଥିଲେ ।

ଜଗନ୍ନାଥ ରାମଲୀଳା ନାଟ୍ୟସଂଘ ସହିତ ଜଡିତ ଥିବା ପରଲୋକଗତ କିଛି ବ୍ୟକ୍ତିବିଶେଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ପୂର୍ବତନ ସଭାପତି ସ୍ୱର୍ଗତ ପ୍ରମଥଚନ୍ଦ୍ର ମିଶ୍ରଙ୍କ ସହଧର୍ମିଣୀ ସଂଯୁକ୍ତା ମିଶ୍ର ଏବଂ ସଂପାଦକ ସ୍ୱର୍ଗତ କେଶବାନନ୍ଦ ମହାନ୍ତିଙ୍କ ସହଧର୍ମିଣୀ କଳ୍ପନା ସୁନ୍ଦରୀ ମହାନ୍ତିଙ୍କୁ ଅତିଥି ଦ୍ୱୟ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥି ସହିତ ବହୁ ପୁରାତନ କଳାକାର ଏବଂ ରାମଲୀଳା ନାଟ୍ୟସଂଘର ସଦସ୍ୟଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା । ଜଗନ୍ନାଥ ରାମଲୀଲା ନାଟ୍ୟସଂଘର ୨୧ଦିନ ଧରି ଚାଲିବାକୁ ଥିବା ରାମଲୀଳା ଗୀତିନାଟ୍ୟ ଅବସରରେ ୪ଟି ପର୍ଯ୍ୟୟରେ ଏହି ସୁବର୍ଣ୍ଣ ଜୟନ୍ତି ଉତ୍ସବ ପାଳନ କରାଯାଉଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ନବ ନିର୍ବାଚିତ ଏନଏସି ନଗରପାଳ ସସ୍ମିତା ରାଉତ, ଉପନଗରପାଳ ବି ଶୁଭ୍ରଶଙ୍କର ଜ୍ୟୋତିଙ୍କ ସମେତ ବହୁ ପାରିଷଦ ଏବଂ ଆଠଗଡର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ ।

Comments are closed.