ମେଘା ସ୍ୱାସ୍ଥ୍ୟ ସେକ୍ଟରରେ ପ୍ଲାଜମାଦାନ ପାଇଁ ସଚେତନତା

ଆଠଗଡ : ଆଠଗଡ ବ୍ଲକର ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରରେ କରୋନା ରୋଗୀଙ୍କ ଜୀବନ ରକ୍ଷା ଲାଗି ପ୍ଲାଜମା ଦାନ ପାଇଁ ବ୍ୟାପକ ସଚେତନତା କରାଯାଇଛି। ବେଣ୍ଟପଦାଠାରେ ସ୍ୱାବ୍‍ ସଂଗ୍ରହ ଶିବିର ଅବସରରେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‍ ଅସ୍‍ଲମ୍‍ଙ୍‍କ ସଂଯୋଜନାରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ବ୍ରହ୍ମପୁର ସିଏଚସିର ଡାକ୍ତର ଦିଲ୍ଲୀପ କୁମାର ଦାସ ଯୋଗଦେଇ ପ୍ଲାଜମା ଦାନର ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ। କରୋନାର ସଫଳ ଚିକିତ୍ସା ବା ଟୀକା ଉଦ୍ଭାବନ ହୋଇନଥିବାରୁ ଏବଂ ପ୍ଲାଜମା ଚିକିତ୍ସା ଦ୍ୱାରା ଗୁରୁତର କରୋନା ରୋଗୀଙ୍କ ଜୀବନ ରକ୍ଷା କରାଯାଇ ପାରୁଥିବାରୁ ପ୍ଲାଜମା ଦାନ ଏବେ ଜରୁରୀ ହୋଇପଡିଛି ବୋଲି ମତ ପ୍ରକାଶ କରିଥିଲେ।

ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହେବାର ୨୮ଦିନ ପରେ ପ୍ଲାଜମା ଦାନ କରି ପାରିବେ ଏବଂ ତାଙ୍କଠାରୁ ଯେତିକି ପ୍ଲାଜମା ଗ୍ରହଣ କରାଯିବ ସେଥିରେ ୨ଜଣ ଗୁରୁତର କରୋନା ଆକ୍ରାନ୍ତ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିପାରିବେ ବୋଲି ଡାକ୍ତର ଦାସ ପ୍ରକାଶ କରିଥିଲେ। ଓଡିଶାରେ ଏବେ ଲକ୍ଷାଧିକ ଲୋକ କରୋନା ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୮୦ହଜାର ସୁସ୍ଥ ହେଲେଣି। ସେମାନଙ୍କ ମଧ୍ୟରୁ ସୁସ୍ଥ ଶବଳ ବ୍ୟକ୍ତି ପ୍ଲାଜମା ଦାନ କରି ପାରିବେ। ପ୍ଲାଜମା ଦାନ ସଂପୂର୍ଣ୍ଣ ନିରାପଦ ଏବଂ କରୋନାରୁ ସୁସ୍ଥ ହୋଇ ପ୍ଲାଜମା ଦାନ କରି ଅନ୍ୟ ଗୁରୁତରଙ୍କ ଜୀବନ ବଞ୍ଚାଉଥିବା ବ୍ୟକ୍ତି ହିଁ ସର୍ବଶ୍ରେଷ୍ଠ କରୋନା ଯୋଦ୍ଧା ବୋଲି ଡାକ୍ତର ଦାସ ମତବ୍ୟକ୍ତ କରିଥିଲେ। ଏଥିରେ ଅତିଥି ଭାବେ ବେଣ୍ଟପଦା ସରପଞ୍ଚ କନକଲତା ସାହୁ, କାଶିନାଥ ରଣା, ଆରବିଏସକେ ଡାକ୍ତର ଦୀପକ ରାଜ, ବ୍ଲକ କାର୍ଯ୍ୟକ୍ରମ ସଂଯୋଜିକା ପୁଷ୍ପମିତ୍ରା ଦାସ ପ୍ରମୁଖ ଯୋଗଦେଇ ପ୍ଲାଜମା ଦାନ କରୋନା ରୋଗୀଙ୍କୁ ଜୀବନ ଦାନ ସହିତ ସମାନ ବୋଲି କହିବା ସହ ସ୍ୱଇଚ୍ଛାରେ ପ୍ଲାଜମା ଦାନ କରିବା ପାଇଁ ସୁସ୍ଥ ହୋଇଥିବା କରୋନା ରୋଗୀମାନେ ଆଗେଇ ଆସିବା ପାଇଁ ଆହ୍ୱାନ ଜଣାଇଥିଲେ। ଏହି ସେକ୍ଟର ଅନ୍ତର୍ଗତ କଟକିଆସାହି ଗ୍ରାମର ବ୍ରହ୍ମାନନ୍ଦ ସାହୁ ନାମକ ଯୁବକ ପ୍ଲାଜମା ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ସ୍ୱାସ୍ଥ୍ୟ ପରିଦର୍ଶକ ଶ୍ରୀ ଅସ୍‍ଲମ୍‍ ପ୍ରକାଶ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.