ମହିଳା କୃଷି ଶ୍ରମିକଙ୍କୁ ଜରି ପଖିଆ ପ୍ରଦାନ

ଆଠଗଡ : ଆଠଗଡ ଅଞ୍ଚଳର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଆଠଗଡ ବ୍ଲକର କରିକୋଲ ଗ୍ରାମରେ ଚାଷଜମିରେ କାର୍ଯ୍ୟରତ ମହିଳା କୃଷି ଶ୍ରମିକ ଓ କୃଷକଙ୍କୁ ଜରି ପଖିଆ ପ୍ରଦାନ କରାଯାଇଛି। ବିକାଶ ମଞ୍ଚର ପ୍ରତିଷ୍ଠାତା ସଭାପତି ତଥା ସମାଜସେବୀ ମାନସ ରଞ୍ଜନ ବସ୍ତିଆ ରବିବାର କରିକୋଲ ଗ୍ରାମକୁ ଯାଇ ଖରାରେ ଚାଷଜମିରେ କାର୍ଯ୍ୟରତ ବହୁ ମହିଳା କୃଷି ଶ୍ରମିକଙ୍କୁ ଜରି ତିଆରି ପଖିଆ ପ୍ରଦାନ କରିଥିଲେ। ଚାଷଜମିରେ ଧାନତଳି ମାରୁଥିବା କୃଷି ଶ୍ରମିକମାନେ ଏହି ଜରି ପଖିଆ ଦ୍ୱାରା ଖରା ଓ ବର୍ଷା ଦାଉରୁ ନିଜକୁ ରକ୍ଷା କରିପାରିବେ ବୋଲି ଶ୍ରୀ ବସ୍ତିଆ ସେମାନଙ୍କୁ ବୁଝାଇଥିଲେ। ପୂର୍ବରୁ କୃଷି ଶ୍ରମିକମାନେ ତାଳବରଡା ଓ ବେତପତ୍ରରେ ତିଆରି ପଖିଆ ଓ ବାଉଁଶ ତିଆରି ଝାମ୍ପି ବ୍ୟବହାର କରୁଥିବା ବେଳେ ସେ ସବୁ ଏବେ ସହଜରେ ଓ ସ୍ୱଳ୍ପ ମୂଲ୍ୟରେ ଉପଲବ୍ଧ ହେଉନାହିଁ। ତେଣୁ ଗରିବ ଶ୍ରେଣୀର କୃଷି ଶ୍ରମିକ ବର୍ଷାରେ ଭିଜି ଓ ଟାଣ ଖରାରେ କଷ୍ଟପାଇ ଚାଷଜମିରେ କାର୍ଯ୍ୟ କରୁଥିବା ଦେଖି ବିକାଶ ମଞ୍ଚ ପକ୍ଷରୁ ସେମାନଙ୍କୁ ଏହି ଜରି ପଖିଆ ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଶ୍ରୀ ବସ୍ତିଆ କହିଥିଲେ। ଗତ ମାର୍ଚ୍ଚମାସରୁ କୋଭିଡ ୧୯ ସଂକ୍ରମଣ ରୋକିବା ଲାଗି ଘୋଷିତ ଦୀର୍ଘ ମାମ ଧରି ଲକ୍‍ଡାଉନ ଯୋଗୁଁ ଗରିବ ଲୋକେ ନାହିଁ ନଥିବା ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି। ଏହି ସମୟରେ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ନିରବଚ୍ଛିନ୍ନ ଭାବେ ଗରିବଗୁରୁବାଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ଓ ଔଷଧ ଆଦି ବିତରଣ କରାଯାଇଥିଲା।

Comments are closed.