ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ, ଆଶାୟୀ ପ୍ରାର୍ଥୀ ଚଳଚଞ୍ଚଳ

ଆଠଗଡ: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣା ହେବା ସହ ମଙ୍ଗଳବାରଠାରୁ ଫେବୃଆରୀ ୨୮ତାରିଖ ପର୍ୟ୍ୟନ୍ତ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି । ରାଜ୍ୟ ନିର୍ବାଚନ କମିଶନ କରୋନା ସଂକ୍ରମଣର ତୃତୀୟ ପର୍ୟ୍ୟାୟ ହୁ ହୁ ହୋଇ ବଢୁଥିବାରୁ ନିର୍ବାଚନ ପ୍ରଚାର ଓ ଭୋଟ ଗ୍ରହଣ ସମୟରେ ବିଭିନ୍ନ କଟକଣା ଜାରି କରିଛନ୍ତି । ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିବା ପରେ ଏବଂ ପୂର୍ବରୁ ଆଠଗଡରେ ବିଭିନ୍ନ ପଦପଦବୀ ଲାଗି ଆଶାୟୀ ପାର୍ଥୀ ଚଳଚଞ୍ଚଳ ହୋଇପଡିଛନ୍ତି । ସବୁ ରାଜନୈତିକ ଦଳ ବିଶେଷ କରି ଶାସକ ବିଜେଡି ଏବଂ ବିରୋଧୀ ବିଜେପି ଓ କଂଗ୍ରେସ ଦଳର ଆଶାୟୀ ପ୍ରାର୍ଥୀ ଦଳୀୟ ସମର୍ଥନ ଓ ଟିକେଟ ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଦେଲେଣି । ଆଠଗଡ ପଞ୍ଚାୟତ ସମିତି କଟକ ଜିଲ୍ଲାରେ ବେଶ ଗୁରୁତ୍ୱ ବହନ କରୁଥିବାବେଳେ, ଏଠାରେ ୩୪ଟି ପଞ୍ଚାୟତ ଏବଂ ୩ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ମୋଟ ୧୧୩୩୭୭ ଭୋଟର ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ଏଠାରେ ଚଳିତ ନିର୍ବାଚନରେ ଅଧ୍ୟକ୍ଷ ପଦଟି ଅସଂରକ୍ଷିତ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ଦଳୀୟ ଚିହ୍ନଟରେ ନିର୍ବାଚନ ଲଢିବାକୁ ଥିବାବେଳେ ଆଠଗଡର ୩ଟି ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବ । ବଡଭୂଇଁ, ଜେନାପଦା, ଇଚ୍ଛାପୁର, ଖୁଣ୍ଟକଟା, ସମସରପୁର, ସଠିଲୋ, ଦୋରଡ, କୁଲାଇଲୋ, ଜୋରନ୍ଦା ଓ ତରଡିଙ୍ଗ ପଞ୍ଚାୟତକୁ ନେଇ ୧ନଂ ଜୋନ ହୋଇଥିବାବେଳେ ଏହା ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଛଅଗାଁ, ଗୋବରା, ଗୁରୁଡିଝାଟିଆ, ଓରନ୍ଦା, କୁଶପଙ୍ଗୀ, କୁମାରପୁର, ରାଧାକିଶୋରପୁର, ଖୁଣ୍ଟୁଣୀ, କଣ୍ଡରେଇ, ରାଧାକୃଷ୍ଣପୁର, ଡାଳଭାଗ ଓ ଭୋଗରାକୁ ନେଇ ୨ନଂ ଜୋନ୍ଟି ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ। ସେହପିର ଧାଇପୁର, ରାଧାଗୋବିନ୍ଦପୁର, କନ୍ଦରପୁର, ରାଜନଗର, ବେଣ୍ଟପଦା, ମେଘା, ଅନନ୍ତପୁର, ଧୁରୁସିଆ, କଟକିଆସାହି, ମଞ୍ଚେଶ୍ୱର, ଘଣ୍ଟିଖାଲ ଓ ମହାକାଳବସ୍ତ ପଞ୍ଚାୟତଗୁଡିକୁ ନେଇ ୩ନଂ ଜୋନ୍ ଟି ଅଣସଂରକ୍ଷିତ ରହିଛି । ସେହିପରି ୩୪ଟି ପଞ୍ଚାୟତରେ ୩୪ସରପଞ୍ଚ, ୩୪ସମିତି ସଭ୍ୟ ଓ ୪୮୬ ୱାର୍ଡ ସଭ୍ୟ ପଦବୀ ଲାଗି ନିର୍ବାଚନ ହେବ।

୩୪ଟି ସରପଞ୍ଚ ପଦବୀରୁ ୫ଟି ଅନୁସୂଚିତ ଜାତି ଓ ୨୯ଟି ଅସଂରକ୍ଷିତ ରହିଥିବାବେଳେ ୩୪ ପଞ୍ଚାୟତରୁ ୧୮ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ୩୪ଟି ସମିତି ସଭ୍ୟ ପଦବୀରୁ ୨୫ଟି ଅସଂରକ୍ଷିତ, ୩ଟି ଅନୁସୂଚିତ ଜାତି ଓ ୨ଟି ଆସନ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଥିବାବେଳେ ମୋଟ ୩୪ ମଧ୍ୟରୁ ୧୭ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ଏଠାରେ ଶାସକ ବିଜେଡିର ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ ପଞ୍ଚାୟତ ସମିତିିି ଅଧ୍ୟକ୍ଷ ପଦବୀରେ ମଧ୍ୟ ଶାସକ ଦଳର ସମର୍ଥିତ ପ୍ରାର୍ଥୀ ଅଧିଷ୍ଠିତ ହୋଇଥିଲେ। ସେହିପରି ୩ଟି ଯାକ ଜିଲ୍ଲା ପରିଷଦ ଜୋନରେ ଶାସକ ବିଜେଡି ଦଳର ପ୍ରାର୍ଥୀ ବିଜୟୀ ହୋଇଥିଲେ। ତେବେ ଚଳିତ ନିର୍ବାଚନରେ ଶାସକ ବିଜେଡିକୁ ବିରୋଧି ଭାରତୀୟ ଜନତା ପାର୍ଥୀ କଡା ଟକ୍କର ଦେବ ବୋଲି ଆଶା କରାଯାଉଛି। ଆସନ୍ତା ଫେବୃଆରୀ ୧୬ରୁ ୨୪ ମଧ୍ୟରେ ୫ଟି ପର୍ୟ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଟିତ ହେବାକୁ ଥିବାବେଳେ ଫେବୃଆରୀ ୨୪ ରୁ ୨୮ ୩ଦିନ ମଧ୍ୟରେ ବ୍ଲକ ମୁଖ୍ୟାଳୟରେ ଭୋଟ ଗଣତି ହେବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ଘୋଷଣାରୁ ଜଣାପଡିଛି।

Comments are closed.