କରୋନାରେ ଫଟୋଗ୍ରାଫର ଜିତେନ୍ଦ୍ର ଗଡନାୟକଙ୍କ ପରଲୋକ

ଆଠଗଡ: ଆଠଗଡ ଅଞ୍ଚଳର ସବୁଠାରୁ ବୟୋଜ୍ୟେଷ୍ଠ ଫଟୋଗ୍ରାଫର ତଥା ସମାଜସେବୀ ଜିତେନ୍ଦ୍ର କୁମାର ଗଡନାୟକ(୭୯)ଙ୍କର କରୋନା ଆକ୍ରାନ୍ତ ହେବା ପରେ କଟକରେ ଚିକିତ୍ସାଧିନ ଅବସ୍ଥାରେ ଶନିବାର ସକାଳେ ପରଲୋକ ହୋଇଯାଇଛି। ଗତ ପ୍ରାୟ ୧୦ଦିନ ପୂର୍ବରୁ ଶ୍ରୀ ଗଡନାୟକ କରୋନା ଆକ୍ରାନ୍ତ ଥିବା ଜଣାପଡିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଜଟିଳତା ଦେଖାଦେଇଥିଲା। ତାଙ୍କୁ କଟକସ୍ଥିତ ସୃଷ୍ଟି ସ୍ୱତନ୍ତ୍ର କୋଭିଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବାବେଳେ ଶନିବାର ସକାଳ ପ୍ରାୟ ୮ଟା ବେଳେ ତାଙ୍କର ପରଲୋକ ଘଟିଥିଲା।

‘ବାବୁନା’ ଭାବେ ଅଞ୍ଚଳରେ ପରିଚିତ ଶ୍ରୀ ଗଡନାୟକ ପ୍ରାୟ ୬୦ବର୍ଷ ଧରି ଆଠଗଡ ସହରରେ ଫଟୋଗ୍ରାଫର ଭାବେ ବ୍ୟକ୍ତିଗତ, ଆନୁଷ୍ଠାନିକ ଏବଂ ସାମାଜିକ କାର୍ଯ୍ୟକ୍ରମରେ ଫଠୋ ଉଠାଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ସହିତ ଜଡିତ ରହି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ସେ ନିଜକୁ ସଂଶ୍ଲିଷ୍ଟ କରିଥିଲେ। ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ମାତ୍ରେ ଆଠଗଡ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି ତଥା ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ଶ୍ରୀ ଗଡନାୟକଙ୍କ ପରଲୋକ ଖବର ଶୁଣି ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ। ବରିଷ୍ଠ କଂଗ୍ରେସ ନେତା ତଥା ଶ୍ରୀ ଗଡନାୟକଙ୍କ ଜ୍ୱାଇଁ ଅକ୍ଷୟ କୁମାର ତୁଙ୍ଗ ସାମନ୍ତ ଏବଂ ଏକମାତ୍ର ପୁତ୍ର ଜ୍ୟୋତିପ୍ରକାଶ କଟକ ସତିଚଉରା ଶ୍ମଶାନରେ ତାଙ୍କ ଅନ୍ତେଷ୍ଟି କ୍ରିୟା ସମୟରେ ଉପସ୍ଥିତ ଥିଲେ।

Comments are closed.