ବ୍ୟବସାୟୀ ସଂଘର ବଡ ପଦକ୍ଷେପ; କରୋନା ସଂକ୍ରମଣ ରୋକିବାକୁ ଆଠଗଡରେ ସଟ୍‍ଡାଉନ ଓ ଲକଡାଉନ ନିଷ୍ପତ୍ତି

ଆଠଗଡ : ଆଠଗଡ ଅଞ୍ଚଳରେ ଏବେ କରୋନା ସଂକ୍ରମଣ ଦିନକୁ ଦିନ ବେକାବୁ ହୋଇଥିବା ବେଳେ ପ୍ରତିଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିଚାଲିବା ଚିନ୍ତାର ବିଷୟ ହୋଇଛି। ଆଠଗଡ ସହର ତଥା ଗ୍ରାମାଞ୍ଚଳରେ କରୋନା ସଂକ୍ରମଣର ଏହି ସଂଗୀନ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ପ୍ରଶାସନ କୌଣସି ଆଖିଦୃଷ୍ଟିଆ ପଦକ୍ଷପ ନେଇପାରୁନଥିବା ବେଳେ ଆଠଗଡ ବ୍ୟବସାୟୀ ସଂଘ ଗୁଡିକ କିନ୍ତୁ ମିଳିତ ଭାବେ କରୋନା ସଂକ୍ରମଣ ରୋକିବାକୁ ରବିବାର ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଆଠଗଡର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମୁନଷ୍ଟାର ସଭାପତି ଓ କର୍ମକର୍ତ୍ତା ଆଠଗଡରେ କରୋନା ସଂକ୍ରମଣରେ ରୋକ ଲଗାଇବାକୁ ସମସ୍ତ ବଜାର କମିଟିର କର୍ମକର୍ତ୍ତାଙ୍କର ସହଯୋଗ କାମନା କରି ରବିବାର ଏକ ବୈଠକ ଆହ୍ୱାନ କରିଥିଲେ। ଏଥିରେ ଯୋଗଦେଇଥିବା ଦୁର୍ଗାବଜାର ଜଗନ୍ନାଥ ବଜାର, ରଘୁନାଥ ବଜାର, ଲକ୍ଷ୍ମୀବଜାର, ଚାନ୍ଦବାଲିଛକ ବଜାର, ବୀରକିଶୋରପୁର ବ୍ୟବସାୟୀ ସଂଘ ଓ କନ୍ତୋଲ ବ୍ୟବସାୟୀ ସଂଘର କର୍ମକର୍ତ୍ତାମାନେ ପ୍ରଥମେ ଜୀବନ ଓ ପରେ ଜୀବିକା ଦରକାର ବୋଲି ମତପ୍ରକାଶ କରିଥିଲେ। ଏଥିପାଇଁ ଆଠଗଡରେ ମିଳିତ ବ୍ୟବସାୟୀ ସଂଘ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ସହରର ସମସ୍ତ ଦୋକାନ ବଜାର, ବ୍ୟବସାୟୀକ ପ୍ରତିଷ୍ଠାନ ଆସନ୍ତା ସେପ୍ଟେମ୍ବର ୨୯ (ମଙ୍ଗଳବାର) ଓ ୩୦ତାରିଖ (ବୁଧବାର) ଦୁଇଦିନ ଅର୍ଥାତ ୪୮ଘଣ୍ଟା ସଂପୂର୍ଣ୍ଣ ବନ୍ଦ ରହିବ। ଏଥି ସହିତ ଆସନ୍ତା ଅକ୍ଟୋବର ୧ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ସହରକୁ ଆଂଶିକ ଲକଡାଉନ ଅର୍ଥାତ ସକାଳ ୭ଟାରୁ ଦିନ ୨ଟା ଦୋକାନ ବଜାର ବ୍ୟବସାୟୀକ ପ୍ରତିଷ୍ଠାନ ଖୋଲା ରହିବ ଏବଂ ବାକି ସମୟ ସଂପୂର୍ଣ୍ଣ ବନ୍ଦ ରଖିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା। ସୋମବାର ସକାଳେ ମୁନଷ୍ଟାର କ୍ଲବର ସଭାପତି ଜ୍ଞାନରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତ ବଜାର କମିଟିର ସଭାପତି, ସଂପାଦକ ଓ କର୍ମକର୍ତ୍ତାଙ୍କର ଏକ ପ୍ରତିନିଧି ଦଳ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କୁ ଭେଟି ଏକ ସ୍ମାରକପତ୍ର ମାଧ୍ୟମରେ ମିଳିତ ବ୍ୟବସାୟୀ ସଂଘର କରୋନା ସଂକ୍ରମଣ ରୋକିବାକୁ ନିଆଯାଇଥିବା ୪୮ଘଣ୍ଟା ସଟ୍‍ଡାଉନ ଓ ୧୫ଦିନିଆ ଆଂଶିକ ଲକ୍‍ଡାଉନ ନିଷ୍ପତ୍ତି ସଂପର୍କରେ ଅବଗତ କରାଯାଇଥିଲା। ଉପଜିଲ୍ଲାପାଳ ଶ୍ରୀ ମହାନ୍ତି ମିଳିତ ବ୍ୟବସାୟୀ ସଂଘ ଓ ମୁନଷ୍ଟାର କ୍ଲବର ପଦକ୍ଷେପକୁ ସ୍ୱାଗତ କରିବା ସହିତ ଏହା ଅତ୍ୟନ୍ତ ସମୟୋପଯୋଗୀ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ମତପ୍ରକାଶ କରିଥିଲେ। ଏହା ସହରରେ ବର୍ଦ୍ଧିତ କରୋନା ସଂକ୍ରମଣ ରୋକିବାରୁ ସହାୟକ ହେବବୋଲି ଉପଜିଲ୍ଲାପାଳ ଆଶାବ୍ୟକ୍ତ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ୪୮ଘଣ୍ଟା ସଟଡାଉନ ଓ ଲକଡାଉନ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଲାଗି ଏନଏସି କର୍ତ୍ତୃପକ୍ଷଙ୍କୁ ଡାକବାଜି ଯନ୍ତ୍ର ଯୋଗେ ସହରରେ ବହୁଳ ପ୍ରସାର ଓ ପ୍ରଚାର ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ୪୮ଘଣ୍ଟିଆ ସଟଡାଉନ ଓ ୧୫ଦିନିଆ ଆଂଶିକ ଲକଡାଉନରୁ ଔଷଧ ଦୋକାନ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜରୁରୀ ସେବାକୁ ବାଦ୍‍ ଦିଆଯାଇଥିବା ଜଣାପଡିଛି।

Comments are closed.