ଅଟଳ ବିହାରୀ ବାଜପେୟୀଙ୍କ ପରଲୋକରେ ବିଭିନ୍ନ ରାଜନେତାଙ୍କ ଶୋକ

0

ଜଣେ ବାସ୍ତବ ରାଜନୀତିଜ୍ଞ: ରାଷ୍ଟ୍ରପତି
ଅଟଳ ବିହାରୀ ବାଜପାୟୀଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ଯେ ବାଜପାୟୀ ଜଣେ ଦୂରଦର୍ଶୀ,ପ୍ରବୀଣ ଓ ଅତୁଳନୀୟ ରାଜନେତା ଥିଲେ। ତାଙ୍କର ପରଲୋକ ପ୍ରତ୍ୟେକଙ୍କ ପାଇଁ ଦୁଃଖଦାୟକ।
ସ୍ୱାଧୀନ ଭାରତର ଜଣେ ସର୍ବୋଚ୍ଚ ନେତା: ଉପରାଷ୍ଟ୍ରପତି
ଏହା ନିଃସନ୍ଦେହ ଯେ ଅଟଳ ବିହାରୀ ବାଜପାୟୀ ସ୍ୱାଧୀନ ଭାରତର ଜଣେ ସର୍ବୋଚ୍ଚ ନେତା ଥିଲେ। ଦେଶର ଗଣତନ୍ତ୍ରକୁ ସୁଦୃଢ କରିବା ଓ ସୁଶାସନ ପ୍ରତିଷ୍ଠା ଦିଗରେ ତାଙ୍କର ଅବଦାନ ଅତୁଳନୀୟ। ଦେଶର ୨୩ଟି ଛୋଟ ବଡ ଦଳକୁ ନେଇ ସରକାର ଚଳାଇବାରେ ସେ ସଫଳ ହୋଇଥିଲେ। ତାଙ୍କ ବ୍ୟକ୍ତିତ୍ୱ, ବନ୍ଧୁତ୍ୱଭାବ, କର୍ତ୍ତବ୍ୟ ପରାୟଣତା ଆଦି ସବୁଦିନ ପାଇଁ ମନେ ରହିବ ବୋଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି।
ଗୋଟିଏ ଯୁଗର ଅବସାନ ହେଲା: ପ୍ରଧାନମନ୍ତ୍ରୀ
ବାଜପାୟୀଙ୍କ ପରଲୋକରେ ଗୋଟିଏ ଯୁଗର ଅବସାନ ଘଟିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବାଜପାୟୀ ଦେଶ ପାଇଁ ବଞ୍ଚିଥିଲେ ଓ ଅନେକ ଦଶନ୍ଧି ଧରି ଦେଶ ମାତୃକାର ସେବା କରିଥିଲେ। ତାଙ୍କର ନେତୃତ୍ୱ ଯୋଗୁଁ ଏକ ଶକ୍ତ, ପ୍ରଗତିଶୀଳ ଓ ସର୍ବବ୍ୟାପୀ ଏକବିଂଶ ଶତାବ୍ଦୀର ଭାରତବର୍ଷ ଗଠନ ସମ୍ଭବ ହୋଇପାରିଛି। ଦେଶର ବିଭିନ୍ନ କ୍ଷେତ୍ର ପାଇଁ ସେ ଯେଉଁ ସବୁ ଯୋଜନା ପ୍ରସ୍ତୁତ କରିଯାଇଛନ୍ତି ତାହା ପ୍ରତ୍ୟେକ ଭାରତୀୟଙ୍କ ଜୀବନ ଓ ଜୀବିକାକୁ ଛୁଇଁପାରିଛି। ତାଙ୍କ ପରଲୋକ ମୋ’ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି।
ପରମ ବନ୍ଧୁଙ୍କୁ ହରାଇଲି: ଆଡୱାଣୀ
ଅଟଳ ବିହାରୀ ବାଜପାୟୀଙ୍କ ପରଲୋକରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡୱାଣୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ନିଜର ଶୋକ ବାର୍ତ୍ତାରେ ଆଡୱାଣୀ ଲେଖିଛନ୍ତି ‘ଦୀର୍ଘ ୬୫ବର୍ଷ ଧରି ବାଜପାୟୀ ମୋର ଜଣେ ପରମ ବନ୍ଧୁ ଥିଲେ। ତାଙ୍କର ପରଲୋକରେ ମୁଁ ଜଣେ ପରମ ବନ୍ଧୁଙ୍କୁ ହରାଇଲି। ଏପରି କି ଏହି ଦୁଃଖ ଓ କ୍ଷତିକୁ ବର୍ଣ୍ଣନା କରିବା ପାଇଁ ମୋ ପାଖରେ ଶବ୍ଦ ନାହିଁ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଚାରକ ସମୟରୁ ଆମେ ବନ୍ଧୁ ଥିଲୁ। ଭାରତୀୟ ଜନସଂଘ ପ୍ରତିଷ୍ଠା ପରଠାରୁ ଜରୁରୀକାଳୀନ ପରିସ୍ଥିତି ସମୟରେ ଉଭୟ ମିଶି ଯେଉଁ ସଂଘର୍ଷ କରିଥିଲେ ତାକୁ ମନେ ପକାଇଛନ୍ତି। ସାରା ଜୀବନ ବାଜପାୟୀ ତାଙ୍କୁ ଉତ୍ସାହିତ ଓ ମାର୍ଗଦର୍ଶନ କରିଆସିଥିଲେ।’ ଦେଶରେ ପ୍ରଥମ କରି ଏକ ସ୍ଥିର ଓ ପୂର୍ଣ୍ଣକାଳୀନ ଅଣ କଂଗ୍ରେସ ସରକାର ଗଠନରେ ବାଜପାୟୀ ଯେଉଁ ନେତୃତ୍ୱ ନେଇଥିଲେ ତାହା ସବୁଦିନ ପାଇଁ ମନେ ରହିବ ବୋଲି ଆଡୱାଣୀ କହିଛନ୍ତି।
ଜଣେ ବିରଳ ରାଷ୍ଟ୍ରସେବକ: ମନମୋହନ ସିଂହ
ଅଟଳ ବିହାରୀ ବାଜପାୟୀ ଜଣେ ବିରଳ ରାଷ୍ଟ୍ରସେବକ, ଜଣେ ବଡ ପ୍ରଧାନମନ୍ତ୍ରୀ ଓ ହୃଦୟସ୍ପର୍ଶୀ କବି ଥିଲେ। ତାଙ୍କ ପରଲୋକରେ ସେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି।
ଜଣେ ସର୍ବସମ୍ମତବାଦୀ ଥିଲେ: ପ୍ରଣବ
ଜଣେ ଶାସକ ଭାବେ ଅଟଳ ବିହାରୀ ବାଜପାୟୀ ସର୍ବସମ୍ମତି ଉପରେ ଗୁରୁତ୍ୱ ଦେଉଥିଲେ ଓ ବିରୋଧୀ ଭାବେ ବାସ୍ତବବାଦୀ ସମାଲୋଚନା କରୁଥିଲେ। ତାଙ୍କ ପରଲୋକରେ ଦେଶ ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ଓ ଗୋଟିଏ ଯୁଗର ଅବସାନ ଘଟିଲା ବୋଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି।
ଭାରତ ମା’ ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା: ରାହୁଲ
ବାଜପାୟୀଙ୍କ ପରଲୋକ ଯୋଗୁଁ ଭାରତ ମା’ ତାର ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। ରାହୁଲ କହିଛନ୍ତି ଯେ ମୋ ସହିତ କୋଟି କୋଟି ଭାରତୀୟଙ୍କ ପାଇଁ ବାଜପାୟୀ ଜଣେ ପ୍ରିୟ ଓ ସମ୍ମାନନୀୟ ନେତା ଥିଲେ।
ଦେଶ ପାଇଁ ବଡ କ୍ଷତି: ମମତା
ବାଜପାୟୀଙ୍କ ପରଲୋକ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ତାଙ୍କ ଭଳି ଜଣେ ରାଷ୍ଟ୍ରନୀତିଜ୍ଞଙ୍କ ମୃତ୍ୟୁରେ ମୁଁ ଅତ୍ୟନ୍ତ ଦୁଃଖିତ ବୋଲି ମମତା କହିଛନ୍ତି।
ଆମେରିକାର ଶୋକ
ବାଜପାୟୀଙ୍କ ପରଲୋକରେ ବିଦେଶୀ ରାଷ୍ଟ୍ର ଆମେରିକା ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ନୂଆଦିଲ୍ଲୀସ୍ଥିତ ଆମେରିକା ଦୂତାବାସ ଏହାର ଶୋକ ବାର୍ତ୍ତାରେ କହିଛି ଯେ ଦୁଇଦେଶର ସମ୍ପର୍କରେ ଉନ୍ନତି ଆଣିବାରେ ବାଜପାୟୀଙ୍କ ଅବଦାନ ଅତୁଳନୀୟ। ବାଜପାୟୀ ଆମେରିକାକୁ ଭାରତର ପ୍ରକୃତ ସହଯୋଗୀ ବୋଲି ବର୍ଣ୍ଣନା କରିଥିଲେ। ଏହି ଅବସରରେ ଦୂତାବାସ ପକ୍ଷରୁ ବାଜପାୟୀଙ୍କ ପରିବାର ଓ ଭାରତୀୟ ନାଗରିକଙ୍କୁ ଗଭୀର ସମବେଦନା ଜଣାଯାଇଛି।
ବିସିସିଆଇ ସମେତ କ୍ରୀଡା ଜଗତରେ ଶୋକ
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ପରଲୋକରେ ଭାରତ କ୍ରିକେଟ ଟିମ୍‍, ବିସିସିଆଇ ଶୋକ ପ୍ରକାଶ କରିଛି। ବିସିସିଆଇ ଏହାର ଶୋକ ବାର୍ତ୍ତାରେ କହିଛି ଯେ ଅଟଳଜୀ ତାଙ୍କ ଜୀବନକୁ ଦେଶ ସେବାରେ ଉତ୍ସର୍ଗ କରିଥିଲେ। ସେହିପରି ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ, ଶିଖର ଧାୱନ, ଭିଭିଏସ୍‍ ଲକ୍ଷ୍ମଣ, ହର୍ଷ ଭୋଗଲେ, ଅଞ୍ଜୁମ ଚୋପ୍ରା, ଜ୍ୱାଲା ଗୁଟା, ବିଜେନ୍ଦ୍ର ସିଂହ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

Leave A Reply