ଭୂତଳ ଜଳଉତ୍ସର ସୁରକ୍ଷା : ଅଟଳ ଜଳଯୋଜନା ସ୍ବାଗତଯୋଗ୍ୟ

ବିଶ୍ବ ଜନସଂଖ୍ୟାର ୧୮ ଶତାଂଶ ଲୋକ (୧୩୦ କୋଟିରୁ ଅଧିକ) ଭାରତରେ ବସବାସ କରନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୪ ଶତାଂଶ ବା ପ୍ରାୟ ୫୩ କୋଟି ଲୋକଙ୍କ ପାଇଁ ବ୍ୟବହାର ଯୋଗ୍ୟ ପାଣିର ସୁବିଧା ରହିଛି। ଚାଷବାସ, ଗୋପାଳନ, ଘରୋଇ ବ୍ୟବହାର ଓ ଶିଳ୍ପ ପାଇଁ ଦିନକୁ ଦିନ ପାଣିର ଚାହିଦା ବଢ଼ୁଛି। ଭାରତରେ ସହରଗୁଡ଼ିକର ଦ୍ରୁତ ବିକାଶ ଓ ବିସ୍ତାର ଫଳରେ ପାନୀୟ ଜଳ ଏକ ସଂକଟ ଭାବେ ଉଭା ହୋଇଛି। ବାର୍ଷିକ ମୁଣ୍ଡପିଛା ଯେତେ ପାଣି ଆବଶ୍ୟକ ତାହା ଲୋକଙ୍କୁ ମିଳୁନାହିଁ। ସରକାରୀ ତଥ୍ୟ ଅନୁସାରେ ୧୬୩ ନିୟୁତ ଭାରତୀୟ ଏବେ ନିରାପଦ ପାନୀୟ ଜଳସୁବିଧାରୁ ବଞ୍ଚିତ। ଏଭଳି ଅବସ୍ଥାରେ ଜଳର ଆବଶ୍ୟକତା ଓ ସଂରକ୍ଷଣର ଗୁରୁତ୍ବ କେତେ ଅଧିକ ତାହା ସହଜରେ ଅନୁମେୟ। ମଧୁର ଜଳ ଏବେ ଏସବୁ ବିକାଶର ପ୍ରଥମ ଓ ଅପରିହାର୍ଯ୍ୟ ଇନ୍ଧନ ହୋଇଥିବାରୁ ଏ ନେଇ ସରକାର ତତ୍ପର ​‌େ​‌ହବା ସ୍ବାଭାବିକ। ଏଇ ପରିପ୍ରେକ୍ଷୀରେ ଭାରତ ସରକାର ଆରମ୍ଭ କରିବାକୁ ଯାଉଥିବା ଅଟଳ ଜଳ ଯୋଜନା ବିଶେଷ ଗୁରୁତ୍ବ ବହନ କରେ। ବିଳମ୍ବରେ ହେଉ ପଛେ ସରକାରଙ୍କର ଏହା ଏକ ଉତ୍ତମ ପଦକ୍ଷେପ। ଏଇ ଯୋଜନାରେ ଦେଶର ଭୂତଳ ଜଳସ୍ତରର ସ୍ଥିତିରକ୍ଷା ଏବଂ ଉପଯୁକ୍ତ ବନିଯୋଗ ଉପରେ ଗୁରୁତ୍ବ ଦିଆଯିବ।
ଦେଶର ଯେଉଁ ଅଞ୍ଚଳରେ ଭୂପୃଷ୍ଠ ଜଳଉତ୍ସର ସୁବିଧା ନାହିଁ ସେଠା​‌େ​‌ର ଭୂତଳ ଜଳଉତ୍ସର ସର୍ବାଧିକ ବିନିଯୋଗ ହୋଇଯାଏ। ଗଭୀର ନଳକୂପ, କୂପ ଓ ଅନ୍ୟାନ୍ୟ ବ୍ୟବସ୍ଥା ଦ୍ବାରା ଭୂତଳ ଜଳକୁ ଉତ୍ତୋଳନ କରି ବିଭିନ୍ନ କାମରେ ଲଗାଯାଇଥାଏ। ମାତ୍ରାଧିକ ଜଳଉତ୍ତୋଳନ ଫଳରେ ଭୂତଳ ଜଳସ୍ତର ହ୍ରାସ ପାଇବାସହ ଏହାର ପୁନଃକ୍ଷରଣ ବ୍ୟବସ୍ଥା ଠିକ୍‌ ହେଉନଥିବାରୁ ଏହି ଜଳସଂପଦ କ୍ରମଶଃ କମିକମି ଯାଉଛି। ତାହାକୁ ଉପଯୁକ୍ତ ସ୍ତରରେ ରଖିବା ପାଇଁ ଅଟଳ ଜଳ ଯୋଜନା ଉଦ୍ଦିଷ୍ଟ। ଗୋଷ୍ଠୀ ବା ସଂପ୍ରଦାୟ ସହଯୋଗରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାର ନିଷ୍ପତ୍ତି ସ୍ବାଗତଯୋଗ୍ୟ; କାରଣ ଯେଉଁମାନେ ଭୂତଳ ଜଳଉତ୍ସ ଉପରେ ମୁଖ୍ୟତଃ ନିର୍ଭରଶୀଳ ସେମାନଙ୍କ ସହଯୋଗ ଉପରେ ଏହି ଯୋଜନାର ସଫଳତା ନିର୍ଭର କରେ। ଦେଶର ସାତଟି ରାଜ୍ୟର ୭୮ଟି ଜିଲା ଅନ୍ତର୍ଗତ ୮୩୫୦ ଗାଁରେ ଭୂତଳ ଜଳସ୍ତର ବିପଜ୍ଜନକ ଅବସ୍ଥାରେ ପହଞ୍ଚିଛି। ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ଏହି ଯୋଜନା ପ୍ରଥମେ କାର୍ଯ୍ୟକାରୀ ହେବା ନିଶ୍ଚିତ ସ୍ବାଗତଯୋଗ୍ୟ। ଜଳସଂଗ୍ରହ ଓ ପରିଚାଳନାରେ ମହିଳାଙ୍କର ଅବଦାନ ଅନସ୍ବୀକାର୍ଯ୍ୟ। ଜଳକ୍ଳିଷ୍ଟ ଅଞ୍ଚଳର ମହିଳାମାନେ ପାଣିପାଇଁ ସବୁଠୁ ଅଧିକ ଦୁର୍ଦଶାର ସମ୍ମୁଖୀନ ହୋଇଥାନ୍ତି। ଏହି ଯୋଜନାରେ ପଞ୍ଚାୟତ ସ୍ତରରେ ଭୂତଳଜଳ ପରିମଳତା ଓ ସଂରକ୍ଷଣ କାର୍ଯ୍ୟରେ ୫୦ ଭାଗ ମହିଳାଙ୍କ ପ୍ରତିନିଧିତ୍ବ ବ୍ୟବସ୍ଥା ବାସ୍ତବବାଦୀ ମନେହୁଏ। ଜଳ ପରିଚାଳନାରେ ବଜେଟ ବ୍ୟବସ୍ଥା ବିଶେଷ ଗୁରୁତ୍ବ ରଖେ। ମିଳୁଥିବା ପାଣି ଓ ପରିବାରର ଆବଶ୍ୟକତା ଅନୁସାରେ ତାହାର ସୁବିନିଯୋଗ ହିଁ ଜଳବଜେଟର ଲକ୍ଷ୍ୟ। ମହିଳାଙ୍କ ପ୍ରତିନିଧିତ୍ବ ବିନା ଏହା ସଫଳ ହେବା ଆଶାକ୍ଷୀଣ। ତେଣୁ ଏହି ଯୋଜନାର କାର୍ଯ୍ୟକାରିତାରେ ମହିଳାଙ୍କ ଅଂଶୀଦାରୀ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ।
ଭୂତଳ ଜଳର ସୁରକ୍ଷା ଓ ସୁବିନିଯୋଗ ପାଇଁ ସରକାର ୬୦୦୦କୋଟି ଟଙ୍କାର ଯେଉଁ ଯୋଜନା କରିଛନ୍ତି ସେଥିରେ ଅତ୍ୟାଧୁନିକ ଟେକ୍‌ନୋଲୋଜିର ବ୍ୟବହାର ଓ ଅନ୍ୟାନ୍ୟ ବ୍ୟବସ୍ଥା ରହିଛି । ଓଡ଼ିଶାଭଳି ରାଜ୍ୟର ପଶ୍ଚିମ ଓ କେତେକ ଆଭ୍ୟନ୍ତରୀଣ ଅଞ୍ଚଳରେ ଜଳ ସମସ୍ୟା ଉତ୍କଟ। ସେଠାରେ ମଧ୍ୟ ଭୂତଳଜଳସ୍ତର ଅବସ୍ଥା ଖରାପ। ଏହି ଯୋଜନାରେ ଏସବୁ ଅଞ୍ଚଳ ଅବଶ୍ୟ ଅଗ୍ରାଧିକାର ଭିତ୍ତିରେ ସ୍ଥାନିତ ହେବା ଆଶା ଉଜ୍ଜ୍ବଳ। ଏବେ ପ୍ରସଙ୍ଗ ହେଉଛି ଯୋଜନାଟିଏ କେବଳ ଭଲ ହେଲେ ତାହାର ସୁଫଳ ମିଳି ନ ଥାଏ। ଏହାର ସଫଳତା ଯୋଜନାର ଉପଯୁକ୍ତ ରୂପାୟନ ଉପରେ ନିର୍ଭର କରିଥାଏ। ଆଶା କରିବା ସରକାର ଓ ଜନସହଯୋଗ ଭିତ୍ତିରେ ଏହି ଯୋଜନାଟି ସଫଳ ହେବ।

Comments are closed.