ବାଜପେୟୀଙ୍କ ରାଜନୈତିକ ଗତିପଥ

0

ନୂଆଦିଲ୍ଲୀ: ଭାରତ ରତ୍ନ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବେ ଏମ୍ସରେ ଭେଣ୍ଟିଲେଟରରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦବେଗଜନକ ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। ୯୩ବର୍ଷୀୟ ବାଜପେୟୀ ଦୀର୍ଘ ସମୟ ଧରି ସ୍ୱାସ୍ଥ୍ୟଗତ କାରଣରୁ ଶଯ୍ୟାଶାୟୀ। ୨୦୦୯ରୁ ତାଙ୍କୁ ହ୍ୱିଲଚେୟାର ଦ୍ୱାରା ଚଳପ୍ରଚଳ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ।
୯୦ଦଶକରେ ବିଜେପିର ସ୍ଥାପତ୍ୟ ପାଇଁ ସମ୍ପୂର୍ଣ୍ଣ ଶ୍ରେୟ ବାଜପେୟୀଙ୍କୁ ଦିଆଯାଏ। ବାଜପେୟୀଙ୍କ ବ୍ୟକ୍ତିତ୍ୱ ବଳରେ ସେ ସମୟର ରାଜନୈତିକ ଅସ୍ଥିରତା ସତ୍ତେ୍ୱ ବିଜେପିକୁ ଅନ୍ୟାନ୍ୟ ରାଜନୈତିକ ଦଳର ସମର୍ଥନ ମିଳିଥିଲା। ଏଭଳି ଘଟଣା ପୁଣି ସେତେବେଳେ ଘଟିଥିଲା ଯେତେବେଳେ ବାବରି ମସଜିଦ ଭାଙ୍ଗିବାର କଳଙ୍କ ବିଜେପି ଉପରେ ଲାଗିଥିଲା। ବିଜେପି “ସାମ୍ପ୍ରଦାୟିକ ଦଳ’ ନାମକ କାଳିମାକୁ ସାଙ୍ଗରେ ଧରି ରାଜନୈତିକ ମଇଦାନକୁ ଓହ୍ଲାଇ ଥିଲା।
୨୫ଡିସେମ୍ବର ୧୯୨୪ର ମଧ୍ୟପ୍ରଦେଶର ଗୋୱାଲିୟର ସହରରେ ବାଜପେୟୀଙ୍କ ଜନ୍ମ ହୋଇଥିଲା। ପିତା କୃଷ୍ଣ ବିହାରୀ ବାଜପେୟୀ ଓ ମାତା କୃଷ୍ଣା ଦେବୀଙ୍କ ସନ୍ତାନ ବାଜପେୟୀଙ୍କ ରାଜନୈତିକ ପଥ ଉତ୍ତରପ୍ରଦେଶରୁ ଆରମ୍ଭ ହୋଇଥିଲା। ୧୯୫୭ରେ ପ୍ରଥମ ଥର ପାଇଁ ବାଜପେୟୀ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୧୯୫୦ଦଶକରେ ଆରଏସଏସ ପତ୍ରିକା ଦାୟିତ୍ୱ ଗ୍ରହଣ କରିବା ଫଳରେ ତାଙ୍କୁ ଆଇନ ପାଠ୍ୟକ୍ରମ ମଝିରେ ଛାଡିବାକୁ ପଡ଼ିଥିଲା। ପରବର୍ତ୍ତୀ ସମୟରେ ବାଜପେୟୀ ଆରଏସଏସରୁ ବିଜେପିକୁ ଆସିବା ସହ ଦଳର ଉଦାରବାଦ ଭାବମୂର୍ତ୍ତିକୁ ସଜାଡ଼ି ନେଇଥିଲେ।
ଜଣେ ନେତା ଭାବେ ବାଜେପେୟୀ ଦୀର୍ଘ ଦିନ ଧରି ନିଜ ଛାପ ତାଙ୍କ ଜୀବନଶୈଳୀରେ ଦୃଶ୍ୟମାନ ହୋଇଥାଏ। ୧୯୪୨-୪୫ରେ ଭାରତ ଛାଡ଼ ଆନ୍ଦୋଳନରେ ସ୍ୱତନ୍ତ୍ରତା ସେନାନୀଭାବେ ବାଜପେୟୀ ଆନ୍ଦୋଳନର ମଙ୍ଗ ଧରିଥିଲେ। ପ୍ରଥମେ କମ୍ୟୁନିଷ୍ଟ ଆଦର୍ଶରେ ଅନୁପ୍ରାଣିତ ବାଜପେୟୀ ପରବର୍ତ୍ତୀ ସମୟରେ ଆରଏସଏସ ଆଦର୍ଶକୁ ଆପଣେଇବା ସହ ଏହାର ପ୍ରଚାର ଦାୟିତ୍ୱ ତୁଲାଇଥିଲେ।
ବ୍ରିଟିସ ଔପନିବେଶ ଶାସନ ବ୍ୟବସ୍ଥାକୁ ବିରୋଧ କରି ବାଜପେୟୀ କିଶୋରାବସ୍ଥାରେ ହିଁ କିଛି ସମୟ ପାଇଁ ଜେଲ ଯାଇଥିଲେ। କିନ୍ତୁ ସେଭଳି ଦେଖିବାକୁ ଗଲେ ସ୍ୱତନ୍ତ୍ରତା ସଂଗ୍ରାମରେ ବାଜପେୟୀଙ୍କ ଭୂମିକାକୁ ନେଇ ଇତିହାସରେ ସେଭଳି କୌଣସି ଉଲ୍ଲେଖ ନାହିଁ।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ(ଆରଏସଏସ) ସହ ଯୋଡ଼ି ହେବା ପୂର୍ବରୁ ବାଜପେୟୀ କାର୍ଲମାର୍କସଙ୍କ ଆଦର୍ଶରେ ଅନୁପ୍ରାଣିତ ଥିଲେ ମଧ୍ୟ ବିଜେପି ଦଳରେ ଜଣେ ଲୋକପ୍ରିୟ ନେତାଭାବେ ନିଜକୁ ପ୍ରମାଣିତ କରିବାରେ ସଫଳ ହୋଇଥିଲେ।
୧୯୫୧ରେ ଭାରତୀୟ ରାଜନୀତିରେ ପାଦ ଦେଇଥିବା ବାଜପେୟୀ ୧୯୫୫ରେ ଲୋକସଭା ନିର୍ବାଚନ ଲଢିଥିଲେ କିନ୍ତୁ ପରାଜିତ ହୋଇଥିଲେ। ମୋଟ୍‍ ୧୦ଥର ସାଂସଦ ଭାବେ ନିର୍ବାଚିତ ହୋଇଥିବା ବାଜପେୟୀ ୧୯୬୨ ଓ ୧୯୮୬ରେ ରାଜ୍ୟସଭା ସାଂସଦ ମଧ୍ୟ ହୋଇଥିଲେ। ଏହି ସମୟରେ ବାଜପେୟୀ ଉତ୍ତରପ୍ରଦେଶ, ନୂଆଦିଲ୍ଲୀ ଓ ମଧ୍ୟପ୍ରଦେଶରୁ ଲୋକସଭା ନିର୍ବାଚନ ଲଢିବା ସହ ବିଜୟୀ ହୋଇଥିଲେ। ଏପରିକି ଗୁଜରାଟରୁ ରାଜ୍ୟସଭାକୁ ମଧ୍ୟ ଯାଇଥିଲେ।
ନିଜ ଭାଷା, ମୁହଁରେ ହସ ଓ ତାଙ୍କ ଭାଷଣ, ଲେଖନୀ ଓ ବିଚାରଧାରା ପାଇଁ ଆଜି ମଧ୍ୟ ବାଜପେୟୀ ଦଳଗତ ନିର୍ବିଶେଷରେ ଜଣେ ଲୋକପ୍ରିୟ ଜନନାୟକ ଭାବେ ନିଜକୁ ପ୍ରତିଷ୍ଠା କରି ପାରିଛନ୍ତି।
କଂଗ୍ରେସ ସମର୍ଥନ ବ୍ୟତୀତ ବାଜପେୟୀ ପ୍ରଥମ ନେତା ଯିଏ ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦ ଦାୟିତ୍ୱ ତୁଲାଇ ପାରିଥିଲେ। ତାଙ୍କ ଉଦାରବାଦୀ ଛବି ତାଙ୍କ ସଫଳତାର କାରଣ ବୋଲି ଆଜି ମଧ୍ୟ ରାଜନୈତିକ ସମୀକ୍ଷକମାନେ ସ୍ୱୀକାର କରୁଛନ୍ତି। ଏପରିକି ବିଜେପିର ସମାଲୋଚକମାନେ ମଧ୍ୟ ବାଜପେୟୀଙ୍କ ନିଷ୍କପଟ ହସ ଦଳର କଟ୍ଟର ପନ୍ଥୀ ହିନ୍ଦୁତ୍ୱ ଛବିକୁ ଲୁଚାଇବାର ଏକ ମୁଖା ବୋଲି କହିଛନ୍ତି।
୧୯୯୯ରେ ବାଜପେୟୀଙ୍କ ପାକିସ୍ତାନ ଯାତ୍ରା ହେତୁ ତାଙ୍କୁ ଦଳୀୟ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା। କିନ୍ତୁ ସମାଲୋଚନାକୁ ଭ୍ରୁକ୍ଷେପ ନକରି ବାଜପେୟୀ “ହାମସଫର’ ବସରେ ପାକିସ୍ତାନ ପହଞ୍ôଚ ଥିଲେ। ବାଜପେୟୀଙ୍କ ଏହି ପ୍ରୟାସ ପରବର୍ତ୍ତୀ ସମୟରେ ମଧ୍ୟ ଭାରତ-ପାକ୍‍ ସମ୍ପର୍କକୁ ବ୍ୟାପକମାତ୍ରାରେ ସୁଦୃଢ କରିଥିଲା। ଅବଶ୍ୟ ପାକିସ୍ତାନ ଏହାର ଉତ୍ତରରେ କାରଗିଲରେ ନିଜ ସେନା ମୁତୟନ କରି ବିଶ୍ୱାସଘାତକତାର ପରିଚୟ ଦେଇଥିଲା। କିନ୍ତୁ ବାଜପେୟୀଙ୍କ ବଳିଷ୍ଠ ନେତୃତ୍ୱ କାରଗିଲକୁ ପୁଣି ଥରେ ଭାରତ ଫେରାଇ ଆଣିବାରେ ସଫଳ ହୋଇଥିଲା।
୪ଦଶକ ପର୍ଯ୍ୟନ୍ତ ବିପକ୍ଷରେ ରହିବା ପରେ ବିଜେପି ସରକାର ଗଢିଥିଲା। ଦଳର ନେତୃତ୍ୱ ବାଜପେୟୀ ନେଇଥିଲେ। ତେବେ ସଂଖ୍ୟଗରିଷ୍ଠତା ପ୍ରମାଣିତ କରି ନପାରି ମାତ୍ର ୧୩ଦିନ ମଧ୍ୟରେ ଏହି ସରକାର ଭାଙ୍ଗି ଯାଇଥିଲା। ସଂଖ୍ୟାଗରିଷ୍ଠତାର ଏହି ଲୁଚକାଳି ଖେଳ ପୁଣି ଥରେ ବାଜପେୟୀ ନେତୃତ୍ୱରେ ବିଜେପି ସହ ଘଟିଥିଲା। ୧୯୯୯ରେ ମଧ୍ୟ ମାତ୍ର ୧୩ମାସ ଚାଲିବା ପରେ ସରକାର ଭାଙ୍ଗି ଯାଇଥିଲା।
ବାଜପେୟୀଙ୍କ ଦ୍ୱାରା ଗଠିତ ମେଣ୍ଟ ରାଜନୀତିରେ ଏଆଇଡିଏମକେର ନେତ୍ରୀ ଜୟଲଳିତା ସମର୍ଥନର ହାତ ଛଡ଼ି ଦେବାରୁ ବାଜପେୟୀ ସରକାରଙ୍କୁ ସମୟସୀମା ପୂର୍ବରୁ ଧରାଶାୟୀ ହେବାକୁ ପଡ଼ିଥିଲା। ତେବେ ୧୯୯୯ରେ ବିଗତ ଦିନର ଅନୁଭୂତିକୁ କାର୍ଯ୍ୟକାରୀ କରି ପୂର୍ବାପେକ୍ଷା ବଳିଷ୍ଠ ମେଣ୍ଟ ଗଠନ କରିବାରେ ବାଜପେୟୀ ସଫଳ ହୋଇଥିଲେ। ଅବଶ୍ୟ ମେଣ୍ଟ ସରକାର ହେତୁ ୫ବର୍ଷ ଶାସନ କାଳରେ ବିଜେପିର ମୂଳ ପ୍ରସଙ୍ଗ ପଛରେ ପଡ଼ିଥିଲା। ତଥାପି ବାଜପେୟୀଙ୍କ ନେତୃତ୍ୱ ହିଁ ମେଣ୍ଟ ରାଜନୀତିର ସଫଳତା ପାଇଁ ଶ୍ରେୟ ଦିଆଯାଇ ପାରେ। ମେଣ୍ଟ ପାଇଁ ଜମ୍ମୁ କାଶ୍ମୀରରେ ଅନୁଚ୍ଛେଦ ୩୭୦, ଅଯୋଧ୍ୟା ରାମ ମନ୍ଦିର ପ୍ରସଙ୍ଗ ଓ ସମାନ ନାଗରିକ ସଂହିତା ପରି ପ୍ରସଙ୍ଗ ପଛରେ ପଡ଼ିଗଲା।
୧୧ ଓ ୧୩ ମେ’ ୧୯୯୮ପୋଖରାନରେ ୫ଭୂତଳ ପରମାଣୁ ପରୀକ୍ଷଣ ବିସ୍ଫୋରଣ କରି ବାଜପେୟୀ ସରକାର ଅନ୍ତର୍ଜତୀୟସ୍ତରରେ ମଧ୍ୟ ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ରର ମର୍ଯ୍ୟାଦା ଦେଇପାରିଥିଲେ। ଏହା ଭାରତର ଦ୍ୱିତୀୟ ପରମାଣୁ ପରୀକ୍ଷା ଥିଲା। ପୂର୍ବରୁ ୧୯୭୪ରେ ପୋଖରାନରେ କେବଳ ଗୋଟିଏ ପରୀକ୍ଷା କରାଯାଇ ଥିଲା। ବିଶ୍ୱର ଏକାଧିକ ରାଷ୍ଟ୍ରର ବିରୋଧ ସତ୍ତେ୍ୱ ବାଜପେୟୀ ଏହି ପରୀକ୍ଷାକୁ ସମ୍ପାଦିତ କରିଥିଲେ। ଏଥିଯୋଗୁଁ ଆମେରିକା, କାନାଡ଼ା, ଜାପାନ ଓ ୟୁରୋପିୟାନ ୟୁନିୟନ ସମେତ ଏକାଧିକ ରାଷ୍ଟ୍ର ଭାରତ ଉପରେ ପ୍ରତିବନ୍ଧକ ଲାଗାଇ ଥିଲେ। ଏହା ସତ୍ତେ୍ୱ ବାଜପେୟୀ ସରକାର ଦେଶର ଜିଡିପିକୁ ବୃଦ୍ଧି କରିବାରେ ସଫଳ ହୋଇଥିଲେ। ବାଜପେୟୀଙ୍କ ବଡ଼ ନିଷ୍ପତ୍ତି ମଧ୍ୟରୁ ପୋଖରାନ ପରମାଣୁ ପରୀକ୍ଷଣ ଅନ୍ୟତମ।
୧୯୭୭ରେ ମୋରାରଜୀ ଦେଶାୟୀ ସରକାରରେ ବାଜପେୟୀ ମନ୍ତ୍ରୀ ଥିଲେ। ସେତେବେଳେ ସେ ପ୍ରଥମ ଅଣ କଂଗ୍ରେସ ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ। ସଂଯୁକ୍ତ ରାଷ୍ଟ୍ରୀୟ ଅଧିବେଶନରେ ପ୍ରଥମ ଥର ପାଇଁ ବାଜପେୟୀ ହିନ୍ଦୀରେ ଭାଷଣ ଦେଇଥିଲେ। ହିନ୍ଦୀରେ ଭାଷଣ ଦେଇଥିବା ପ୍ରଥମ ନେତା ଭାବେ ବାଜପେୟୀ ପ୍ରଥମ ବୈଦେଶିକ ମନ୍ତ୍ରୀ ଥିଲେ।
ବାଜପେୟୀଙ୍କ ଘନିଷ୍ଠଙ୍କ କହିବା ଅନୁଯାୟୀ ଭାରତ-ପାକ ସମ୍ପର୍କକୁ ନେଇ ବାଜପେୟୀଙ୍କ ପ୍ରୟାସ ଉଲ୍ଲେଖନୀୟ। ୭୦ଦଶକରେ ମୋରାରଜୀ ଦେଶାୟୀ ସରକାରରେ ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ନେବାଠାରୁ ଆରମ୍ଭ କରି ତାଙ୍କ ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳରେ ଲାହୋର ଶାନ୍ତି ପ୍ରୟାସ ଅନ୍ୟତମ। ଏପରିକି ଜେନେରାଲ ପରଭେଜ୍‍ ମୁସରଫଙ୍କ ସହ ଆଗ୍ରା ଶିଖର ସମ୍ମିଳନୀରେ ମଧ୍ୟ ଏଭଳି ପ୍ରୟାସ ଜାରି ରହିଥିଲା। ତେବେ ଏସବୁ ବିଫଳ ହୋଇଥିଲା।

Leave A Reply