ରାସ୍ତା କଡର ବତି ଖୋଜୁଛି ଆଲୁଅ…

ରେଙ୍ଗାଲିକ୍ୟାମ୍ପ : ଅତାବିରା ଏନଏସି ପରିସରକୁ ଅଲୋକୀ କରଣ କରିବା ପାଇଁ ସରକାର ଙ୍କ ଗ୍ରୀନଫିଲ୍ଡ ଯୋଜନାରେ ରାସ୍ତାର ଉଭୟ କଡ଼ରେ ବତି ଖୁଣ୍ଟ ମାନ ଲଗାଯାଇଛି । ଏହି ଏନଏସି ମଧ୍ୟ ଦେଇ ଚାରି ଥାକିଆ ୫୩ନଂ ଜାତୀୟ ରାଜପଥ ଭେଦ କରି ଯାଇଥିବା ବେଳେ ଦିନ ରାତି ଅଞ୍ଚଳରେ ହଜାର ହଜାର ଲୋକଙ୍କ ଭିଡ ଲାଗିରୁହେ। ଏନଏସି ଅଞ୍ଚଳ ପାଇଁ କେନ୍ଦ୍ରୀୟ ଗ୍ରୀନଫିଲ୍ଡ ଯୋଜନାରେ ୧୨ୱାର୍ଡରେ ଆଲୋକୀକରଣ ପାଇଁ ପାଖାପାଖି ସାଢେ଼ ୫କୋଟି ଟଙ୍କା ସରକାରୀ ଅନୁଦାନ ଖର୍ଚ୍ଚ ହୋଇ ୧୨ଶହ ୭୨ଟି ଖୁଣ୍ଟ ଗୁଡ଼ିକ ୱାର୍ଡ ତଥା ରାଜରାସ୍ତାରେ ପୋତାଯାଇଛି। କିନ୍ତୁ ଏଣେତେଣେ ଖାମଖିଆଲି ଭାବେ ଖୁଣ୍ଟ ଗୁଡ଼ିକ ପୋତି କେବୁଲ ଟାଣି କେଉଁଠି ଆର୍ଥିଂ ହୋଇନି ତ ଆଉ କେଉଁଠି ଖୁଣ୍ଟ ଠିକ୍ ଭାବରେ ପୋତା ଯାଇ ନଥିବାରୁ ଲାଇଟ୍ ଖୁଣ୍ଟ ଗୁଡ଼ିକ ରାସ୍ତା କୁ ଅଣେଇ ହୋଇ ବିପଦକୁ ଆମନ୍ତ୍ରଣ କରୁଛି । ଖୁଣ୍ଟରେ ଆବଶ୍ୟକ ପରିମାଣର କଂକ୍ରିଟ ଦିଆଯାଇ ନଥିବାବେଳେ ମୁପିଂ ଗୁଡ଼ିକ ତିଆରି ହେବା ଦିନ ଠାରୁ ଭାଙ୍ଗି ଯାଇଛି। କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଗ୍ରୀନଫିଲ୍ଡ ଯୋଜନା ଆରମ୍ଭରୁ ଅତାବିରା ନୋଡାଲ ଉଚ୍ଚ ବାଳକ ବିଦ୍ୟାଳୟ ସାମ୍ନାରେ ପ୍ରଥମ କରି ଲାଇଟ୍ ଖୁଣ୍ଟ ପୋତା ଯାଇ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା। ଏହା ପରେ ଅନେକ ସ୍ଥାନରେ ସୁନ୍ଦର ଚକ୍ ଚକିଆ ଲାଇଟ୍ ଲଗାଯାଇଛି। ହେଲେ ଦୁଃଖର ବିଷୟ ଯେ ବିଦ୍ୟୁତ୍ ବତି ଗୁଡ଼ିକ ଆଲୋକ ପ୍ରଦାନ କରିବା ପରିବର୍ତ୍ତେ ଖୁଣ୍ଟ ସହ ବଲବ୍ ଗୁଡ଼ିକ ରାତି ହେଲେ ନିଜେ ଅନ୍ଧାରରେ ଲୁଚି ଯାଉଛି। ଦାୟୀତ୍ୱରେ ଥିବା ଅଧିକାରୀ ମାନଙ୍କ ଦାୟୀତ୍ବହୀନତା ଯୋଗୁଁ ଅନେକ ସ୍ଥାନରେ ଦିନ ବେଳା ଲାଇଟ୍ ଗୁଡ଼ିକ ଜଳି ରାତି ହେଲେ ଆଲୁଅ ଦେବାର କ୍ଷମତା ରହୁନାହିଁ। ତେବେ ଗ୍ରୀନ ଫିଲ୍ଡ ଯୋଜନା କାହା ପାଇଁ ବୋଲି ଲୋକେ ଜନସାଧାରଣ କ୍ଷୋଭ ପ୍ରକାଶ କରିଛନ୍ତି । ସରକାରଙ୍କ ଗ୍ରୀନ ଫିଲ୍ଡ ଯୋଜନା ଏବେ “ଡାର୍କ ଫିଲ୍ଡ ” ପାଲଟି ଯାଇଛି। କେତେକ ସ୍ଥାନରେ ଦିନରାତି ଜଳୁଛି, ଆଉ କେତେକ ସ୍ଥାନରେ ଦିନରେ ଜଳି ରାତିରେ ବନ୍ଦ ହେଉଛି ତ, ଆଉ କେତେକ ସ୍ଥାନରେ ମୋଟେ ଜଳୁନାହି। ଅନ୍ୟ ପକ୍ଷରେ ଦିନ ରାତି ଲାଇଟ୍ ଜଳିବା ଫଳରେ ଚାଷୀଙ୍କ ଧାନ ଫସଲ ନଷ୍ଟ ହେଉଥିବା ମଧ୍ୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେଉଛି । ତେଣୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଏହି ଯୋଜନାରେ ହୋଇଥିବା କାର୍ଯ୍ୟକୁ ଭିଜିଲାନ୍ସ ତଦନ୍ତ କରାଇବା ପାଇଁ ସାଧାରଣରେ ଦାବୀ ହେବା ସହ ଏନଏସିର ଆଲୋକୀକରଣ ବ୍ୟବସ୍ଥାକୁ ଠିକ୍ କରିବା ପାଇଁ ବିହିତ ପଦକ୍ଷେପ ନିଆଯାଉ ବୋଲି ଦାବି ହେଉଛି ।
Comments are closed.