ଜାତିକୁ ନେଇ ରାଜନୀତି କରୁଛି ଆପ୍‍: ଆଶୁତୋଷ

0

ନୂଆଦିଲ୍ଲୀ : ଆମ୍‍ ଆଦମୀ ପାର୍ଟି (ଆପ୍‍) ପାଇଁ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନ ପୂର୍ବେ ଆପ୍‍ରୁ ଇସ୍ତଫା ଦେଇଥିବା ନେତା ଆଶୁତୋଷ ଏବେ ଦଳ ବିରୋଧରେ ଜାତିକୁ ନେଇ ରାଜନୀତି କରିବାର ଅଭିଯୋଗ ଆଣିଛନ୍ତି। ୨୩ ବର୍ଷର ସାମ୍ବାଦିକତା ମଧ୍ୟରେ କେହି ତାଙ୍କୁ ତାଙ୍କ ସାଙ୍ଗିଆ ସମ୍ବନ୍ଧରେ ପ୍ରଶ୍ନ କରି ନ ଥିଲେ; କିନ୍ତୁ ୨୦୧୪ ଲୋକସଭା ନିର୍ବାଚନ ବେଳେ ଦିଲ୍ଲୀର ଏକ ନିର୍ବାଚନମଣ୍ଡଳୀରୁ ଜିତିବା ନିମନ୍ତେ ତାଙ୍କୁ ତାଙ୍କ ସାଙ୍ଗିଆ ଉଲ୍ଲେଖ କରିବାକୁ ବାଧ୍ୟ କରାଯାଇଥିଲା ବୋଲି ଆଶୁତୋଷ ବୁଧବାର ଟ୍ୱିଟ୍‍ କରିଛନ୍ତି। ଉକ୍ତ ନିର୍ବାଚନରେ ସେ ପରାଜିତ ହୋଇଥିଲେ। ଆଶୁତୋଷଙ୍କ ଅଭିଯୋଗ ପୂର୍ବରୁ ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ଆପ୍‍ ସଦସ୍ୟ ଅତିଶି ମାର୍ଲେନାଙ୍କୁ ତାଙ୍କ ସାଙ୍ଗିଆ ଉଲ୍ଲେଖ ନ କରିବାକୁ ଦଳ ପକ୍ଷରୁ କୁହାଯାଇଥିବା ଆଲୋଚନା ହେଉଥିଲା। ମାର୍ଲେନ୍‍ ଖ୍ରୀଷ୍ଟିଆନ୍‍ ସାଙ୍ଗିଆ ଭଳି ପ୍ରତୀତ ହେଉଥିବାରୁ ଏହାକୁ ବାଦ୍‍ ଦେବାକୁ ତାଙ୍କୁ କୁହାଯାଇଥିଲା। ତେବେ ଆଶୁତୋଷଙ୍କର ଟ୍ୱିଟ୍‍ ଅତିଶିଙ୍କ ସାଙ୍ଗିଆ ସମ୍ବନ୍ଧୀୟ ଆଲୋଚନାକୁ ଜୋରଦାର କରିଛି। ଅନ୍ୟପଟେ ଅତିଶିଙ୍କୁ ତାଙ୍କ ସାଙ୍ଗିଆ ଲେଖିବାକୁ ମନା କରାଯାଇଥିବା ଅଭିଯୋଗକୁ ଆପ୍‍ ପକ୍ଷରୁ ଅସ୍ୱୀକାର କରାଯାଇଛି; କିନ୍ତୁ ସେ ପୂର୍ବ ଦିଲ୍ଲୀରୁ ଲୋକସଭା ନିର୍ବାଚନ ଲଢିବାକୁ ଯାଉଥିବା ବେଳେ ଦଳୀୟ ପୋଷ୍ଟର, ବ୍ୟାନର, ହୋର୍ଡିଂ ଏବଂ ପାମ୍ଫଲେଟ୍‍ରେ ତାଙ୍କ ସାଙ୍ଗିଆ ପ୍ରକାଶ ପାଉନାହିଁ। ଅତିଶିଙ୍କ ସାଙ୍ଗିଆ ସିଂହ ଏବଂ ମାର୍ଲେନ୍‍ ତାଙ୍କ ମଧ୍ୟ ନାମ ଯାହାକୁ ତାଙ୍କ ମାତାପିତା ଶ୍ରଦ୍ଧାରେ ଦେଇଥିଲେ ବୋଲି ଦଳୀୟ ଜଣେ ନେତା ପ୍ରକାଶ କରିଛନ୍ତି।

Leave A Reply