ବିକାଶ ଆଲୋକରୁ ବଞ୍ଚିତ ଭାଲିଆଡାଳ ପଞ୍ଚାୟତର ଅସୁରଖାଲ, ଝରଝରି ଓ ବାଇଗଣନାଳି ଗାଁ

ଠାକୁରମୁଣ୍ଡା : ସରକାର ଆଦିବାସୀ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏହାର ସୁଫଳ ଲୋକଙ୍କ ପାଖରେ ପହ‌ଞ୍ଚି ପାରୁନଥିବା ଦେଖିବାକୁ ମିଳିଛି। ସେଥିପାଇଁ ସରକାରଙ୍କ ରାଜ କୋଷରୁ ଅଜସ୍ର ଟଙ୍କା ଗ୍ରାମଞ୍ଚଳ ବିକାଶରେ ନାମରେ ଖର୍ଚ୍ଚ ହେଉଛି ବୋଲି ପ୍ରଚାର ବି ହେଉଛି। ଏବେ ମଧ୍ୟ ଅନେକ ଆଦିବାସୀ ଗାଁ ବିକାଶ ଠାରୁ ବହୁ ଦୂରରେ। ଏମିତି କିଛି ଗାଁ ଅଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲିଆଡାଳ ପଞ୍ଚାୟତ ଅଧିନସ୍ଥ ଆଦିବାସୀ ବହୁଳ ଗାଁ ଅସୁରଖାଲ, ଝରଝରି ଓ ବାଇଗଣନାଳି ଗ୍ରାମ। ଦେଶ ସ୍ବାଧୀନତା ସତ ଦଶନ୍ଧି ପରେ ମଧ୍ୟ ବିକାଶର ଆଲୋକ ଛୁଇଁ ପାରିନାହିଁ। ଏହି ଗାଁ ପାଇଁ ବିକାଶ ସତେ ଯେମିତି ଅପହଞ୍ଚ।

ରାଜ୍ୟ ଓ କେନ୍ଦ୍ର ସରକାର ବିକାଶର ଡ଼ିଣ୍ତିମ ପଟୁଥିବାବେଳେ ଅନେକ ପାହାଡ଼ି ଓ ଉପାନ୍ତ ଅଞ୍ଚଳର ଗାଁ ଗୁଡିକ ବିକାଶ କ’ଣ ଆଜିଯାଏଁ ଜାଣି ପାରି ନାହାନ୍ତି। ପ୍ରଶାସନର ଦୃଷ୍ଟି ଆଢୁଆଳରେ ଏକ ପାହାଡ଼ ଖୋଲ ଭିତରେ ଗାଁ ଗଡିକ ଲୁଚି ରହିଯାଇଛି କହିଲେ ଚଳେ। ଗାଁର ସମସ୍ତ ପରିବାର ଆଦିବାସୀ ସଂପ୍ରଦାୟର । ୨୦୧୧ ଜନଗଣନା ଅନୁସାରେ ଅସୁରଖାଲ ଗାଁରେ ୧୧୨ ପରିବାର, ବାଇଗଣନାଳି ର ପରିବାର ସଂଖ୍ୟା ୧୧ ଓ ଝରଝରି ଗାଁର ପରିବାର ସଂଖ୍ୟା ୩୬ ଥିଲା ବେଳେ ସମୁଦ୍ର ଲୋକ ସଂଖ୍ୟା ୧୧ ଶହରୁ ଅଧିକ ହେବ। ସ୍ବାଧୀନତାର ଦୀର୍ଘ ସାତ ଦଶନ୍ଧି ଅତିକ୍ରାନ୍ତ ହୋଇ ଯାଇଥିଲେ ମଧ୍ୟ ଏହି ଗାଁକୁ ଆଜି ପର୍ଯ୍ୟନ୍ତ ରାସ୍ତାଟିଏ ନାହିଁ। ପାହାଡ଼ି ଓ ଜଙ୍ଗଲି ପାଦ ଚଳାରାସ୍ତାରେ ସ୍ଥାନୀୟ ବାସିନ୍ଦା ଗମନାଗମନ କରିଥାନ୍ତି। ସର୍ବନିମ୍ନ ସରକାରୀ ସେବା ଓ ସୁବିଧା ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ କହିଲେ ଚଳେ। ଶିକ୍ଷା, ସ୍ବାସ୍ଥ୍ୟ, ଆଲୋକ, ଗମନାଗମନ ତଥା ପ୍ରତ୍ୟେକଟି କ୍ଷେତ୍ରରେ ଅବହେଳିତ। ନାଁ ଏଠାରେ ଜିଲ୍ଲା ପ୍ରଶାସନ ର ଆଖି ଦୃଷ୍ଟି ପଡୁଛି ନା ବ୍ଲକ୍‌ ପ୍ରଶାସନର।

ଅସୁରଖାଲ ଗାଁରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟଟି ଥିବାବେଳେ ହାଇସ୍କୁଲରେ ପାଠ ପଢିବା ପାଇଁ ହେଲେ ୮ କି.ମି ବାଟ ପାହାଡିଆ ରାସ୍ତାରେ ଚାଲିଚାଲି ଯିବା ପାଇଁ ପଡେ। ତେଣୁ ଅଧିକାଂଶ ପିଲାଙ୍କର ପ୍ରାଥମିକ ବିଦ୍ୟାଳୟ ପରେ ବାଧ୍ୟ ହୋଇ ପାଠରେ ଡୋରି ବନ୍ଧା ହୁଏ । ଗାଁରେ ଉଚ୍ଚ ଶିକ୍ଷିତ ବୋଲି କେହି ଜଣେ ବି ନାହାନ୍ତି। ବାଇଗଣନାଳି ସହିରେ ଅଙ୍ଗନଓ୍ବାଡି କେନ୍ଦ୍ର ଟିଏ ବି ନାହିଁ। ଦୀର୍ଘ ଦିନ ହେବ, ସୌଭାଗ୍ୟ ଯୋଜନାରେ ଗାଁରେ ବିଜୁଳି ଖୁଣ୍ଟ ପୋତା ଯାଇ ଘରମାନଙ୍କରେ ମିଟର ବସାଯାଇ ଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇନାହିଁ। ସେମାନଙ୍କ ପାଇଁ ଉଜ୍ବଳା ଗ୍ୟାସ୍‌ ଯୋଜନା ମଧ୍ୟ ଅନେକ ଦୂରରେ ଅଟକି ରହିଛି। ପାନୀୟଜଳ ଗ୍ରାମରେ ଏକ ବଡ଼ ସମସ୍ୟା। ନଳକୂପ ବସାଯାଇ ଥିଲେ ମଧ୍ୟ ନାଲି ଆଇରନ ପାଣି ପିଇବା ଉପଯୋଗୀ ନୁହେଁ।

ଗ୍ରାମବାସୀଙ୍କ ଜୀବନଜିବୀକା ମଧ୍ୟ ବିପନ୍ନ କହିଲେ ଚଳେ। ଜଙ୍ଗଲ ଜାତ ଦ୍ରବ୍ୟ ଯଥା, ମହୁଲ, ଚାର, ଝୁଣା, ମହୁ, ଲାଖ ଇତ୍ୟାଦି ସଂଗ୍ରହ କରି ପେଟ ପୋଷିଥାନ୍ତି। ଆଦିବାସୀମାନଙ୍କ ପାଇଁ ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି, ହେଲେ ଏହାର ସୁଫଳ ଏମାନଙ୍କ ଭାଗ୍ୟରେ ନାହିଁ। ଭୋଟ୍ ସମୟରେ ସରପ‌ଞ୍ଚ ଠାରୁ ବିଧାୟକ, ସାଂସଦ ସମସ୍ତେ ଏହି ଦୁର୍ଗମ ପାହାଡ଼ିଆ ଗାଁ ଆସିଥାନ୍ତି। ଅନେକ ପ୍ରତିଶ୍ରୁତି, ଅନେକ ରଙ୍ଗୀନ ସପ୍ନ ଶୁଣାଇଥାନ୍ତି, ହେଲେ ଆଜି ପର୍ଯ୍ୟନ୍ତ ଭାଗ୍ୟକୁ ଆଦରି ବସି ରହିଛନ୍ତି ।

ତେବେ ଏବିଷୟରେ ସ୍ଥାନୀୟ ସମପଞ୍ଚଙ୍କୁ ପଚାରିବାରୁ ସେ କହିଲେ ପ୍ରକୃତରେ ଲୋକମାନେ ବହୁତ ହଇରାଣ ହେଉଛନ୍ତି। ଯେହେତୁ ରାସ୍ତାଟି ଜଙ୍ଗଲ ଦେଇ ଯାଉଛି ତେଣୁ ଏ ରାସ୍ତାଟି ବନବିଭାଗ ଦ୍ବାରା ହେବ। ମୁଁ ରେଞ୍ଜର ସହିତ କଥା ହୋଇଥିଲି , ପ୍ରସ୍ତାବ ଯାଇଛି, ଆସିଲେ କାମ ହେବ। ବନାଞ୍ଚଳ ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ, ଏସଟିମେଟ୍ କରି ଡିଆରଡିଏ କୁ ପଠାଯାଇଛି , ଅନୁମୋଦନ ହୋଇ ଆସିଲେ ରାସ୍ତା କାମ ହେବ। ତେବେ ଏହି ଗରିବ ଆଦିବାସୀ ଗାଁ ଗୁଡିକର ଭାଗ୍ୟ ଆଉ କେତେ ଦଶନ୍ଧି ପରେ ବଦଳୁଛି ତହା ଦେଖିବା ବାକି ରହିଲା ।

Comments
Loading...