ସୌରମଣ୍ଡଳ ବାହାରେ ପ୍ରଥମ ଚନ୍ଦ୍ର ଠାବ

0

କେପ୍‍ କାନାଭିରାଲ : ଆମେରିକାର ଜ୍ୟୋତିର୍ବିଜ୍ଞାନୀମାନେ ସୌରମଣ୍ଡଳ ବାହାରେ ପ୍ରଥମଥର ଏକ ଚନ୍ଦ୍ର ଠାବ୍‍ କରିଛନ୍ତି। ଏହି ଚନ୍ଦ୍ର ଭଳି ପ୍ରାକୃତିକ ଉପଗ୍ରହଟି ନେପଚୁନ୍‍ ଭଳି ବିଶାଳ ବୋଲି କୁହାଯାଉଛି। ବିଗତ କେତେ ଦଶନ୍ଧି ଧରି ସୌରମଣ୍ଡଳ ବାହାରେ ସହସ୍ରାଧିକ ଗ୍ରହ ଠାବ୍‍ କରାଯାଇଥିଲା। ହେଲେ ପ୍ରଥମ ଥର ଚନ୍ଦ୍ର ଭଳି କୌଣସି ଏକ ପ୍ରାକୃତିକ ଉପଗ୍ରହ ଖୋଜି ବାହାର କରାଯାଇଛି। ଆମେରିକା ମହାକାଶ ଗବେଷଣା ପ୍ରତିଷ୍ଠାନ (ନାସା)ର କେପଲର ଏବଂ ହୁବଲି ମହାକାଶ ଦୂରବୀକ୍ଷଣ ଯନ୍ତ୍ର ମାଧ୍ୟମରେ ଏହି ନୂଆ ଚନ୍ଦ୍ରକୁ ଖୋଜି ବାହାର କରାଯାଇଛି ବୋଲି ଗୁରୁବାର କଲମ୍ବିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି। ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁସାରେ ଏହି ଚନ୍ଦ୍ରଟି ପୃଥିବୀଠାରୁ ୮,୦୦୦ ଆଲୋକ ବର୍ଷ ଦୂରରେ ରହିଛି ଓ ଏହା ଏକ ବାୟୁର ଗ୍ରହ (ଗ୍ୟାସିୟ ପ୍ଲାନେଟ୍‍)କୁ ପରିକ୍ରମା କରୁଛି। ଜେନରାଲ ସାଇନ୍ସ ଆଡଭାନ୍ସେସ୍‍ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆକାରକୁ ନେଇ ନୂତନ ଚନ୍ଦ୍ରଟି ଅତି ବିଚିତ୍ର ମନେ ହେଉଛି ଓ ଏହା ଆକାରରେ ପୃଥିବୀଠାରୁ ବଡ଼ ନେପଚୁନ୍‍ ସମକକ୍ଷ ହେବ ବୋଲି ମନେ କରାଯାଉଛି। ଆମେରିକା କଲମ୍ବିଆ ଗବେଷକଙ୍କ କହିବା ଅନୁସାରେ ଆମ ସୌରମଣ୍ଡଳରେ ପାଖାପାଖି ୧୮୦ଟି ଚନ୍ଦ୍ର ଅଛନ୍ତି। କିନ୍ତୁ କୌଣସି ବି ଚନ୍ଦ୍ର ଆକାରରେ ଏତେ ବଡ଼ ନୁହନ୍ତି। କଲମ୍ବିଆ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଧ୍ୟାପକ ଡେଭିଡ଼ କୋପିଂଙ୍କ ଅନୁସାରେ ପ୍ରଥମ ଥର ସୌରମଣ୍ଡଳ ବାହାରେ ଚନ୍ଦ୍ର ଥିବାର ଅନୁସନ୍ଧାନ କରାଯାଇଛି। ଆମ ସୌରମଣ୍ଡଳର ସବୁଠୁ ବଡ଼ ଚନ୍ଦ୍ର ହେଲା ଗେନିମେଡ। ଏହା ବୃହସ୍ପତି ଗ୍ରହକୁ ପରିକ୍ରମା କରିଥାଏ ଓ ଏହାର ବ୍ୟାସ ପ୍ରାୟ ୫,୨୬୯ କଲୋମିଟର ଅଟେ। ବାହାରେ ଠାବ୍‍ ଚନ୍ଦ୍ରର ବ୍ୟାସ ୪୯,୦୦୦ କିଲୋମିଟର ଓ ଏହା କେପଲର-୧୬୨୫ ନାମକ ଏକ ଗ୍ରହକୁ ପରିକ୍ରମା କରିଥାଏ। କେପଲର-୧୬୨୫ ଆକାରରେ ପୃଥିବୀଠାରୁ ୭୫% ବଡ଼ ବୃହସ୍ପତି ଭଳି ଦେଖିବାକୁ ବୋଲି କୁହାଯାଉଛି। କେପଲର-୧୬୨୫ ଆକାରରେ ଆମ ସୂର୍ଯ୍ୟ ଭଳି ସମାନ ଏକ ସୂର୍ଯ୍ୟକୁ ପରିକ୍ରମା କରୁଛି। ନୂତନ ଭାବେ ଆବିଷ୍କୃତ ଚନ୍ଦ୍ରଟି ପାଖାପାଖି ୩୦ ଲକ୍ଷ କିଲୋମିଟର ଦୂରରେ ନିଜ ଗ୍ରହକୁ ପରିକ୍ରମା କରୁଛି। ଏହି ଚନ୍ଦ୍ର ଆକାରରେ ନିଜ ମୂଳଗ୍ରହର ମାତ୍ର ୧.୫% ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି।

Leave A Reply