ଟିକା ସଙ୍କଟ; ଯୋଗାଣରେ ବିଳମ୍ବ ଯୋଗୁ ସିରମକୁ ଏଷ୍ଟ୍ରାଜେନେକାର ଆଇନଗତ ନୋଟିସ

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ଏବେ ସଙ୍କଟ ଦେଖାଦେଲାଣି। ସରକାର ଯେତିକି ସଂଖ୍ୟାରେ ଟିକା ଆବଶ୍ୟକ କରୁଛନ୍ତି, କମ୍ପାନୀଗୁଡ଼ିକ ସେହି ପରିମାଣରେ ଉତ୍ପାଦନ କରିବା ସମ୍ଭବ ହେଉନାହିଁ। ଏହି କାରଣରୁ ଟିକା ଯୋଗାଣରେ ବିଳମ୍ବ ହେଉଛି। ଏଥିପାଇଁ କରୋନା ଟିକା ପ୍ରସ୍ତୁତକାରୀ ଭାରତୀୟ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ପାଇଁ ଆଇନଗତ ଅଡୁଆ ମଧ୍ୟ ବଢ଼ିବାରେ ଲାଗିଛି। କରୋନା ଟିକା ଯୋଗାଣରେ ବିଳମ୍ବ ଯୋଗୁ ବ୍ରିଟିଶ ଏବଂ ସୁଇଡିସ୍‌ ଔଷଧ ଓ  ବାୟୋଫାର୍ମସିଟିକାଲ କମ୍ପାନୀ ଏଷ୍ଟ୍ରାଜେନେକା ସିରମକୁ ଆଇନଗତ ନୋଟିସ ଜାରି କରିଛି।

ଏପଟେ ଏସଆଇଆଇ କୋଭିଶିଲ୍ଡ ଟିକା ଉତ୍ପାଦନକୁ ଦୁଇଗୁଣା କରିବା ଲାଗି ଭାରତ ସରକାରଙ୍କଠାରୁ ସହାୟତା ମାଗିଛି। ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା ଦ୍ବାରା ବିକଶିତ କରୋନା ଟିକାକୁ ଏସଆଇଆଇ ଭାରତରେ କୋଭିଶିଲ୍ଡ ବ୍ରାଣ୍ଡ ନାମରେ ତିଆରି କରି ବିକ୍ରି କରୁଛି। ଏସଆଇଆଇର ସିଇଓ ଅଦାର ପୁନାୱାଲା ମଙ୍ଗଳବାର କହିଥିଲେ, କରୋନା ଟିକା ଉତ୍ପାଦନ କ୍ଷମତା ବୃଦ୍ଧି କରିବା ଲାଗି ପ୍ରାୟ ୩ ହଜାର କୋଟି ଟଙ୍କାର ଆବଶ୍ୟକତା ରହିଛି।

ପୁନାୱାଲା ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ସମୟରେ କହିଥିଲେ, ଭାରତରେ କୋଭିଶିଲ୍ଡର ଚାହିଦା ବଢୁଥିବାରୁ ଉତ୍ପାଦନ କ୍ଷମତା ଚାପରେ ରହିଛି। ଅଧିକ ମାତ୍ରାରେ ଏହି ଟିକା ପ୍ରସ୍ତୁତ କରିବା ଲାଗି ପ୍ରାୟ ୩ ହଜାର କୋଟି ଟଙ୍କା ଦରକାର। ଆମେ ଭାରତୀୟ ବଜାରରେ ପ୍ରାୟ ୧୫୦ରୁ ୧୬୦ ଟଙ୍କାରେ ଟିକା ଯୋଗାଣ କରୁଛୁ, କିନ୍ତୁ ଏହାର ପ୍ରକୃତ ମୂଲ୍ୟ ପ୍ରାୟା ୨୦ ଡଲାର ଅର୍ଥାତ ୧୫୦୦ ଟଙ୍କା। ମୋଦୀ ସରକାରଙ୍କ ଅନୁରୋଧକ୍ରମେ ଆମେ ରିହାତି ଦରରେ ଟିକା ଯୋଗାଉଛୁ। ଏହା ନୁହେଁ ଯେ, ଆମେ ଲାଭ ପାଉନାହୁଁ, କିନ୍ତୁ ଆମକୁ ଆଉ କିଛି ଅଧିକ ଲାଭ ଦରକାର, ଯାହାଦ୍ବାରା ଏହାର ଉତ୍ପାଦନ ପାଇଁ ପୁନର୍ବାର ନିବେଶ କରାଯାଇପାରିବ।

Comments are closed.