‘ଅସ୍ତ୍ର’ର ସଫଳ ପରୀକ୍ଷା

0

ବାଲେଶ୍ୱର : ଭାରତୀୟ ବାୟୁସେନା ପକ୍ଷରୁ ଆକାଶରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ଅସ୍ତ୍ର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ସୁଖୋଇ ୩୦ ଏୟାରକ୍ରାଫ୍‍ଟରୁ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ସକାଳ ପ୍ରାୟ ୧୦.୩୫ ମିନିଟ ସମୟରେ କରାଯାଇଥିଲା। ପଶ୍ଚିମବଙ୍ଗର କଲାଇକୁଣ୍ଡା ଏୟାରବେସରୁ ସୁଖୋଇ ୩୦ ଉଡ଼ାଣ କରିବା ପରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ସଠିକ ସମୟରେ ଭେଦ କରିଥିଲା। ବାୟୁସେନାରେ ସାମିଲ ହେବାକୁ ଥିବା ଏହି ଅସ୍ତ୍ର କ୍ଷେପଣାସ୍ତ୍ରର ୨୦ଥର ପରୀକ୍ଷା ହୋଇସାରିଛି। ଏହି ସଫଳତା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ବାୟୁସେନା ଓ ଡିଆରଡ଼ିଓ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତର ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରର ଓଜନ ୧୫୪ କିଲୋଗ୍ରାମ ହୋଇଥିବା ବେଳେ ଲମ୍ବ ୩.୫୭ ମିଟର ଓ ମୋଟେଇ ୭ ଇଞ୍ଚ। ଏହା ୧୫ କିଲୋ ପର୍ଯ୍ୟନ୍ତ ଉଚ୍ଚ କ୍ଷମତାସମ୍ପନ୍ନ ବିସ୍ଫୋରକ ନେଇ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି। ୪.୫ ମାକ ଗତିରେ ଯାଇ ଏହା ୮୦ରୁ ୧୦୦ କିଲୋମିଟର ଭିତରେ ଲକ୍ଷ୍ୟ ଭେଦ କରିପାରିବ। ୨୦୧୭ ମସିହା ସେପ୍ଟେମ୍ବର ୧୧ରୁ ୧୪ ତାରିଖ ମଧ୍ୟରେ ଡିଆରଡିଓ ପକ୍ଷରୁ ୭ ଥର ସଫଳ ପରୀକ୍ଷା କରାଯାଇଥିଲା।

Leave A Reply