କଇଁଛଙ୍କ ଦେବଦୂତ

ଅସ୍ତରଙ୍ଗ(ପ୍ରସାର ଖୁଣ୍ଟିଆ) : ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ଗୁଣ୍ଡଳବା ଗ୍ରାମର ବିଚିତ୍ରାନନ୍ଦ ବିଶ୍ବାଳ ତିନି ଦଶନ୍ଧି ଧରି ବିରଳ ପ୍ରଜାତିର କଇଁଛ ଅଲିଭ ରିଡଲେ ସମେତ ଘରଚଟିଆ, ଲୁଣା ଜଙ୍ଗଲ ତଥା ବିଭିନ୍ନ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଯେଉଁ ସମର୍ପିତ ଭାବନା ନେଇ କାର୍ଯ୍ୟ କରୁଛନ୍ତି, ତାହା ଅନ୍ୟପାଇଁ ବେଶ୍ ପ୍ରେରଣାଦାୟକ ହୋଇଛି। ଅଲିଭ ରିଡ୍‌ଲେ କଇଁଛଙ୍କ ପାଇଁ ସେ ଦେବଦୂତ ସାଜିଛନ୍ତି କହିଲେ ଭୁଲ୍‌ ହେବନାହିଁ। ସ୍ଥାନୀୟ ଲୋକଙ୍କ ମଧ୍ୟରେ ସେ ବିଚି ଭାଇ ଭାବେ ଜଣାଶୁଣା।
ବିଚିତ୍ରାନନ୍ଦ ୧୯୯୪ରେ ଅଷ୍ଟମ ଶ୍ରେଣୀରେ ପଢୁଥିବାବେଳେ ସୁଦୂର କାନାଡ଼ାର ଅବସରପ୍ରାପ୍ତ ଦନ୍ତ ଚିକିତ୍ସକ ରବର୍ଟ ସାକ୍ଲିଫ୍‍ ଓଡିଶା ଆସିଥିଲେ। ସେତେବେଳେ ଓଡିଶା ସରକାର କଇଁଛ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ଆରମ୍ଭ କରି ନ ଥିଲେ। ରବର୍ଟ ଅନେକ କଇଁଛଙ୍କ ମୃତ୍ୟୁ ଦେଖି କିଛି ପଦକ୍ଷେପ ନେବାକୁ ଓଡ଼ିଶାରେ ବହୁତ ସମୟ ଅତିବାହିତ କଲେ। ସମୁଦ୍ରକୂଳରୁ ମାତ୍ର ୨୦୦ ମିଟର ଦୂରରେ ବିଚିତ୍ରାନନ୍ଦଙ୍କ ଘର ହୋଇଥିବାରୁ ବହୁତ ଅଲିଭ୍‌ ରିଡ୍‌ଲେ କଇଁଛ ମରୁଥିବାର ଦେଖି ତାଙ୍କ ମନ ଆନ୍ଦୋଳିତ ହୋଇଥିଲା। ସେଇ ସମୟରେ ଭେଟ ହୁଏ ରବର୍ଟ ସାକ୍ଲିଫ ଓ ୧୩ ବର୍ଷର ବାଳକ ବିଚିତ୍ରାନନ୍ଦଙ୍କର। କାଳକ୍ରମେ ସେ ୧୯୯୬ରେ ଘର ଓ ପରିବାରରୁ ଦୂରରେ ରହି ଦେବୀ, ଋଷିକୂଲ୍ୟା, ଗହୀରମଥା, ଶିଆଳି ବେଳାଭୂମି ଆଦି କଇଁଛ ଅଣ୍ଡା ଦେବା ସ୍ଥଳରେ ବିଭିନ୍ନ ତଥ୍ୟ ଏବଂ ସଚେତନତାର ବାର୍ତ୍ତା ଦେବାକୁ ଲାଗନ୍ତି।
ଏହି ସମୟ ମଧ୍ୟରେ ବିଚିତ୍ରାନନ୍ଦ ‘ୱାଇଲ୍ଡ ଲାଇଫ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ’ର ବୈଜ୍ଞାନିକଙ୍କ ଗବେଷଣା କାମରେ ସହଯୋଗୀ ହୋଇ ଆରମ୍ଭ କରିଥିଲେ ନିଜ ସଂରକ୍ଷଣ କାମ। ତା’ପରଠୁ ସେ ପଛକୁ ଫେରି ଚାହିଁନାହାନ୍ତି। ଉଚ୍ଚଶିକ୍ଷା ଗ୍ରହଣ କରିନଥିଲେ ମଧ୍ୟ ୩୯ ବର୍ଷୀୟ ଏହି ବନ୍ୟଜନ୍ତୁ ସଂରକ୍ଷକଙ୍କ ଅବଦାନ ଉଲ୍ଲେଖନୀୟ। ୧୯୯୪ରୁ ଅନ୍ତର୍ଜାତୀୟ ସ୍ତରରେ ଜଣାଶୁଣା ବୈଜ୍ଞାନିକ କାର୍ତ୍ତିକ ଶଙ୍କର, ଦିପାନ ସୂତରିଆ, ମୂରଲୀଧରନ ମନୋହର କ୍ରିଷନ ତଥା ଭାରତ ସରକାରଙ୍କ ପ୍ରାଣୀ ବିଜ୍ଞାନ ସର୍ବେକ୍ଷଣ ସଂସ୍ଥାର ବରିଷ୍ଠ ବୈଜ୍ଞାନିକଙ୍କ ସହଯୋଗୀ ହିସାବରେ ସେ କଇଁଛ, ଡଲଫିନ ଆଦି ସାମୁଦ୍ରିକ ଜୀବଙ୍କ ଉପରେ କାମ କରିଛନ୍ତି। ଏଥି ସହ ସ୍ଥାନୀୟ ଲୋକ, ଯୁବପିଢି, ମହିଳା ସଂଗଠନକୁ ନେଇ ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ସେ ପ୍ରୟାସ କରି ଅନେକଙ୍କୁ ଅନୁପ୍ରାଣିତ କରିଛନ୍ତି।
ବନ୍ୟଜନ୍ତୁ ସଂରକ୍ଷଣ ସହ ସେ ଜଙ୍ଗଲ ସୁରକ୍ଷା ପାଇଁ ୧୯୯୯ ମସିହାଠାରୁ ପ୍ରୟାସ ଆରମ୍ଭ କରିଥିଲେ। ସେହିବର୍ଷ ଓଡିଶାକୁ ଧ୍ବସ୍ତବିଧ୍ବସ୍ତ କରିଥିବା ମହାବାତ୍ୟା ପରେ ଲୋକେ ବାକି ଜଙ୍ଗଲକୁ ନଷ୍ଟ କରିବା ଆରମ୍ଭ କରିଥିଲେ। ଏହି ଘଟଣା ତାଙ୍କୁ ଝାଉଁ ଜଙ୍ଗଲ ସୁରକ୍ଷା ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେଇଥିଲା। ସ୍ଥାନୀୟ ମହିଳା ସଂଗଠନଗୁଡ଼ିକୁ ଏକାଠି କରି ଲୋକଙ୍କ ଜୀବନଜୀବିକା ଓ ଚାଷଜମି କିପରି ଝାଉଁ ଜଙ୍ଗଲ ଦ୍ୱାରା ସୁରକ୍ଷିତ ରହିବ, ତାହା ବୁଝାଇ ସେଥିପାଇଁ ପଦକ୍ଷେପ ନେବା ଆରମ୍ଭ କରିଥିଲେ। ଦେବୀନଦୀର ଅଣ୍ଡାଦାନ ସ୍ଥଳୀରେ ଦୀର୍ଘଦିନର ପ୍ରଚେଷ୍ଟା ପରେ ୧୯୯୫-୨୦୨୦କୁ ତୁଳନା କଲେ ଏଯାବତ୍‌ ପ୍ରାୟ ୮୦ ପ୍ରତିଶତ କଇଁଛ ମୃତ୍ୟୁକୁ ରୋକିବାରେ ସଫଳ ହୋଇଛନ୍ତି। ପୁରୀ ଜିଲାର ବିଭିନ୍ନ ସାମୁଦ୍ରିକ ଅଞ୍ଚଳରେ ୨୦୦ କ୍ଷତିଗ୍ରସ୍ତ କଇଁଛଙ୍କ ପ୍ରାଥମିକ ଚିକିତ୍ସା ସହ ଦୁଇଟି ବିରଳ ସାର୍କକୁ ରକ୍ଷା କରି ସଫଳ ଭାବେ ସମୁଦ୍ରରେ ଛାଡିଛନ୍ତି। ତାଙ୍କ ଜୀବନବ୍ୟାପୀ ସଂରକ୍ଷଣ ମଧ୍ୟରେ ଲକ୍ଷାଧିକ କଇଁଛ ଛୁଆଙ୍କୁ ସେ ସମୁଦ୍ରରେ ସୁରକ୍ଷିତ ଭାବେ ଛାଡ଼ିଛନ୍ତି।

 

 

Comments are closed.