‘ବିକାଶ’ ଘଣ୍ଟକୁ ଷ୍ଟାଣ୍ଡିଂ କମିଟି ‘ଛାଟ’ : ଉପାନ୍ତରେ ସମସ୍ୟା ମାଳମାଳ

ଉଚ୍ଚଶିକ୍ଷା ବିଭାଗକୁ ବିଧାନସଭା କମିଟିର ରିପୋର୍ଟ ତଲବ

ଭୁବନେଶ୍ବର : ବିକାଶର ଘଣ୍ଟ ପିଟା ଚାଲିଛି। ଅନ୍ୟ ରାଜ୍ୟ ସହ ତୁଳନାତ୍ମକ ବିକାଶରେ ଓଡ଼ିଶା ଆଗୁଆ କୁହାଯାଉଛି। ଏପରିକି ଓଡ଼ିଶା ସରକାରଙ୍କ ଆଦର୍ଶ ବିଦ୍ୟାଳୟ ଅନ୍ୟ ରାଜ୍ୟଠାରୁ ଭିନ୍ନ, ଉନ୍ନତ ଓ ଉଦାହରଣୀୟ ବୋଲି ସରକାର ଉଲ୍ଲେଖ କରି ବାହାବା ନେଉଛନ୍ତି। ନିକଟରେ ସରକାରୀ ସ୍କୁଲରେ ପଢ଼ିଥିଲେ ଇଞ୍ଜିନିୟରିଂ ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି; ମାତ୍ର ପ୍ରାଥମିକ ଶିକ୍ଷାଠାରୁ ଉଚ୍ଚଶିକ୍ଷା ବାଟ ଦେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ଯେଉଁଠି ଦେଖିଲେ ଅସରନ୍ତି ସମସ୍ୟା। ବାସ୍ତବ ଚିତ୍ର ଦେଖାଯାଉଥିବା ଛବିଠାରୁ ଭିନ୍ନ। କେଉଁଠି କଲେଜରେ ଜମି ନାହିଁ ତ କେଉଁଠି ଶିକ୍ଷକ ନାହାନ୍ତି। କେଉଁଠି ପାଚେରି ନାହିଁ ତ କେଉଁଠି ବିଜୁଳି ନାହିଁ। କେଉଁଠି ଆବଶ୍ୟକ କର୍ମଚାରୀ ନାହାନ୍ତି। ଉଚ୍ଚଶିକ୍ଷା ବିଭାଗ ସଂକ୍ରାନ୍ତ ବିଧାନସଭା ଷ୍ଟାଣ୍ଡିଂ କମିଟି ଉପାନ୍ତ କଳାହାଣ୍ଡି, କୋରାପୁଟ, ଗଜପତି ଓ କନ୍ଧମାଳ ଜିଲା ଗସ୍ତରେ ଯାହା ଅନୁଧ୍ୟାନ କରିଛି ତାହା ବିଚଳିତ କରିବା ପରି। ଏ ସଂକ୍ରାନ୍ତରେ ବିଭାଗୀୟ ଷ୍ଟାଣ୍ଡିଂ କମିଟି (ଡ଼ିଆରସିଏସ୍-୪) ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗଠାରୁ ରିପୋର୍ଟ ତଲବ କରିଛି।
କମିଟି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗକୁ ପଠାଇଥିବା ରିପୋର୍ଟ ଅନୁସାରେ ଅଧିକାଂଶ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପାଚେରି ନାହିଁ। ନା ସ୍କୁଲରେ ପାଚେରି ଅଛି ନା ଛାତ୍ରାବାସରେ। କେତେକ ସ୍ଥାନରେ ସ୍କୁଲ କୋଠା ଘର ନିର୍ମାଣ ବି ଶେଷ ହୋଇନାହିଁ। ଏପରିକି ଯେଉଁ କୋଠା ନିର୍ମାଣ ହୋଇଛି ତାହାର ମାନ ମଧ୍ୟ ଠିକ୍ ନୁହେଁ ଏବଂ ନିର୍ମାଣ ହେବାର ଦୁଇ ତିନି ବର୍ଷ ମଧ୍ୟରେ ଛାତରୁ ପାଣି ଗଳୁଥିବା ଦେଖାଯାଉଛି। ୩/୪ ବର୍ଷ ହେଲା ନିର୍ମାଣ ହୋଇଥିବା କୋଠା ମରାମତି ଆବଶ୍ୟକ କଲାଣି। ଛାତ୍ରୀନିବାସ ଗୁଡ଼ିକରେ ପାଚେରି ନାହିଁ କିମ୍ବା କୌଣସି ଜେନେରେଟର ବ୍ୟବସ୍ଥା କରାଯାଇନାହିଁ। ଫଳରେ ଛାତ୍ରୀଙ୍କ ପ୍ରତି ବିପଦ ରହିଛି ଓ ବିଜୁଳି ଯିବା ପରେ ଛାତ୍ରୀମାନେ ଆତଙ୍କ ମଧ୍ୟରେ ରହୁଛନ୍ତି।
କଲେଜ ଗୁଡିକରେ ମଞ୍ଜୁରି ଅନୁସାରେ ଅଧ୍ୟାପକ ଓ ଅନ୍ୟ କର୍ମଚାରୀଙ୍କ ଅଭାବ ରହିଛି। ଯାହାଫଳରେ ଶିକ୍ଷାଦାନ ବ୍ୟାହତ ହେଉଛି। ଅନେକ କଲେଜରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାଗାର ନାହିଁ କିମ୍ବା ଆବଶ୍ୟକ ଭିତ୍ତିଭୂମି ମଧ୍ୟ ନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅଧିକାଂଶ ଅନୁଦାନପ୍ରାପ୍ତ କଲେଜର ନିଜସ୍ବ ଜମି ନାହିଁ। ତେଣୁ କଲେଜକୁ କିପରି ଅନୁମତି ଓ ଅନୁଦାନ ଦିଆଗଲା ତାହା ସ୍ବାଭାବିକ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୌଣସି କଲେଜ ଖୋଲିବା ପାଇଁ ନିର୍ଦ୍ଧାରିତ ପରିମାଣର ଜମି କଲେଜ ନାମରେ କିମ୍ବା ଉଚ୍ଚଶିକ୍ଷା ବିଭାଗ ନାମରେ ପଞ୍ଜୀକରଣ କରାଯିବା କଥା; ମାତ୍ର ବିନା ଜମିରେ କଲେଜକୁ ଖୋଲିବାକୁ ଅନୁମତି ଦିଆଯାଇଛି ଏବଂ ଅନୁଦାନ ମଧ୍ୟ ପ୍ରଦାନ କରାଯାଇଛି। ସେହିପରି ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍ଥିତି ମଧ୍ୟ ଅନୁରୂପ। ଏହି ଜିଲା ଗୁଡ଼ିକରେ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଭିତ୍ତିଭୂମି ନାହିଁ। ଏହାର ସୁଯୋଗ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଗୁଡ଼ିକ ନେଉଛନ୍ତି। ତେଣୁ ସ୍କୁଲ ଗୁଡ଼ିକର ଭିତ୍ତିଭୂମି ବିକାଶ, ଆବଶ୍ୟକ ବୋଲି କମିଟି ନିଜ ରିପୋର୍ଟରେ ଉଲ୍ଲେଖ କରିଛି।
ବିଧାନସଭା ଷ୍ଟାଣ୍ଡିଂ କମିଟିର ଏହି ରିପୋର୍ଟ ରାଜ୍ୟରେ ଶିକ୍ଷା ବିଭାଗର ବିକଳ ଚିତ୍ରର କେବଳ ପ୍ରତିଛବି ମାତ୍ର। ଭିତ୍ତିଭୂମି ଅଭାବ, ଶିକ୍ଷକ ଅଭାବ, ଆନୁଷଙ୍ଗିକ ସହାୟତା ଅଭାବରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା କିପରି ଆଗକୁ ବଢ଼ିବ ତାହା ବୃହତ୍‌ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comments are closed.