ଅସନ୍ତାକାଲିଠୁ ବିଧାନସଭା ; ପ୍ରଥମ ଦିନରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ୍

ଭୁବନେଶ୍ୱର :  ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତାକାଲି (ଶନିବାର) ଠାରୁ ଆରମ୍ଭ ହେବାକୁ ଯାଉଛି । ଏଥିରେ ମୋଟ୍ ୨୪ଟି କାର୍ଯ୍ୟଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ । ଜୁଲାଇ ୩୦ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ଉପସ୍ଥାପନ ହେବ । ଅଧିବେଶନ ପୂର୍ବରୁ ଗତ ବୁଧବାର ଦିନ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ଥର କୋଭିଡ୍ କଟକଣା ମଧ୍ୟରେ ବିଧାନସଭାର ଗୃହ କାର୍ଯ୍ୟ ୬ ଘଣ୍ଟା  ଯାଏ ଚାଲିବ। ସକାଳ ଅଧିବେଶନ ୧୦.୩୦ରୁ ୧.୩୦ ଓ ଅପରାହ୍ନ ଅଧିବେଶନ ୪ଟା ରୁ ୭ଟା ପର୍ଯ୍ୟନ୍ତ ଚାଲିବ।
ଉଲ୍ଲେଖଯୋଗ୍ୟ ଯେ, ଚଳିତ ବିଧାନସଭାର ମୌସୁମୀ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଜୁଲାଇ ୨ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ଯାଏଁ ଚାଲିବ। ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଜୁଲାଇ ୩୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ କରାଯିବ। ପ୍ରଥମ ପର୍ଯ୍ୟାୟରେ ଜୁଲାଇ ୨ରୁ ୬ ତାରିଖ ଯାଏ ଗୃହ ଚାଲିବ। ଜୁଲାଇ ୭ରୁ ୧୨ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିବ। ୧୩ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ଯାଏ ଚାଲିବ। ବାଚସ୍ପତି ଭାବେ ବିକ୍ରମ କେଶରୀ ଆରୁଖ ପ୍ରଥମ ଥର ପାଇଁ ଗୃହ ପରିଚାଳନା କରିବେ।
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଗତ ଅଧିବେଶନରେ ୨୦୨୨-୨୩ର ପୂର୍ଣ୍ଣାଙ୍ଗ ବଜେଟ୍ ପରିବର୍ତ୍ତେ ରାଜ୍ୟ ସରକାର ୪ ମାସିଆ କାମଚଳା ବଜେଟ ଉପସ୍ଥାପିତ କରିଥିଲେ । ତେଣୁ ଜୁଲାଇ ୩୧ ତାରିଖ ପୂର୍ବରୁ ପୂର୍ଣ୍ଣାଙ୍ଗ ବଜେଟ୍ ଗୃହର ଅନୁମୋଦନ ଲାଭ କରିବ।

Comments are closed.