ଶୀତାଳକୀନ ଅଧିବେଶନର ଅଷ୍ଟମ ଦିନ, ବିଧାନସଭାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ବିଧାନସଭାର ଶୀତାଳକୀନ ଅଧିବେଶନର ଆଜି ଅଷ୍ଟମ କାର୍ଯ୍ୟ ଦିବସର ପ୍ରଥମାର୍ଦ୍ଧରେ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁରେ ଗୃହରେ ଶୋକ ପ୍ରକାଶ ସହ ତାଙ୍କ ସମ୍ମାନାର୍ଥେ ଗୃହକୁ ଅପରାହ୍ନ ପର୍ଯ୍ୟନ୍ତ ମୁଲତବି ରଖାଯାଇଥିଲା। ଯେଉଁ ଗୃହରେ ଗତ ୭ ଦିନ ହେବ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳରେ ଗୃହ ଚଳାଇବା ସମ୍ଭବ ହେଉନଥିଲା, ଆଜି କିନ୍ତୁ ବିରୋଧୀ ଓ ଶାସକ, ଉଭୟ ପକ୍ଷ ସଦସ୍ୟ ନୀରବ ରହିଥିବା ଦେଖାଯାଇଥିଲା।

ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେନେରାଲ ବିପିନ ରାୱତ, ପତ୍ନ ମଧୁଲିକା ରାୱତ ଓ ଦୁର୍ଘଟଣାରେ ଶହୀଦ ହୋଇଥିବା ଅନ୍ୟ ସୁରକ୍ଷା କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶର ପ୍ରଥମ ସିଡିଏସ୍‍ଙ୍କ ଏଭଳି ମୃତ୍ୟୁ ଅତ୍ୟନ୍ତ ଦୁଃଖ ଦାୟକ। ଏଭଳି ସମୟରେ ତାଙ୍କ ପରିବାର ପ୍ରତି ଆମ ସମସ୍ତଙ୍କର ସମବେଦନା ରହିଛି। ବିଜେପି ସଦସ୍ୟ ମୋହନ ଚରଣ ମାଝି ମୁଖ୍ୟମନ୍ତ୍ରୀ ଆଗତ କରିଥିବା ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଜେନାରାଲ ରାୱତଙ୍କ ମୁତ୍ୟୁରେ ଦୁଃଖ ପ୍ରକାଶ କରିବା ସହିତ ଦେଶର ସର୍ବୋଚ୍ଚ ସୁରକ୍ଷା ଅଧିକାରୀଙ୍କ ଏଭଳି ମୃତ୍ୟୁ ପଛରେ କିଛି କାରଣ ଥିବା ଆଶଙ୍କା କରିଥିଲେ। ତେବେ ଦୁଃଖ ସମୟରେ ତାଙ୍କ ପରିବାର ପ୍ରତି ଭଗବାନ ସଦୟ ହୁଅନ୍ତୁ ବୋଲି ଶ୍ରୀ ମିଶ୍ର କହିଥିଲେ।

ସିପିଏମ୍‍ ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ପରେ ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ଗୃହ ତରଫରୁ ସ୍ୱର୍ଗତ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତ, ସେନା ବାହିନୀର ଅନ୍ୟ ଜବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ଗୃହରେ ଏକ ମିନିଟ୍‍ ନିରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ଜେନେରାଲ ରାୱତଙ୍କ ସମ୍ମାନାର୍ଥେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ନେଇ ବାଚସ୍ପତି ଡକ୍ଟର ପାତ୍ର ଘୋଷଣା କରିଥିଲେ।

Comments are closed.