ପାଞ୍ଚଦିନ ପରେ ବି ଗୃହ ଅଚଳ: ସର୍ବଦଳୀୟ ବୈଠକ ନିଷ୍ଫଳ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଧାନ କିଣା ପ୍ରସଙ୍ଗକୁ ନେଇ ଗୃହରେ ଦିନକୁ ଦିନ ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି। ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସର ସଭ୍ୟ ହୋ-ହଲ୍ଲା ଓ ନାରାବାଜି କରୁଛନ୍ତି। ଗୃହରେ ଅସ୍ବାଭାବିକ ପରିସ୍ଥିତିକୁ ଦେଖି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକରୁ କୌଣସି ସୁଫଳ ମିଳୁନାହିଁ। ପାଞ୍ଚଦିନ ବିତିଲାଣି, ହେଲେ ଗୃହ ବିବାଦର ସମାଧାନ ବାଟ ବାହାରିପାରୁ ନାହିଁ। ଏହି ପ୍ରସଙ୍ଗକୁ ନେଇ ଶାସକଦଳ ପକ୍ଷରୁ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦିଆଯାଇଥିବାବେଳେ ବିଜେପି ଓ କଂଗେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖାଯାଇ ତାଙ୍କର ହସ୍ତକ୍ଷେପ ଲୋଡାଯାଇଛି। ଆଜି ଆଶା କରାଯାଉଥିଲା ଯେ ସର୍ବଦଳୀୟ ବୈଠକରେ ନିଶ୍ଚିତ କିଛି ନା କିଛି ବାଟ ବାହାରିବ ଏବଂ ଗୃହ ସୁରୁଖୁରୁରେ ଚାଲିବ। ହେଲେ ବିବାଦ ଗଣ୍ଠି ଅଡୁଆ

ସୂତା ଭଳି ଲଟେଇ ହୋଇ ଚାଲିଛି। ଏବେ ବିରୋଧୀ ବିଜେପି ଓ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡକୁ ସବୁ ଝମେଲା ଟେକି ଦେଇଛନ୍ତି। ଏହାରି ଭିତରେ ଆସନ୍ତାକାଲି ଧାନ ବିବାଦର ପୂର୍ଣ୍ଣ‌େ‌ଚ୍ଛଦ ପଡ଼ିବ ବୋଲି ଆଶା କରାଯାଉଛି।
ଆଜି ଅଧିବେଶନ ଆରମ୍ଭ ହେବା ମାତ୍ରେ ଶାସକଦଳ ସଭ୍ୟଙ୍କ ସହ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ। ଶାସକଦଳ ସଭ୍ୟମାନେ ବିଜେପି ସଭ୍ୟ ସୁବାସ ପାଣିଗ୍ରାହୀଙ୍କୁ କ୍ଷମା ମାଗିବା ଦାବିରେ ପ୍ରବଳ ହଟ୍ଟଗୋଳ କରିଥିବାବେଳେ ବିଜେପି ଓ କଂଗ୍ରେସ ଧାନ ଉଠା ପ୍ରସଙ୍ଗକୁ ନେଇ ଗୃହରେ କମ୍ପମାନ କରିଥିଲେ। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ଓ ଅନ୍ୟ ସଭ୍ୟମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ଶୋଷଣ ନୀତିକୁ ନେଇ ବ୍ୟାନର ଓ ପ୍ଲାକାର୍ଡ ଧରି ହଟ୍ଟଗୋଳ କରିଥିବାବେଳେ ବିଜେପି ସଭ୍ୟ ମୋହନ ମାଝି, ମୁକେଶ ମହାଲିଙ୍ଗ ଓ ନାଉରୀ ନାୟକ ପ୍ରମୁଖ ଯୁବଚାଷୀଙ୍କ ଆତ୍ମହତ୍ୟା ପ୍ଲାକାର୍ଡ ଧରି ସରକାରଙ୍କୁ ଘେରିଥିଲେ। ଗୃହରେ ଅସ୍ବାଭାବିକ ପରିସ୍ଥିତିକୁ ନେଇ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ। ଏହି ସମୟରେ ଶାସକଦଳ ସଭ୍ୟମାନେ ସୁବାସ ପାଣିଗ୍ରାହୀଙ୍କ କ୍ଷମା ମାଗିବା ପ୍ରସଙ୍ଗ ନେଇ ରାଜ୍ୟପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ।
୧୨ଟା ପରେ ଗୃହ ମଧ୍ୟଭାଗକୁ ନ ଆସି ଶାସକଦଳ ସଭ୍ୟ ନିଜ ଆସନରେ ଛିଡା ହୋଇ କ୍ଷମା ମାଗିବା‌ ଦାବି ପୁନଶ୍ଚ ଦୋହରାଇଥିଲେ। ବାଚସ୍ପତି ଶ୍ରୀ ପାତ୍ର ବାଧ୍ୟହୋଇ ସର୍ବଦଳୀୟ ବୈଠକ ଡାକିଥିଲେ। ଦିନକରେ ୬ଥର ମୁଲତବି ହୋଇଥିଲେ ହେଁ ସର୍ବଦଳୀୟ ବୈଠକରୁ କୌଣସି ନିର୍ଯାସ ବାହାରି ନଥିଲା। ବାଚସ୍ପତି ଶ୍ରୀ ପାତ୍ର ଆସନ୍ତାକାଲି ପାଇଁ ଗୃହକୁ ମୁଲତବି ଘୋଷଣା କରିଥିଲେ।
ଏନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ବିଜେପି ବିଧାୟକ କ୍ଷମା ମାଗିବା ନ ମାଗିବା ବଡ଼ କଥା ନୁହେଁ, ପ୍ରଥମେ ଗୃହ କିଭଳି ସୁରୁଖୁରୁରେ ଚାଲିବ ସେ କଥା ସରକାର ଓ ବାଚସ୍ପତି ଚିନ୍ତା କରିବା କଥା। ଗୃହର ନେତା ହିସାବରେ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ସମାଧାନ କରିବା କଥା। ଏନେଇ ୧୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡିଥିଲି, ଆଜି ମଧ୍ୟ ପତ୍ର ଲେଖିଛି। ସର୍ବଦଳୀୟ ବୈଠକ ପୁନଶ୍ଚ ଡକାଯାଉ। ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରି ବିରୋଧୀ ଦଳର ନେତା ମାନଙ୍କ ସହ ଆଲୋଚନା କରନ୍ତୁ। ସରକାରୀ ଦଳ ଗୃହର ମଧ୍ୟଭାଗକୁ ଆସିବା କଦାପି ଠିକ ନୁହେଁ। କ୍ଷମତା ତ ଶାସକ ଦଳ ପାଖରେ ଅଛି; ପୁଣି ଗୃହକୁ ଆସି କାହିଁକି ପାଲା କରୁଛନ୍ତି ? ଯିଏ ନ୍ୟାୟ ଦେବା ଲୋକ ସିଏ ପୁଣି କାହାକୁ ନ୍ୟାୟ ମାଗୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି।
ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି ଯେ, ୫ଦିନ ବିତିଲାଣି। ସରକାର ଧାନ ଉଠିବା ପ୍ରସଙ୍ଗରେ ଠୋସ୍ ପଦକ୍ଷେପ ନେଉ ନାହାନ୍ତି। ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହକୁ ପ୍ରତିଶ୍ରୁତି ଦେଇଥିଲେ ଯେ ସବୁ ପ୍ରକୃତ ଚାଷୀଙ୍କ ଧାନ ଉଠିବ, ପରେ ବିଭାଗୀୟ ମନ୍ତ୍ରୀ ବିବୃତି ରଖିଲେ। ହେଲେ ଏପର୍ଯ୍ୟନ୍ତ କୁଇଣ୍ଟାଲଟିଏ ଧାନ ମଧ୍ୟ ସରକାର ଉଠାଇ ନାହାନ୍ତି। ଗୃହର ନେତା ହେଉଛନ୍ତି ମୁଖ୍ୟମନ୍ତ୍ରୀ। ଗୃହରେ ସ୍ବାଭାବିକ ସ୍ଥିତି ଫେରାଇବା ଦିଗରେ ସେ ମଧ୍ୟ ନିଜେ ଉଦ୍ୟମ କରିବା କଥା। ମୁଖ୍ୟମନ୍ତ୍ରୀ ବିବୃତି ଦିଅନ୍ତୁ ଯେ ସବୁ ଧାନ ୩୧ ତାରିଖ ସୁଦ୍ଧା ଉଠିବ। ତେବେ ଯାଇ ସମସ୍ୟାର ସମାଧାନ ହେବ। ମୁଖ୍ୟମନ୍ତ୍ରୀ କେଉଁଠି ଅଛନ୍ତି , ଲୋକସେବା ଭବନ ବା ନବୀନ ନିବାସ ଯେଉଁଠି ଥାଆନ୍ତୁ ନା କାହିଁକି ଆମେ ତାଙ୍କୁ ଆସନ୍ତାକାଲି ଖୋଜିବୁ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ ସରକାର ବେପାରୀଙ୍କ ଧାନ କିଣିବା ପାଇଁ ଇଚ୍ଛୁକ ନୁହନ୍ତି। ବିଜେପି କେବଳ ଚାଷୀଙ୍କ ନାଁରେ କୁମ୍ଭୀର କାନ୍ଦଣା କାନ୍ଦୁଛି। ଯଦି ଆନ୍ତରିକତା ଅଛି ତେବେ ଦିଲ୍ଲୀରେ କହି ଆମ ବକେୟା ପଇସା ଦିଅନ୍ତୁ। ପୂରା ଦେଶରେ ଚାଷୀକୁଳ ଏମାନଙ୍କୁ ଛି’ କରୁଛନ୍ତି। ଏବେ ସୁଦ୍ଧା ୧୯ ହଜାର କୋଟି ଟଙ୍କାର ଧାନ କିଣାଯାଇଛି। ସୁବାସ ପାଣିଗ୍ରାହୀ ଟିଆରପି ବଢେଇବା ପାଇଁ ଏଭଳି କରିଛନ୍ତି। ଆମେ ତାଙ୍କର କ୍ଷମା ଦାବି କରୁଛୁ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି।

Comments are closed.