ସରିଲା ବିଧାନସଭା ଅଧିବେଶନ, ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ ସମତେ ପାରିତ ହେଲା ୫ଟି ବିଲ୍

ଭୁବନେଶ୍ବର: ସରିଲା ବିଧାନସଭା ଅଧିବେଶନ। ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। ଗୋଟିଏ ଦିନ ପୂର୍ବରୁ ବିଧାସଭା ମୁଲତବି ଘୋଷଣା କଲେ ବାଚସ୍ପତି। ଆଜି ବିଧାନସଭାରେ ୫ଟି ବିଲ୍‌ ପାରିତ ହୋଇଯାଇଛି। ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ସମେତ ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ୍‌, ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ, ପୌର ବିଧି ସଂଶୋଧନ ବିଲ ଓ ଶିଳ୍ପ ବିବାଦ ଓଡ଼ିଶା ସଂଶୋଧନ ବିଲ ପାରିତ ହୋଇଛି। ସେହିରି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି।
ଆଜି କଥା କଟାକଟି ଓ ହଟ୍ଟଗୋଳ ଭିତରେ ବିଧାନସଭାରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାସ୍ ହୋଇଛି । ବିଜେପି ଓ କଂଗ୍ରେସ ବିଧାୟକଙ୍କ ବିରୋଧ ସତ୍ତ୍ବେ ଏହି ବିଲ୍ ପାରିତ ହୋଇଛି। ବିଲ୍ ଆଇନରେ ପରିଣତ ହେଲେ ବିଶ୍ୱବିଦ୍ୟାଳୟର ସ୍ୱାଧୀନତା ହ୍ରାସ ପାଇବ ଓ ରାଜନୈତିକ ହସ୍ତକ୍ଷେପ ବୃଦ୍ଧି ପାଇବ ବୋଲି କଂଗ୍ରେସ ଓ ବିଜେପିର ଅଭିଯୋଗ ଆଣିଥିଲା। କିନ୍ତୁ ବିଲ୍ ଧ୍ୱନିମତରେ ପାସ୍ ହୋଇଥିଲା ।
ବିଶ୍ୱବିଦ୍ୟାଳୟ ଆଇନକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି ବୋଲି ବିରୋଧୀଙ୍କ ଅଭିଯୋଗ ଉପରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଉତ୍ତର ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ଆଇନକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କୌଣସି ବିରୋଧାଭାଷ ନାହିଁ । କୁଳପତି ମନୋନୟନରେ କୌଣସି ପ୍ରକାର ହସ୍ତକ୍ଷେପ ହେଉନି। ଅଧ୍ୟାପକ ନିଯୁକ୍ତି ଓଡ଼ିଶା ଲୋକ ସେବା ଆୟୋଗ କରିବାକୁ ଥିବାବେଳେ ନନ୍‌ ଟିଚିଂ ଷ୍ଟାଫ ଓଡ଼ିଶା ଷ୍ଟେଟ୍‌ ସିଲେକ୍‌ସନ୍‌ ବୋର୍ଡ କରିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଏହି ବିଲରେ ସିନେଟ୍ ବ୍ୟବସ୍ଥାକୁ ଉଛେଦ କରାଯାଇଛି । ଏଥିରେ ସିଣ୍ଡିକେଟ୍ ବ୍ୟବସ୍ଥାକୁ ମଜବୁତ କରାଯାଇଛି ।

Comments are closed.