ରାଜନୈତିକ ଗତିବିଧି ଚଳଚଞ୍ଚଳ, ୪ ରାଜ୍ୟ ଓ ୧ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ

ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ହେଉଥିବାରୁ ରାଜନୈତିକ ଗତିବିଧି ଚଳଚଞ୍ଚଳ ହୋଇଉଠିଛି। ପଶ୍ଚିମବଙ୍ଗ, ଆସାମ୍‍, ତାମିଲନାଡ଼ୁ, କେରଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏବେ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ଆସାମରେ ଶାସକ ବିଜେପି ପକ୍ଷରୁ ତୁଙ୍ଗନେତାମାନେ ପ୍ରଚାର କାର୍ଯ୍ୟରେ ଲାଗିଛନ୍ତି। ବରିଷ୍ଠ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହା ଆଜି ବିଭିନ୍ନ ଅଞ୍ଚଳ ଗସ୍ତ କରି ନିର୍ବାଚନୀ ଉଦବୋଧନ ଦେଇଛନ୍ତି। ଶ୍ରୀ ଶାହା ମାର୍ଗେରିଟା ଏବଂ ନଜିରାରେ ଉଦବୋଧନ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଗତକାଲି ସେଠାରେ ୩ଟି ନିର୍ବାଚନୀ ସଭାରେ ଉଦବୋଧନ ଦେବା ଅବସରରେ ଭୋଟର୍‍ମାନଙ୍କୁ ରାଜ୍ୟର ବିକାଶ ପାଇଁ ଏନଡିଏକୁ ଭୋଟ୍‍ ଦେବାକୁ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ଜିତେନ୍ଦ୍ର ସିଂହ, ରିପୁନ ବୋରା, ଗୌରବ ଗୋଗୋଇ ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିଛନ୍ତି। ବରିଷ୍ଠ ଦଳୀୟ ନେତା ତଥା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ୍‍ ବାଘେଲ୍‍ ଆଜି ଦିବ୍ରୁଗଡ଼ରେ ପ୍ରଚାର କରିଛନ୍ତି। ସେହିପରି ଆସାମ ଗଣପରିଷଦ, ଏଆଇୟୁଡିଏଫ, ବିପିଏଫ, ଆସାମ ଜାତୀୟ ପରିଷଦ, ରାଇଜର୍‍ ଦଳ ଏବଂ ବାମପାର୍ଟିଗୁଡ଼ିକ ପକ୍ଷରୁ ବିଭିନ୍ନ ସ୍ଥାନରେ ନିର୍ବାଚନୀ ର‍୍ୟାଲି ଆୟୋଜନ କରାଯାଇଛି। ଆସାମରେ ୪୭ଟି ଆସନପାଇଁ ଚଳିତ ମାସ ୨୭ରେ ପ୍ରଥମ ପର୍ଯ୍ୟାୟ ଏବଂ ୩୯ଟି ଆସନ ପାଇଁ ଏପ୍ରିଲ୍‍ ପହିଲାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‍ଗ୍ରହଣ କରାଯିବ।

ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜେପିର ଷ୍ଟାର୍‍ ପ୍ରଚାରକମାନେ ବିଭିନ୍ନ ସ୍ଥାନରେ ରୋଡ୍‍ ଶୋ’ ଏବଂ ସାଧାରଣ ସଭାମାନଙ୍କରେ ଉଦବୋଧନ ଦେଉଛନ୍ତି। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପୁରୁଲିଆରେ ମନବଜାର ବିଧାନସଭା ଆସନ ପାଇଁ ପ୍ରଚାର କରିଛନ୍ତି। ଏହାଛଡ଼ା ସେ ମେଦିନିପୁର ଏବଂ ପାଟଶପୁର ବିଧାନସଭା କ୍ଷେତ୍ରରେ ଆଜି ପ୍ରଚାର କରୁଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହା ଆଜି ସନ୍ଧ୍ୟାରେ ପଶ୍ଚିମ ମେଦିନିପୁରର ଖଡ଼ଗପୁର୍‍ରେ ନିର୍ବାଚନ ପ୍ରଚାର କରିଛନ୍ତି।

ଆଜି ସକାଳୁ ତୃଣମୂଳ କଂଗ୍ରେସ ଏବଂ ବାମପାର୍ଟିଗୁଡ଼ିକ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋର୍‍ଦାର୍‍ କରାଯାଇଛି। ଏବେ ସେଠାରେ ଘରକୁ ଘର ବୁଲି ପ୍ରଚାର କାର୍ଯ୍ୟ କରାଯାଉଛି। ବାମଦଳ ମୁଖ୍ୟ ବିମାନ ବସୁ ଝାଡ଼ଗ୍ରାମଠାରେ ପ୍ରଚାର ଆରମ୍ଭ କରିଛନ୍ତି। ଇତିମଧ୍ୟରେ ତୃଣମୂଳ କଂଗ୍ରେସ ପକ୍ଷରୁ ଆଜି ସନ୍ଧ୍ୟାରେ ନିର୍ବାଚାନୀ ଇସ୍ତାହାର ପ୍ରକାଶ କାର୍ଯ୍ୟକୁ ବନ୍ଦ୍‍ ରଖାଯାଇଛି। ସେଠାରେ ୩୦ଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ଚଳିତ ମାସ ୨୭ରେ ମତଦାନ ହେବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୩୦ଟି ଆସନ ପାଇଁ ଏପ୍ରିଲ୍‍ ୧ ତାରିଖରେ ମତଦାନ ଅନୁଷ୍ଠିତ ହେବ। ତେବେ ଉଭୟ ଆସାନ ଓ ପଶ୍ଚିମବଙ୍ଗ ପାଇଁ ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟ ଜାରି ରହିଛି।

କେରଳ, ତାମିଲନାଡ଼ୁ ଏବଂ ପୁଡ଼ୁଚେରୀରେ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି। କେରଳର ୧୪୦ଟି ବିଧାନସଭା ଆସନ, ତାମିଲନାଡ଼ୁର ୨୩୪ଟି ବିଧାନସଭା ଆସନ ଏବଂ ପୁଡ଼ୁଚେରୀର ୩୦ଟି ଆସନ ପାଇଁ ଏପ୍ରିଲ୍‍ ୬ରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ।

ଇତିମଧ୍ୟରେ କଂଗ୍ରେସ ଦଳ ପକ୍ଷରୁ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ନିମନ୍ତେ ୨୧ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ୨୦୧୬ ବିଧାନସଭା ନିର୍ବାଚନରେ କଂଗ୍ରେସ ଡିଏମକେ ସହିତ ୪୧ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା ଏବଂ ମାତ୍ର ୮ଟି ଆସନରେ ବିଜୟ ଲାଭ କରିବାରେ ସକ୍ଷମ ହୋଇଥିଲା। ଚଳିତ ଥର କଂଗ୍ରେସ ବିଜେପି ବିରୋଧରେ ସିଧାସଳଖ ୫ଟି ଆସନରେ ନିର୍ବାଚନ ଲଢ଼ିବ। କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ବିଧାନସଭା ନିର୍ବାଚନ ନିମନ୍ତେ ଡିଏମକେ ପକ୍ଷରୁ ୧୩ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏହି ୪ଟିଯାକ ବିଧାନସଭା ନିର୍ବାଚନ ଭୋଟ୍‍ଗଣତି ମେ ୨ ତାରିଖରେ ଅନୁଷ୍ଠିତ ହେବ।

Comments are closed.