ପ୍ରଶ୍ନୋତ୍ତର ବନ୍ଦକୁ କଂଗ୍ରେସର ବିରୋଧ ସର୍ବଦଳୀୟ ବୈଠକ ଡାକିବାକୁ ଦାବି

ଭୁବନେଶ୍ୱର : ବିଧାନସଭାର ମୌସୁମି ଅଧିବେଶନରେ ପ୍ରଶ୍ନକାଳ ବାତିଲକୁ ନେଇ ଏବେ ବିରୋଧୀ ଓ ଶାସକ ଦଳ ଭିତରେ ଆରମ୍ଭ ହୋଇଛି ବାଦବିବାଦ। ଚଳିତ ମାସ ୨୯ରୁ ବିଧାନସଭାର ମୌସୁମି ଅଧିବେଶନ ବସିବାକୁ ଯାଉଥିବାବେଳେ କୋଭିଡ଼ ପାଇଁ ସଂସଦୀୟ ଢ଼ାଞ୍ଚାରେ ଏଠି ମଧ୍ୟ ପ୍ରଶ୍ନକାଳ ରଖାଯାଇନାହିଁ। ତେବେ କଂଗ୍ରେସ ଏହାକୁ ବିରୋଧ କରିବା ସହିତ କୋଭିଡ଼ ଦୁର୍ନୀତି ଧରାପଡ଼ିଯିବା ଭୟରେ ପ୍ରଶ୍ନକାଳକୁ ବାତିଲ କରାଯାଉଥିବା ଅଭିଯୋଗ କରିଛି। ବିଧାନସଭା ପୂର୍ବରୁ ସର୍ବଦଳୀୟ ବୈଠକ ଡାକିବା ପାଇଁ ଦଳ ଦାବି କରିଛି।
କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଏ ସମ୍ପର୍କରେ ଗଣମାଧ୍ୟମକୁ କହିଛନ୍ତି ଯେ କୋଭିଡ଼ ମୁକାବିଲା ପାଇଁ ରାଜ୍ୟ ସରକାର ଯେଉଁସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ସେଥିରେ ନାନା ବିଭ୍ରାଟ ହୋଇଛି। ଖଟ, ବେଡ଼ସିଟଠାରୁ ଆରମ୍ଭ କରି ସବୁଥିରେ ବ୍ୟାପକ ଦୁର୍ନୀତି ହୋଇଛି। ବିଧାନସଭାରେ ପ୍ରଶ୍ନକାଳ ରହିଲେ କାଳେ ଏହା ଲୋକଲୋଚନକୁ ଆସିଯିବ, ସେ ଡ଼ରରେ ପ୍ରଶ୍ନକାଳକୁ ବାଦ ଦିଆଯାଉଛି। ବିଧାନସଭା ପୂର୍ବରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବା ପାଇଁ ସେ ଦାବି କରିଛନ୍ତି। ସେପଟେ ବିରୋଧୀ ଦଳ ନେତା ପ୍ରଦୀପ ନାଏକ କହିଛନ୍ତି ଯେ ବିଧାନସଭାରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ ଆସିବାର କାର୍ଯ୍ୟକ୍ରମ ରହିଛି। ଘରୋଇ ବିଲ ଉପରେ ମଧ୍ୟ ଆଲୋଚନା ହେବ। ତେବେ ପାର୍ଲାମେଣ୍ଟ ଢ଼ାଞ୍ଚାରେ ଗୃହ ଚାଲିଲେ ଏଥିରେ କିଛି ଆପତ୍ତି ନାହିଁ।
ବିଜେଡ଼ି ବିଧାୟକ ଅମରପ୍ରସାଦ ଶତପଥୀ କହିଛନ୍ତି ଯେ କୋଭିଡ଼ ନିୟମାବଳୀକୁ ଦୃଷ୍ଟିରେ ରଖି ବିଧାନସଭା ମୌସୁମି ଅଧିବେଶନର ସବୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ସଂସଦର ଅଧିବେଶନକୁ ଅନୁସରଣ କରାଯାଇ ରାଜ୍ୟରେ ମଧ୍ୟ ସେସବୁ ବ୍ୟବସ୍ଥା କରାଯାଇଛି। ପ୍ରଶ୍ନକାଳ ନରହିବା ସମ୍ପର୍କରେ କଂଗ୍ରେସ ଯେଉଁ ପ୍ରଶ୍ନ ଉଠାଇଛି ସେ ବିଷୟରେ ଶ୍ରୀ ଶତପଥୀ କହିଛନ୍ତି ଯେ କଂଗ୍ରେସ ଶାସିତ ରାଜ୍ୟରେ ମଧ୍ୟ ଏ ପ୍ରକାର ବ୍ୟବସ୍ଥାରେ ବିଧାନସଭା ଚାଲୁଛି। ଏସବୁକୁ ପ୍ରସଙ୍ଗ କରିବା ଉଚିତ ନୁହେଁ। ଏସବୁ ଭିତରେ ଦିନକୁ ଦିନ କୋଭିଡ଼ ସଂକ୍ରମଣ ବ୍ୟାପୁଥିବାବେଳେ ଆଗକୁ ବିଧାନସଭା ଅଧିବେଶନ କିପରି ଚାଲିବ ତାହାକୁ ନେଇ ଏବେ ଚିନ୍ତା ବଢ଼ିଯାଇଛି। ଏପରିକି ଏବେ ବହୁ ବିଧାୟକ ଏବଂ ମନ୍ତ୍ରିମଣ୍ଡଳର କିଛି ସଭ୍ୟ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ବିଧାନସଭା ଅଧିବେଶନ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ମନ୍ତ୍ରିମଣ୍ଡଳର ସବୁ ସଦସ୍ୟ, ବିଧାୟକ, ବିଧାନସଭା କର୍ମଚାରୀଙ୍କ କୋଭିଡ଼ ପରୀକ୍ଷା କରାଯିବାର ବ୍ୟବସ୍ଥା ହୋଇଛି ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ଅଧିବେଶନ କାଳରେ ସାମାଜିକ ଦୂରତା ପାଳନ କରାଯିବା ସହିତ ମାସ୍କ ପିନ୍ଧାବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି। କୋଭିଡ଼ ପରୀକ୍ଷାର ୫ ଦିନ ପରେ ପୁଣି ଥରେ କୋଭିଡ଼ ପରୀକ୍ଷା କରାଯିବାକୁ ସ୍ଥିର ହୋଇଛି। ବିଧାନସଭା ପରିସର ପ୍ରତି ଦିନ ବିଶୋଧନ କରାଯିବା ସହିତ ଯେଉଁ ବରିଷ୍ଠ ବିଧାୟକମାନେ ଗୃହକୁ ଆସି ନପାରିବେ ସେମାନଙ୍କ ପାଇଁ ଭଡ଼ିଓକନଫରେନ୍ସିଂ ମାଧ୍ୟମରେ ଗଅହ କାର୍ଯ୍ୟରେ ଭାଗେ ନେବାର ବ୍ୟବସ୍ଥା କରାଯିବାକୁ ଯୋଜନା ରହିଛି।

Comments are closed.