MEllora 950×100

ବିଧାନସଭା ଉପନିର୍ବାଚନ : ବିଜେପି, କଂଗ୍ରେସକୁ ୨ଟି ଲେଖାଏଁ ଆସନ

ନୂଆଦିଲ୍ଲୀ  : ୫ଟି ରାଜ୍ୟର ୬ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ଗୁରୁବାର ପ୍ରକାଶ ପାଇଛି । ୬ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ଓ କଂଗ୍ରେସ ୨ଟି ଲେଖାଏଁ ଆସନ ଜିତିଥିବା ବେଳେ ବିଜେଡି ଓ ଆରଏଲ୍‌ଡିକୁ ଗୋଟିଏ ଲେଖାଏଁ ଆସନ ମିଳିଛି ।
ବିଜେପି ଉତ୍ତରପ୍ରଦେଶର ରାମପୁର ସଦର ଓ ବିହାରର କୁରାନୀ ବିଧାନସଭା ଆସନରେ ବିଜୟୀ ହୋଇଛି। ରାମପୁର ସଦର ଆସନରେ ବିଜେପି ପ୍ରାର୍ଥୀ ଆକାଶ ସକ୍ସସେନା ସମାଜବାଦୀ ପାର୍ଟିର ଅସିମ୍‌ ରାଜାଙ୍କୁ ୩୩ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଥିଲେ। ରାମପୁର ସଦର ଆସନ ସମାଜବାଦୀ ପାର୍ଟିର ଗଡ଼ ଭାବେ ପରିଚିତ ଥିବା ବେଳେ ବିଜେପି ଉପନିର୍ବାଚନ ଜିତିବାକୁ ସକ୍ଷମ ହୋଇଛି। ସେହିପରି ବିହାରର କୁରାନୀ ବିଧାନସଭା ଆସନକୁ ନୀତୀଶ କୁମାରଙ୍କ ନେତୃତ୍ବାଧୀନ ଶାସକ ଦଳ ହାତରୁ ଛଡ଼ାଇ ଆଣିଛି ବିଜେପି। ଏଠାରେ ବିଜେପି ପ୍ରାର୍ଥୀ କେଦାର ପ୍ରସାଦ ଗୁପ୍ତା ନୀତୀଶ କୁମାରଙ୍କ ଜେଡିୟୁ ଦଳର ପ୍ରାର୍ଥୀ ମନୋଜ ସିଂହ ଖୁସୱାଙ୍କୁ ୩୬୪୫ ଭୋଟ୍‌ରେ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ଖ‌େ​‌ଟୗଲି ବିଧାନସଭା ଉପନିର୍ବାଚନରେ ଶାସକ ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ଏହି ଆସନରେ ସମାଜବାଦୀ ପାର୍ଟିର ସହଯୋଗୀ ରାଷ୍ଟ୍ରୀୟ ଲୋକ ଦଳର ପ୍ରାର୍ଥୀ ମଦନ ଭୈୟା ବିଜେପି ପ୍ରାର୍ଥିନୀ ରାଜକୁମାରୀ ସାଇନିଙ୍କୁ ୨୨ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରି ବିଜୟୀ ହୋଇଥିଲେ।
ଅନ୍ୟପକ୍ଷରେ କଂଗ୍ରେସ ଛତିଶଗଡ଼ର ଭାନୁପ୍ରତାପପୁର ଓ ରାଜସ୍ଥାନର ସର୍ଦାରସହର ବିଧାନସଭା ଆସନରେ ବିଜୟୀ ହୋଇଛି। ଏହି ଦୁଇଟି ଆସନ ପୂର୍ବରୁ କଂଗ୍ରେସ ନିକଟରେ ଥିବା ବେଳେ ଉପନିର୍ବାଚନ ଜିତି କଂଗ୍ରେସ ଏହି ଦୁଇଟି ଆସନ ପୁନର୍ବାର ନିଜ ପାଖରେ ରଖିବାକୁ ସକ୍ଷମ ହୋଇଛି। ରାଜସ୍ଥାନର ସର୍ଦାରସହର ଆସନରେ କଂଗ୍ରେସର ଅନିଲ ଶର୍ମା ବିଜେପିର ଅଶୋକ କୁମାର ପିଞ୍ଚାଙ୍କୁ ୨୬, ୮୫୦ଖଣ୍ଡ ଭୋଟ୍‌ରେ ପରାସ୍ତ କରିଥିଲେ। ସୂଚନାଥାଉକି ଅନିଲ ଶର୍ମାଙ୍କ ବାପା ତଥା କଂଗ୍ରେସ ବିଧାୟକ ଥିବା ଭୱରଲାଲ ଶର୍ମାଙ୍କ ପରଲୋକ ହୋଇଥିବାରୁ ଏଠାରେ ଉପନିର୍ବାଚନ ହୋଇଥିଲା। ସେହିପରି ଛତିଶଗଡ଼ର ଭାନୁପ୍ରତାପପୁର ଆସନରେ କଂଗ୍ରେସର ସାବିତ୍ରୀ ବିଜେପିର ବ୍ରହ୍ମାନନ୍ଦ ନେତାମ୍‌ଙ୍କୁ ୨୧,୧୭୧ଟି ଭୋଟ୍‌ରେ ପରାସ୍ତ କରି ବିଜୟୀ ହୋଇଛନ୍ତି। କଂଗ୍ରେସ ବିଧାୟକ ତଥା ସାବିତ୍ରୀଙ୍କ ସ୍ବାମୀ ମନୋଜ ସିଂହଙ୍କ ପରଲୋକ ହୋଇଥିବାରୁ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସାବିତ୍ରୀଙ୍କୁ ୬୫,୪୭୯ଟି ଭୋଟ୍‌ ମିଳିଥିବା ବେଳେ ବ୍ରହ୍ମାନନ୍ଦଙ୍କୁ ୪୪,୩୦୮ଟି ଭୋଟ୍‌ ମିଳିଥିଲା। ଓଡ଼ିଶାର ପଦ୍ମପୁରରେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ବିଜେପିର ପ୍ରଦୀପ ପୁରୋହିତଙ୍କୁ ପରାସ୍ତ କରି ଉପନିର୍ବାଚନରେ ବିଜୟୀ ହୋଇଛନ୍ତି।

Comments are closed.