ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ, ଗୃହ ମୁଲତବୀ

ଭୁବନେଶ୍ଵର: ବିଧାନସଭାରେ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଧମକ ଏବଂ ମଣ୍ଡି ଅବ୍ୟବସ୍ଥାକୁ ନେଇ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଛି। ଏହି ଦୁଇଟି ପ୍ରସଙ୍ଗରେ ଶନିବାର ଶାସକ ଦଳର ସଦସ୍ୟ ଏବଂ ବିରୋଧୀ ଦଳର ସଦସ୍ୟମାନେ ମୁହାଁମୁହିଁ ହୋଇଛନ୍ତି। ଗୃହରେ ସଦସ୍ୟମାନେ ହୋହଲ୍ଲା କରିବାରୁ ବାଚସ୍ପତି ପୂର୍ବାହ୍ନ ୧୧ଟା ୩୦ରୁ ପର୍ଯ୍ୟନ୍ତ ମୁଲତବୀ କରିଦେଇଛନ୍ତି।

ସୂଚନା ଅନୁସାରେ, ମଣ୍ଡିରେ ଧାନ ପଡ଼ିରହିଥିବାବେଳେ ତାହାକୁ ସରକାର କିଣୁ ନ ଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଷୀ ଅସନ୍ତୋଷ ବୃଦ୍ଧି ପାଇଛି। ମଣ୍ଡିରେ ଅବ୍ୟବସ୍ଥା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ। ଦୁଇ ବିରୋଧୀ ଦଳର ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଚାଲିଆସି ହୋହଲ୍ଲା କରିଥିଲେ।

ଅନ୍ୟପଟେ ବିରୋଧୀକୁ ଜବାବ ଦେବା ଲାଗି ବିଜେଡି ସଦସ୍ୟମାନେ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଧମକ ପ୍ରସଙ୍ଗକୁ ଉଠାଇ ପ୍ରତିବାଦ କରିଥିଲେ। ବିଧାୟକ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ବିଜେଡି ସଦସ୍ୟମାନେ ଦାବି କରିଥିଲେ। କ୍ଷମା ନ ମାଗିବା ପର୍ଯ୍ୟନ୍ତ ଗୃହ ଚଳାଇଦେବୁ ନାହିଁ ବୋଲି ବିଜେଡି ସଦସ୍ୟମାନେ କହିଥିଲେ।

ସେପଟେ ଗୃହ ମୁଲତବୀ ହେବା ପ​‌ରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ମନ୍ତ୍ରୀମାନେ ୱେଲ ଭିତରକୁ ଆସିବା ପ୍ରଥମ ଘଟଣା। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସୁଶାନ୍ତ ସିଂହ ଏବଂ ନବ ଦାସଙ୍କ ନାଁ ନେଇ ବାହିନୀପତି କହିଥିଲେ, ମନ୍ତ୍ରୀମାନେ କ୍ଷମା ନ ମାଗିବା ଯାଏ ଆମେ ଗୃହ ଚଳାଇ ଦେବୁନି। ଆମେ ଆତ୍ମହତ୍ୟା ଧମକ ଦେଇଛୁ, କିନ୍ତୁ ଉଦ୍ୟମ କରିନୁ ବୋଲି ସେ କହିଥିଲେ।

Comments are closed.