ଦିନକ ପରେ ବିଧାନସଭା, ମୁହାଁମୁହିଁ ହେବେ ବିରୋଧୀ-ଶାସକ

0

ଭୁବନେଶ୍ବର: ଦିନକ ପରେ ବସିବ ବିଧାନସଭା ବଜେଟ ଅଧିବେଶନ। ପଞ୍ଚଦଶ ବିଧାନସଭାର ଏହା ହେବ ଚୂଡ଼ାନ୍ତ ଅଧିବେଶନ। ଆଗକୁ ନିର୍ବାଚନ ଥିବାରୁ ଏହି ଅଧିବେଶନରେ କାମଚଳା ବଜେଟ ବା ଲେଖାନୁଦାନ ଉପସ୍ଥାପନ କରାଯିବ। ଅଧିବେଶନ ଅାରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କର ଅଭିଭାଷଣ ରଖିବାର କାର୍ଯ୍ୟକ୍ରମ ଥିବାବେଳେ ଆସନ୍ତା ୭ତାରିଖରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ କରିବେ। ଶେଷ ଅଧିବେଶନଟିର କାର୍ଯ୍ୟକାଳ ସୀମିତ। ଫେବୃଆରୀ ୪ରୁ ୧୨ ତାରିଖ ମଧ୍ୟରେ ମାତ୍ର ୭ ଟି କାର୍ଯ୍ୟଦିବସ ରହିଛି। ସ୍ବଳ୍ପ ଅବଧିର ଏହି ଅଧିବେଶନ ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ
ରହିଛି। ସବୁ ରାଜନୈତିକ ଦଳ ଏବେ ନିର୍ବାଚନ ମୁହଁା। ତେଣୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ ଏବଂ ଶାସକ ଦଳ ମୁହଁାମୁହିଁ ହେବାର ସମ୍ଭାବନା ରହିଛି। ଏକାଧିକ ସମସ୍ୟା ସମ୍ବଳିତ ପ୍ରସଙ୍ଗ ଉଠାଇ ବିରୋଧୀ ଶାସକ ଦଳକୁ ଘେରିବା ପାଇଁ ସଜବାଜ ହେଲେଣି। ସରକାରୀ ଦଳ ଏଥର ବି କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇବ ବୋଲି ସୁରାକ ମିଳିଲାଣି। ବିରୋଧୀଙ୍କ ପକ୍ଷରୁ କଡ଼ା ମୁକାବିଲା ପରିସ୍ଥିତି ଉପୁଜିବାର ସମ୍ଭାବନା ଥିବାରୁ ଏହାର ଜବାବ ଦେବା ନିମନ୍ତେ ଶାସକ ଦଳ ରଣନୀତି ପ୍ରସ୍ତୁତ କରୁଛି।
ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଏବେ କୃଷି ଓ କୃଷକଙ୍କ ସମସ୍ୟା ସମାଧାନରେ ସରକାର ବିଫଳ ହୋଇଛନ୍ତି। ମରୁଡ଼ି, ଅଦିନିଆ ବର୍ଷା ଓ ପୋକ ଉପଦ୍ରବରେ ଫସଲ ନଷ୍ଟ ହେବା ସତ୍ତ୍ବେ ଚାଷୀ ଏ ପର୍ଯ୍ୟନ୍ତ କ୍ଷତିପୂରଣ ପାଇନାହାନ୍ତି। ବୀମା କମ୍ପାନୀଠୁ ସହାୟତା ମିଳୁ ନଥିବାବେଳେ ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରହସନ ପାଲଟିଛି। ଚାଷୀ ଅମଳ ପରେ ଧାନ ବିକି ପାରୁନି କିମ୍ବା ସର୍ବନିମ୍ନ ସହାୟକ ମୂଲ୍ୟ ପାଉନି। ଦୀର୍ଘଦିନ ଧରି ଓକିଲ ଆନ୍ଦୋଳନ ଚାଲିଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ଲୋକାୟୁକ୍ତ ନିଯୁକ୍ତି ହୋଇପାରୁନି। ଶିକ୍ଷା ଓ ସ୍ବାସ୍ଥ୍ୟ ମେରୁଦଣ୍ଡବିହୀନ ବିଭାଗ ହୋଇପଡ଼ିଛି। ମୁଖମନ୍ତ୍ରୀ ପିସି ବନ୍ଦ କଥା କହୁଥିବାବେଳେ ବିଭିନ୍ନ ଯୋଜନାରେ ପିସି କାରବାର ବଢ଼ିଚାଲିଛି। ଦୁର୍ନୀତି ବଢ଼ିଛି, ନିଯୁକ୍ତି ନାହିଁ, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଏସବୁ ପ୍ରସଙ୍ଗ ବିଧାନସଭାରେ ଉଠିବ। ଅନୁରୂପ ଭାବେ ବିରୋଧୀ ଦଳର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ ଚାଷୀ କିପରି ସର୍ବନିମ୍ନ ସହାୟକା ମୂଲ୍ୟ ପାଇବ ଏବଂ ସେମାନଙ୍କ ପାଇଁ ଋଣ ଛାଡ଼ କରାଯିବ ସେ ବିଷୟ ଉଠିବ। ଏଥିସହିତ ନିଯୁକ୍ତି ସମସ୍ୟା, କାଳିଆ ଭଳି ଯୋଜନା କରି ସରକାର ଲୋକଙ୍କ ଟିକସ ଅର୍ଥରେ ନିଜର ଦଳର ପ୍ରଚାର ପାଇଁ ଚଳାଇଥିବା ମସୁଧା ନେଇ ବିଧାନସଭାରେ ଜବାବ ମଗାଯିବ।
ବିଜେପି ରାଜ୍ୟ ସଭାପତି ତଥା ବିଧାୟକ ବସନ୍ତ ପଣ୍ଡା କହିଛନ୍ତି ଯେ ରାଜ୍ୟବାସୀଙ୍କୁ ଆନ୍ଦୋଳିତ କରୁଥିବା ଗୁରୁତର ସମସ୍ୟା ଗୃହରେ ଉଠିବ। ସରକାର ଯୋଜନା ପରେ ଯୋଜନା ଘୋଷଣା କରୁଛନ୍ତି, ହେଲେ ଲୋକଙ୍କ କାମରେ ଲାଗୁନି। ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି, ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ, ଡାକ୍ତର ନଥିବାରୁ ରୋଗୀ ସେବା ବ୍ୟାହତ ହେଉଛି। ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ଧାନର ଅଭାବୀ ବିକ୍ରି ଚାଲିଛି। ନାରୀ ନିର୍ଯାତନା ସାଙ୍ଗକୁ ସେବାଶ୍ରମରେ କୋମଳମତି ଛାତ୍ରୀଙ୍କୁ ନିର୍ଯାତନା ଦିଆଯାଉଛି। ଏସବୁ ପ୍ରସଙ୍ଗକୁ ତାଙ୍କ ଦଳ ବିଧାନସଭାରେ ଉଠାଇ ସରକାରଙ୍କଠାରୁ ଜବାବ ମାଗିବ। ବିଜେପି ବିଧାୟକ ରବି ନାୟକ କହିଛନ୍ତି ଯେ ସରକାର କାଳିଆ, ପିଠା ଯୋଜନା ଆଳରେ ନିଜ ଦଳର ପ୍ରଚାର ଚଳାଇଛନ୍ତି। ହେଲେ ​‌ଚାଷୀ ଅଭାବୀ ବିକ୍ରିର ସାମ୍ନା କରୁଛି। ଏସବୁ ପ୍ରସଙ୍ଗ ସହିତ ଚିଟଫଣ୍ଡ କାରବାରରେ ସରକାରୀ ଦଳ ବିଧାୟକଙ୍କ ସମ୍ପୃକ୍ତି ପ୍ରସଙ୍ଗ ବି ଉଠିବ।
ଅନ୍ୟପକ୍ଷରେ ବିରୋଧୀ ଗୃହରେ ଯେଉଁସବୁ ପ୍ରସଙ୍ଗ ଉଠାଇବେ ସେ ନେଇ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ। ଏଥିସହିତ ଓଡ଼ିଶାକୁ କେନ୍ଦ୍ର ଯେଉଁସବୁ ପ୍ରସଙ୍ଗରେ ଅବହେଳା କରୁଛି ସେ ବିଷୟ ମଧ୍ୟ ଗୃହରେ ଆଲୋଚନାକୁ ଆସିବ। ସରକାରୀ ଦଳର ମୁଖ୍ୟ ସଚେତକ ଅମରପ୍ରସାଦ ଶତପଥୀ କହିଛନ୍ତି ଏଥର ବିଧାନସଭାରେ କାଳିଆ, ପିଠା ଭଳି ସରକାରଙ୍କ ବିଭିନ୍ନ ଲୋକହିତକର ଯୋଜନା, ସାମାଜିକ ନିରାପତ୍ତା ଯୋଜନାରେ ଭତ୍ତା ବୃଦ୍ଧି, ଆମ ଗଁା ଆମ ବିକାଶ, ପାନୀୟ ଜଳ ଯୋଗାଣ ପାଇଁ ବସୁଧା ଭଳି ଜନହିତକର ଯୋଜନା ନେଇ ଥିବା ଉପଲବ୍ଧି ପ୍ରସଙ୍ଗରେ ଗୃହକୁ ଅବଗତ କରାଯିବା ସହିତ ବିରୋଧୀ ଯେଉଁସବୁ ପ୍ରସଙ୍ଗ ଆଣିବେ ତାହାର ଉତ୍ତର ରଖିବାକୁ ସରକାର ପ୍ରସ୍ତୁତ।
ପ୍ରଦୀପ ମହାରଥୀ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିବାରୁ ଚଳିତ ଅଧିବେଶନରେ ତାଙ୍କ ଆସନ ବଦଳିବ। ସେହିପରି ବିଜେପି ବିଧାୟକ ଦିଲୀପ ରାୟ,, କଂଗ୍ରେସ ସଦସ୍ୟ କୃଷ୍ଣଚନ୍ଦ୍ର ସଗରିଆ, ନବ ଦାସ ଓ ଯୋଗେଶ ସିଂହ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ସେମାନଙ୍କ ଆସନ ଖାଲି ରହିବ ବୋଲି ବିଧାନସଭା ପକ୍ଷରୁ କୁହାଯାଇଛି।

Leave A Reply