ସମସ୍ତଙ୍କ ନଜର, ମୋଦୀ-ମମତା ଟକ୍କର: ଆସାମ ଓ ପଶ୍ଚିମବଙ୍ଗ ୩ୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି ଜୋରଦାର

ଆସାମ ଓ ପଶ୍ଚିମବଙ୍ଗର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପରେ ଦୁଇଟି ଯାକ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଉପରେ ବର୍ତ୍ତମାନ ସମସ୍ତ ଦୃଷ୍ଟି କେନ୍ଦ୍ରୀଭୂତ ହୋଇଛି। ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ଆସାମରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି। ତୃତୀୟ ପର୍ଯ୍ୟାୟରେ ଆସନ୍ତା ୬ ତାରିଖ ଦିନ ଆସାମର ୪୦ଟି ଆସନ ଓ ପଶ୍ଚିମବଙ୍ଗର ୩୧ଟି ଆସନରେ ଭୋଟ ନିଆଯିବ। ସେହି ଦିନ ତାମିଲନାଡୁ, କେରଳ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ। ଏହା ବ୍ୟତୀତ ତାମିଲନାଡୁର କନ୍ୟାକୁମାରୀ ଲୋକସଭା ଆସନ ଓ କେରଳର ମାଲାପୁରମ୍‍ ଲୋକସଭା ଆସନ ପାଇଁ ସେହିଦିନ ଉପନିର୍ବାଚନ ହେବ। କନ୍ୟାକୁମାରୀରୁ ୧୨ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ମାଲାପୁରମ୍‍ରୁ ୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ନିର୍ବାଚନ ହେବାକୁ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବିଭିନ୍ନ ରାଜନୈତିକ ଦଳର ବଡ଼ ବଡ଼ ନେତାମାନେ ଯାଇ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମ ଓ ପଶ୍ଚିମବଙ୍ଗରେ ନିର୍ବାଚନ ର‍୍ୟାଲି କରିଛନ୍ତି। ଆସାମର ବକ୍ସା ଜିଲ୍ଲାର ତାମୁଲପୁରଠାରେ ଏକ ର‍୍ୟାଲିରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଦ୍ରୋହୀ ଗୋଷ୍ଠୀ ଗୁଡ଼ିକୁ ହିଂସା ପରିହାର କରି ଆସାମକୁ ଆତ୍ମନିର୍ଭର କରିବା ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଏନ୍‍.ଡି.ଏ. ସରକାର ରାଜ୍ୟରେ ଶାନ୍ତି ସ୍ଥାପନ ଦିଗରେ କାର୍ଯ୍ୟ କରୁଛନ୍ତି ଓ ଏହାର ଫଳ ବିଗତ ଦେଢ଼ବର୍ଷ ଭିତରେ ବୋଡୋଲ୍ୟାଣ୍ଡ ଟେରିଟୋରିଆଲ୍‍ ଅଞ୍ଚଳରେ ଦେଖିବାକୁ ମିଳିଛି। ଯେଉଁ ବିଦ୍ରୋହୀ ମାନେ ଶାନ୍ତିର ପଥ ଅନୁସରଣ କରିନାହାନ୍ତି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ସେ କହିଛନ୍ତି, ଆସାମରେ କଂଗ୍ରେସ ଶାସନ କାଳରେ ହିଂସା ବୃଦ୍ଧି ପାଇଥିଲା। ସରକାର ଆସାମ ଚୁକ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଉଥିବାର ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ରାଜ୍ୟର ଜନସାଧାରଣ ଶାନ୍ତି, ସ୍ଥିରତା, ବିକାଶ ଓ ଭ୍ରାତୃଭାବ ଚାହାନ୍ତି। ଆସାମରେ ତାଙ୍କର ଶେଷ ନିର୍ବାଚନ ସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ରାଜ୍ୟର ସବୁବର୍ଗର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ। ନିର୍ବାଚନ ସମ୍ପୂର୍ଣ୍ଣ ହୋଇଯିବା ପରେ ରାଜ୍ୟରେ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି।

ପଶ୍ଚିମବଙ୍ଗରେ ବିଭିନ୍ନ ଦଳର ତାରକା ପ୍ରଚାରକ ଓ ବଡ଼ବଡ଼ ନେତାମାନେ ଆଜି ନିର୍ବାଚନ ର‍୍ୟାଲି ଓ ରୋଡ୍‍ ଶୋ’ମାନ କରିଛନ୍ତି।
ପ୍ରଧାନମନ୍ତ୍ରୀ ହୁଗୁଳି ଓ ଦକ୍ଷିଣ ଚବିଶପ୍ରଗଣା ଜିଲ୍ଲାରେ ଦୁଇଟି ର‍୍ୟାଲି କରିଛନ୍ତି। ତାମିଲନାଡୁର ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନରେ ପ୍ରଚାର ଚରମ ପର୍ଯ୍ୟାୟରେ ପହଞ୍ଚିଛି। ବିଭିନ୍ନ ରାଜନୈତିକ ଦଳର ନେତାମାନେ ରାଜ୍ୟସାରା ବୁଲିବୁଲି ପ୍ରଚାର କରୁଛନ୍ତି। ତାମିଲନାଡୁରେ ୩ହଜାର ୯୯୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ରାଜ୍ୟର ଅଧିକାଂଶ ଭାଗରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ବିଷୟ ପାଣିପାଗ ବିଭାଗ ପୂର୍ବାନୁମାନ କରିବାରୁ ଆସନ୍ତାକାଲି ପ୍ରଚାର ସମୟକୁ ଆଉ ଦୁଇଘଣ୍ଟା ବୃଦ୍ଧି କରାଯାଇଛି।

Comments are closed.