ସରିଲା ପ୍ରଚାର, ଆଗକୁ ଆସାମ ଓ ପଶ୍ଚିମବଙ୍ଗର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ

ଆସାମ ଓ ପଶ୍ଚିମବଙ୍ଗର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆଜି ସନ୍ଧ୍ୟାରେ ଶେଷ ହୋଇଛି। ଏହା ପୂର୍ବରୁ ବିଭିନ୍ନ ଦଳର ନେତାମାନେ ଜୋରସୋରରେ ପ୍ରଚାର ଚଳାଇଥିଲେ। ଉଭୟ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ତ୍ୱରାନ୍ୱିତ ହୋଇଛି। ତୃତୀୟ ପର୍ଯ୍ୟାୟରେ କେରଳ, ତାମିଲନାଡୁ ଓ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ ନିଆଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଆସାମରେ ୨୬ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ୩୪୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ପର୍ଯ୍ୟାୟରେ ୩୯ଟି ଆସନରେ ଗୁରୁବାର ଦିନ ଭୋଟ ଗ୍ରହଣ ହେବ।

ଆସାମରେ ତିନୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ କରାଯାଉଛି। ରାଜ୍ୟରେ ତିନୋଟି ମେଣ୍ଟ ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ସେଗୁଡ଼ିକ ହେଲା ବିଜେପି ନେତୃତ୍ୱର ଏନ୍‍.ଡି.ଏ. ଓ ଏହାର ଅଂଶିଦାର ଦଳ ଆସାମ ଗଣପରିଷଦ, ୟୁନାଇଟେଡ୍‍ ପିପୁଲ୍ସ ପାର୍ଟି ଲିବେରାଲ୍‍ ଓ କଂଗ୍ରେସ ନେତୃତ୍ୱର ମହାମେଣ୍ଟ। ଏହା ମଧ୍ୟରେ ଅଲ୍‍ ଇଣ୍ଡିଆ ୟୁନାଇଟେଡ୍‍ ଡେମୋକ୍ରାଟିକ୍‍ ଫ୍ରଣ୍ଟ, ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ ଓ ବାମପନ୍ଥୀ ଦଳ ରହିଛନ୍ତି। ଏହା ବ୍ୟତୀତ ଆସାମ ଜାତୀୟ ପାର୍ଟି ଓ ରାଇଜୋର୍‍ ଦଳ ମଧ୍ୟ ରହିଛି। ବିଜେପି ୩୪ ଜଣ ପ୍ରାର୍ଥୀ ଛିଡ଼ା କରାଇଥିବା ବେଳେ କଂଗ୍ରେସ ୨୮ ଜଣ, ଆସାମ ଜାତୀୟ ପାର୍ଟି ୧୯ ଜଣ, ଅଲ୍‍ ଇଣ୍ଡିଆ ୟୁନାଇଟେଡ୍‍ ଡେମୋକ୍ରାଟିକ୍‍ ଫ୍ରଣ୍ଟ ୭ ଜଣ, ଆସାମ ଗଣପରିଷଦ ୬ ଜଣ ଓ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ ୪ ଜଣ ପ୍ରାର୍ଥୀ ଛିଡ଼ା କରିଛି। ଏହା ବ୍ୟତୀତ ୧୭୬ ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ପଶ୍ଚିମବଙ୍ଗରେ ୧୯ ଜଣ ମହିଳା ପ୍ରାର୍ଥୀଙ୍କ ସମେତ ୧୨୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ପର୍ଯ୍ୟାୟରେ ୩୦ଟି ଆସନ ପାଇଁ ଭୋଟ ନିଆଯିବ। ପଶ୍ଚିମବଙ୍ଗରେ ମୋଟ୍‍ ୮ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେଉଛି। ଏହି ପର୍ଯ୍ୟାୟରେ ବିଜେପି ଓ ଶାସକ ତୃଣମୂଳ କଂଗ୍ରେସ ୩୦ଟି ଯାକ ଆସନରୁ ପ୍ରାର୍ଥୀ ଛିଡ଼ା କରାଇଛନ୍ତି। ଅନ୍ୟ ପକ୍ଷରେ କଂଗ୍ରେସ, ବାମପନ୍ଥୀ ଦଳ ଓ ସେମାନଙ୍କର ମିତ୍ର ଦଳ ଇଣ୍ଡିଆନ୍‍ ସେକୁଲାର୍‍ ଫ୍ରଣ୍ଟ୍‍ ସଂଯୁକ୍ତ ମୋର୍ଚ୍ଚା ଅଧୀନରେ ନିର୍ବାଚନ ଲଢ଼ୁଛନ୍ତି। ସିପିଆଇଏମ ୧୫ ଜଣ ପ୍ରାର୍ଥୀ ଛିଡ଼ା କରାଇଥିବା ବେଳେ କଂଗ୍ରେସ ୯ ଜଣ, ବହୁଜନ ସମାଜ ପାର୍ଟି ୭ ଜଣ ଓ ସିପିଆଇ ୨ ଜଣ ପ୍ରାର୍ଥୀ ଛିଡ଼ା କରାଇଛନ୍ତି। ଏଆଇଏଫବି ଓ ଆରଏସପି ଜଣେ ଲେଖାଏଁ ପ୍ରାର୍ଥୀ ଛିଡ଼ା କରାଇଛନ୍ତି। ଏହା ବ୍ୟତୀତ ୩୨ ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀ ଓ ୪୪ ଜଣ ଅନ୍ୟ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ଉଭୟ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଏପ୍ରିଲ୍‍ ୬ ତାରିଖରେ ହେବ। ଏହି ପର୍ଯ୍ୟାୟରେ ଆସାମର ୪୦ଟି ଆସନ ପାଇଁ ୩୩୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ପଶ୍ଚିମବଙ୍ଗର ୩୧ଟି ଆସନ ପାଇଁ ୨୦୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତୃତୀୟ ପର୍ଯ୍ୟାୟରେ କେରଳ, ତାମିଲନାଡୁ ଓ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍‍ ନିଆଯିବ। ୧୪୦ ସଦସ୍ୟ ବିଶିଷ୍ଟ କେରଳ ବିଧାନସଭା ନିର୍ବାଚନ ପାଇଁ ୯୫୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅନ୍ୟ ପକ୍ଷରେ ୨୩୪ ସଦସ୍ୟ ବିଶିଷ୍ଟ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ୪ହଜାର ୧୨୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୩୦ ସଦସ୍ୟ ବିଶିଷ୍ଟ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ୩୨୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

ତୃତୀୟ ପର୍ଯ୍ୟାୟରେ ତାମିଲନାଡୁର କନ୍ୟାକୁମାରୀ ଲୋକସଭା ଉପ-ନିର୍ବାଚନ ଓ କେରଳର ମାଲାପୁରମ୍‍ ଲୋକସଭା ଉପ-ନିର୍ବାଚନ ପାଇଁ ଭୋଟ ନିଆଯିବ। କନ୍ୟାକୁମାରୀରୁ ୧୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ମାଲାପୁରମ୍‍ରୁ ୬ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଇତିମଧ୍ୟରେ ପଶ୍ଚିମବଙ୍ଗର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତ ଶୁକ୍ରବାର ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମ୍ପୂର୍ଣ୍ଣ ହେବା ପରେ ପ୍ରାର୍ଥୀମାନଙ୍କର ସଂଖ୍ୟା ସ୍ପଷ୍ଟ ହୋଇଯାଇଛି। ବିଭିନ୍ନ ରାଜନୈତିକ ଦଳର ବଡ଼ବଡ଼ ନେତାମାନେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଦେଇଛନ୍ତି।

ଚତୁର୍ଥ ପର୍ଯ୍ୟାୟରେ ଏପ୍ରିଲ୍‍ ୧୦ ତାରିଖ ଦିନ ପଶ୍ଚିମବଙ୍ଗର ୪୪ଟି ବିଧାନସଭା ଆସନ ପାଇଁ ଭୋଟ୍‍ ନିଆଯିବ। ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆଜି ଶେଷ ହୋଇଛି। ଆସନ୍ତାକାଲି ପ୍ରାର୍ଥୀପତ୍ର ଗୁଡ଼ିକୁ ଯାଞ୍ଚ କରାଯିବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଏପ୍ରିଲ୍‍ ୩ ତାରିଖ ରହିଛି। ଆନ୍ଧ୍ରପ୍ରଦେଶର ତୀରୁପତି ଲୋକସଭା ଉପ-ନିର୍ବାଚନ ଓ କର୍ଣ୍ଣାଟକର ବେଲଗାମ୍‍ ଲୋକସଭା ଉପ-ନିର୍ବାଚନ ସମେତ ୧୧ଟି ରାଜ୍ୟର ୧୪ଟି ବିଧାନସଭା ଆସନ ଉପ-ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସେହି ବିଧାନସଭା ଆସନ ଗୁଡ଼ିକ ମଧ୍ୟରେ ରାଜସ୍ଥାନର ୩ଟି, କର୍ଣ୍ଣାଟକର ୨ଟି ଓ ଗୁଜରାଟ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମିଜୋରାମ୍‍, ନାଗାଲାଣ୍ଡ, ଓଡ଼ିଶା, ତେଲଙ୍ଗାନା ଓ ଉତ୍ତର ପ୍ରଦେଶର ଗୋଟିଏ ଲେଖାଏଁ ଆସନ ରହିଛି। ସମସ୍ତ ୪୫ଟି ଯାକ ବିଧାନସଭା ଆସନ ଉପ-ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟରେ ଏପ୍ରିଲ୍‍ ୧୭ ତାରିଖରେ ଭୋଟ ଗ୍ରହଣ ହେବ

Comments are closed.