ଆସନ୍ତାକାଲି ଆସାମ ଓ ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୭୭ ଆସନରେ ହେବ ମତଦାନ

ଆସାମର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଗତକାଲି ସଂଧ୍ୟାରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୪୭ଟି ଆସନରେ ଆସନ୍ତାକାଲି ମତଦାନ ହେବ। ଏଥିପାଇଁ ୧୧ହଜାର ୫୩୭ଟି ଭୋଟ୍‍ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି। ଭୋଟ୍‍ ନିଆଯିବାକୁ ଥିବା ଜିଲ୍ଲାଗୁଡ଼ିକରେ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ଭୋଟ୍‍ଗ୍ରହଣ କେନ୍ଦ୍ରଗୁଡ଼ିକରେ ଭୋଟ୍‍ଗ୍ରହଣକାରୀ ଅଫିସରମାନେ ପହଞ୍ଚିବାରେ ଲାଗିଛନ୍ତି। ଇତିମଧ୍ୟରେ କୌଣସି ପ୍ରକାରର ଅପ୍ରିତୀକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ପହରା ଦେଉଛି। ଆସାମରେ ୩ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେଉଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଯେପରି ସୁଚାରୁରୂପେ ସମ୍ପନ୍ନ ହେବ ସେଥିପାଇଁ ନିର୍ବାଚନ କମିସନ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିଛି। ରାଜ୍ୟର ମୁଖ୍ୟ ନିର୍ବାଚନ ଅଫିସର ନିତୀନ ଖଡେ କହିଛନ୍ତି ୨୩ଜଣ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ୍‍ ୨୬୪ଜଣ ପ୍ରାର୍ଥୀ ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେ କହିଛନ୍ତି ସମସ୍ତ ଭୋଟ୍‍ଗ୍ରହଣ କେନ୍ଦ୍ରରେ କୋବିଡ୍‍ କଟକଣାଗୁଡ଼ିକୁ କଡାକଡି ଭାବେ ପାଳନ କରାଯିବ। ରାଜ୍ୟର ବିଭିନ୍ନ ସଂସ୍ଥା ଦ୍ୱାରା ବର୍ତ୍ତମାନ ସୁଦ୍ଧା ୮୮କୋଟି ଟଙ୍କା ମୂଲ୍ୟର ନଗଦ ଅର୍ଥ ଓ ମାଦକ ଦ୍ରବ୍ୟ ଜବତ କରାଯାଇଛି।

ରାଜ୍ୟର ଶତକଡା ୫୦ ଭାଗ ଭୋଟ୍‍ଗ୍ରହଣ କେନ୍ଦ୍ରରେ ୱେବ୍‍କାଷ୍ଟିଙ୍ଗର ବ୍ୟବସ୍ଥା କରାଯିବ। ଯୁଗ୍ମ ମୁଖ୍ୟ ନିର୍ବାଚନ ଅଫିସର ରାହୁଲ ଚନ୍ଦ୍ର ଦାସ କହିଛନ୍ତି ଗଣ୍ଡଗୋଳର ଆଶଙ୍କା ଥିବା ଅଞ୍ଚଳ ଏବଂ ଅଧିକ ସଂଖ୍ୟକ ମତଦାତା ଥିବା ଭୋଟ୍‍ଗ୍ରହଣ କେନ୍ଦ୍ର ଗୁଡ଼ିକରେ ୱେବ୍‍କାଷ୍ଟିଙ୍ଗ କରାଯିବାର ବ୍ୟବସ୍ଥା କରାଯାଇଛି। ସେ କହିଛନ୍ତି ଅବାଧ, ନିରପେକ୍ଷ ଓ ନିରାପଦ ଭୋଟ୍‍ଗ୍ରହଣ ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ସେ କହିଛନ୍ତି କୋବିଡ୍‍ ସଂକ୍ରମଣ ଦୃଷ୍ଟିରୁ ଭୋଟରମାନଙ୍କ ସୁରକ୍ଷା ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉଛି।

ଆସନ୍ତାକାଲି ମଧ୍ୟ ପଶ୍ଚିମବଙ୍ଗର ୩୦ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍‍ଗ୍ରହଣ ହେବ। ସେହି ନିର୍ବାଚନ ମଣ୍ଡଳୀଗୁଡ଼ିକ ପୂର୍ବ ମେଦିନପୁର, ପଶ୍ଚିମ ମେଦିନପୁର, ପୁରୁଲିଆ, ଝରଗ୍ରାମ ଓ ବଙ୍କୁଡା ଜିଲ୍ଲାରେ ଅବସ୍ଥିତ।ସୁଚାରୁରୂପେ ନିର୍ବାଚନ କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିର୍ବାଚନ କମିସନ ସମସ୍ତ ପଦକ୍ଷେପ ଗ୍ରହଣ କରିଛି। ଭୋଟ୍‍ଗ୍ରହଣକାରୀ ଦଳ ଗୁଡ଼ିକ ଆଜି ସଂଧ୍ୟା ସୁଦ୍ଧା ସମସ୍ତ ଭୋଟ୍‍ଗ୍ରହଣ କେନ୍ଦ୍ରରେ ପହଞ୍ଚିଯିବେ। ଆସନ୍ତାକାଲିର ଭୋଟ୍‍ଗ୍ରହଣ ପାଇଁ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିର୍ବାଚନ କମିସନ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ବହୁସଂଖ୍ୟାରେ ଅର୍ଦ୍ଧସାମରିକ ବାହିନୀ ଜବାନମାନଙ୍କୁ ମୁତୟନ କରିଛି। ଅନ୍ୟରାଜ୍ୟଗୁଡ଼ିକ ସହ ରାଜ୍ୟର ସୀମାରେ ନିରାପତ୍ତାବାହିନୀ ଜବାନମାନେ କଡା ପହରା ଦେଉଛନ୍ତି। ରାଜ୍ୟର ବିଭିନ୍ନ ସହର ଓ ଜିଲ୍ଲାମଧ୍ୟକୁ ପ୍ରବେଶ କରୁଥିବା ଯାନବାହନଗୁଡ଼ିକୁ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି। ଇତିମଧ୍ୟରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହେବାକୁଥିବା ନିର୍ବାଚନମଣ୍ଡଳୀ ଗୁଡ଼ିକରେ ପ୍ରଚାର ସରଗରମ ହୋଇଛି।

Comments are closed.