ନାଗରିକତା ସଂଶୋଧନ ବିଧେୟକକୁ ବିରୋଧ କରି ଆସାମ ଓ ତ୍ରିପୁରାରେ ବିକ୍ଷୋଭ ପ୍ରଦର୍ଶନ ଜାରି

ଆସାମରେ ଅନେକେ ଟ୍ରେନ ବାତିଲ, ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ

ଗୁଆହାଟୀ : ନାଗରିକତା ସଂଶୋଧନ ବିଧେୟକକୁ ବିରୋଧ କରି ବୁଧବାର ଆସାମ ଓ ତ୍ରିପୁରାରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ବେଳକୁ ବେଳ ଏହି ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ବିଭିନ୍ନ ରାସ୍ତାରେ ଟାୟାର ଜାଳି ବିକ୍ଷୋଭକାରୀଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି। ଆସାମର ଦିସପୁରରେ ଜନତା ଭବନ ପାଖରେ ଆନ୍ଦୋଳନକାରୀମାନେ ଏକ ବସକୁ ପୋଡି ଦେଇଛନ୍ତି। ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ କରିବାକୁ ବିକ୍ଷୋଭକାରୀଙ୍କୁ ପୁଲିସ ପକ୍ଷରୁ ସତର୍କ ସୂଚନା କରାଯାଇଥିଲା। ମାତ୍ର ଆନ୍ଦୋଳନକାରୀମାନେ ଏକାକୁ ନମାନିବାରୁ ପୁଲିସ ପକ୍ଷରୁ ଲାଠି ଚାଳନା କରାଯାଇଛି।

ସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ଟ୍ରେନର ଗତିପଥକୁ ବଦଳା ଯାଇଥିବା ବେଳେ ୧୦ଟି ଟ୍ରେନକୁ ବାତିଲ୍ କରାଯାଇଛି। ଅନେକ  ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି। ସ୍ଥିତି ନିୟନ୍ତ୍ରଣ ଲାଗି ଡିବ୍ରୁଗଢରୁ ସେନାକୁ ଡକାଯାଇଛି।

ଏହାସହିତ ଆସାମର ଲକ୍ଷ୍ମୀପୁର, ଦିସପୁର, ତିନିସୁକିୟା, ଘେମଜି, ଡିବ୍ରୁଗଡ଼, ଶିବାସାଗର, ଜୋରହାଟ, ଗୋଲାଘାଟ, କାମରୂପ(ମେଟ୍ରୋ)ରେ ଆଜି ସନ୍ଧ୍ୟା ୭ଟାରୁ ୧୨ତାରିଖ ସକାଳ ପର୍ଯ୍ୟନ୍ତ ମୋବାଇଲ ଓ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି।

Comments are closed.