ଆସାମ-ମିଜୋରାମ ହିଂସା ନିୟନ୍ତ୍ରଣାଧୀନ

ସିଲଚାର: ସୀମା ବିବାଦକୁ ନେଇ ଆସାମ ଓ ମିଜୋରାମ ମଧ୍ୟରେ ଦେଖାଯାଇଥିବା ହିଂସା ନିୟନ୍ତ୍ରଣାଧୀନ ରହିଛି। ଉଭୟ ରାଜ୍ୟ ପକ୍ଷରୁ ହିଂସା ସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଆସାମ ସରକାର ସୀମାନ୍ତ କାଚର, କରିମଗଞ୍ଜ ଓ ହୈଲାକାଣ୍ଡି ଜିଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ତିନିଟି କମାଣ୍ଡୋ ବାଟାଲିୟନ ମୁତୟନ କରିଛନ୍ତି। ଅନ୍ୟପଟେ ସୀମା ବିବାଦର ସ୍ଥାୟୀ ସମାଧାନ ନିମନ୍ତେ ଆସାମ ସରକାର ପଦକ୍ଷେପ ନେଇଛନ୍ତି।
ମଙ୍ଗଳବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା କହିଛନ୍ତି ଯେ ମିଜୋରାମବାସୀଙ୍କ ଦ୍ବାରା ଜଙ୍ଗଲ ଜମି ଜବରଦଖଲ ବିରୋଧରେ ତାଙ୍କ ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହେବ।

ସିଲଚାରଠାରେ ସାମ୍ବାଦିକ ସମ୍ମିଳନୀରେ ଶର୍ମା କହିଛନ୍ତି ଯେ ମିଜୋରାମ ସରକାର ଆସାମର ଜଙ୍ଗଲ ଜମିକୁ ଜବରଦଖଲ କରିଛନ୍ତି। ଉପଗ୍ରହ ଚିତ୍ରରୁ ଦେଖାଯାଉଛି ଯେ ମିଜୋରାମ ସରକାର ଜଙ୍ଗଲ ମଧ୍ୟରେ ରାସ୍ତା ନିର୍ମାଣ କରିବା ସହିତ ଚାଷ ନିମନ୍ତେ ଜଙ୍ଗଲ ନଷ୍ଟ କରୁଛନ୍ତି। ଏହାକୁ ଅନୁମତି ଦିଆଯାଇପାରିବ ନାହିଁ। ଅନ୍ୟପଟେ ମିଜୋରାମ ସରକାର ମଧ୍ୟ ଆସାମ ବିରୋଧରେ ଜଙ୍ଗଲ ଜମି ଜବରଦଖଲର ଅଭିଯୋଗ ଆଣିଛନ୍ତି। ତେବେ ଆସାମ ସରକାର କହିଛନ୍ତି ଯେ ମିଜୋରାମ ସରକାର ଏହା ବିରୋଧରେ ପ୍ରମାଣ ଦିଅନ୍ତୁ। ମିଜୋରାମ ସରକାର ଜବରଦଖଲର ପ୍ରମାଣ ଦେଲେ ଆସାମ ସରକାର ଏହାକୁ ଉଚ୍ଛେଦ କରିବେ। ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୁଇ ରାଜ୍ୟ ମଧ୍ୟରେ ଯେଉଁ ସୀମା ବିବାଦ ଦେଖାଯାଇଛି ତାହା ରାଜନୈତିକ ପ୍ରସଙ୍ଗ ନୁହେଁ।

Comments are closed.