ଆସାମ ଆଉ ଏକ କାଶ୍ମୀରରେ ପରିଣତ ହେବାକୁ ଯାଉଛି-ହିମନ୍ତ ବିଶ୍ୱଶର୍ମା

ଗୁଆହାଟି: ଦେଶର ଉତ୍ତର ପୂର୍ବାଞ୍ଚଳରେ ଅବସ୍ଥିତ ଆସାମ ଆଉ ଏକ ଜମ୍ମୁ କାଶ୍ମୀରରେ ପରିଣତ ହେବାକୁ ଯାଉଛି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଅଭିଯୋଗ କରିଛନ୍ତି। ଏଥିସହିତ ଦେଶର ହିନ୍ଦୁମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଆକ୍ରମଣରୁ ସୁରକ୍ଷା ଦେବାକୁ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)କୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା ସିଲଚରଠାରେ ଥିବା ଆରଏସଏସ ମୁଖ୍ୟ ଦପ୍ତର ରବିବାର ଗସ୍ତ କରିଥିଲେ। ସେଠାରେ ଏକ ରୁଦ୍ଧଦ୍ୱାର ବୈଠକରେ ଯୋଗଦେବା ଅବସରରେ ହିମନ୍ତ ବିଶ୍ୱଶର୍ମା କହିଥିଲେ, ଆସାମ ଆଉ ଏକ କାଶ୍ମୀର ହେବାକୁ ଯାଉଛି।

କିଛି ଲୋକଙ୍କ ଆକ୍ରମଣ ଯୋଗୁଁ ଚା’ବଗିଚା ଏବଂ ରାଜ୍ୟର ଦୂର ଦୂରାନ୍ତ ଅଞ୍ଚଳର ବାସ କରୁଥିବା ହିନ୍ଦୁମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। କହିବାକୁ ଗଲେ ସେମାନେ ବସ୍ତୁତଃ ବିଲୁପ୍ତ ହେବାକୁ ଯାଉଛନ୍ତି। ଆରଏସଏସର କାର୍ଯ୍ୟକର୍ତ୍ତା ସେଠାକୁ ଯାଇ ହିନ୍ଦୁମାନଙ୍କୁ ଏକତ୍ରିତ କରି ବିପଦରୁ ସୁରକ୍ଷା ଦେବାକୁ ସେ ଅନୁରୋଧ କରିଥିଲେ। ସେ କହିଲେ ଆରଏସଏସର ତୃଣମୂଳ ସ୍ତରରେ ସଂଗଠନ ରହିଥିବା ଏବଂ ଦୁର୍ଗମ ଅଞ୍ଚଳର ଜନସାଧାରଣଙ୍କ ସହିତ ଘନିଷ୍ଠ ସଂପର୍କ ରହିଥିବାରୁ ଆରଏସଏସ ସେମାନଙ୍କୁ ସୁରକ୍ଷା ଦେଇପାରିବ। ଏହି ଅବସରରେ ହିମନ୍ତ କହିଥିଲେ, କିଛି ନିର୍ଦ୍ଦିଷ୍ଟ ଲୋକ ସିଏଏ ଏବଂ ଏନଆରସିକୁ ଦୃଢ ବିରୋଧ କରୁଛନ୍ତି। ତେବେ ସଂପ୍ରତି ପରିସ୍ଥିତିରେ ପରିବର୍ତ୍ତନ ଘଟିଛି।

Comments are closed.